(ବିପ୍ଲବୀ ପରିକ୍ରମା ବ୍ୟୁରୋ);ବଡବଜାର ଥାନା ଅଞ୍ଚଳର ୪ଟି ସ୍ଥାନରୁ ବିପୁଳ ପରିମାଣର ବେଆଇନ ବାଣ ଜବତ ହୋଇଛି । ଏ ନେଇ ୪ ମାମଲା ରୁଜୁ ହୋଇଥିବା ବେଳେ ବେଆଇନ ବାଣ ବିକ୍ରି କରୁଥିବା ୩ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଥିବା ଜଣାପଡ଼ିଛି । ଗିରଫ ୩ଜଣ ହେଲେ ଅଟୋ ଚାଳକ ତଥା ପୁରୁଣା ବ୍ରହ୍ମପୁରର ରବି ଜେନା ,ଦୁର୍ବନ୍ଧ ଗ୍ରାମର ତଥା ପାଣିଗ୍ରାହୀପେଣ୍ଠ ନିକଟ ଚୈତନ୍ୟନଗରର ଶିବ ସାହୁ,ପଣ୍ଡିତ ସାହିର ଏମ ସୂର୍ଯ୍ୟ ନାରାୟଣ । ଫେରାର ଜଣକ ହେଲେ ରାଜମ୍ମା ସାହିର ପିତାମ୍ବର ସେଠୀ ବୋଲି ଜଣା ପଡିଛି । ସୂଚନାଯୋଗ୍ୟ ଯେ, ଆଗକୁ ଦୀପାବଳି ସହ ଆନ୍ୟନ୍ୟ ପର୍ବପର୍ବାଣୀ ରହିଥିବାରୁ କିଛି ଲୋକ ଲକ୍ଷାଧିକ ଟଙ୍କାର ବାଣ ଆଣି ଏକ ଭଡ଼ା ଘରେ ଗଛିତ ରଖି ବିକ୍ରି କରୁଥିବା ଖବର ମିଳିଥିଲା ପୁଲିସକୁ କୌଣସି ସୂତ୍ରରୁ ଖବର ପାଇଁ ବଡ଼ ବଜାର ଥାନା ପୁଲିସ ୪ଟି ସ୍ଥାନରେ ଚଢଉ କରି ବିଭିନ୍ନ ପ୍ରକାରର ବସ୍ତା ବାଣ ଜବତ କରିଥିବା ଜଣାପଡ଼ିଛି । ସର୍ଚ୍ଚ ୱାରେଣ୍ଟ ପାଇବା ପରେ ପୁଲିସ ଟିମ ସେଠାରେ ଚଢାଉ କରି କୁମ୍ପି, ଫୁଲଝରୀ, ଫୋଟକା, ଚକ୍ରି, ଝୁରି, କଲର ସର୍ଟଙ୍କ ସମେତ ଆନ୍ୟନ୍ୟ ବାଣ ଜବତ କରିଛି । ତେବେ ବ୍ରହ୍ମପୁର ପୁଲିସ ଜିଲାରେ ଆଜି ଯାଏଁ ମୋଟ ୭ଟି ବେଆଇନ ବାଣ ବିକ୍ରି ମାମଲା ରୁଜୁ ହୋଇଛି । ବଡବଜାର ଥାନାରେ ୪ ଟି ମାମଲା ରୁଜୁ ହୋଇଥିବା ବେଳେ ସଦର ଥାନାରେ ଗୋଟିଏ ଏବଂ ବୈଦ୍ୟନାଥପୁର ଥାନାରେ ୨ ଟି ମାମଲା ରୁଜୁ ହୋଇଛି । ଜବତ ହୋଇଥିବା ବାଣର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଏହି ବେଆଇନ ବାଣ କେଉଁଠୁ ଆସୁଛି ତାହା ଜାଣିବାକୁ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସପି ଡା. ସର୍ବଣା ବିବେକ ଏମ କହିଛନ୍ତି ।