ମୟୂରଭଞ୍ଜ (ସଂଜୀବ କୁମାର ରଣଜିତ);ବାରିପଦା ସ୍ଥିତ ବାଘଡ଼ା ରୋଡରେ ମନୁଷ୍ୟ କୃତ ଟ୍ରାଫିକ ସମସ୍ୟା ସମାଧନ ନେଇ ମଙ୍ଗଳବାର ସୌମ୍ୟକର ମହାପାତ୍ରଙ୍କ ଆବାହକତ୍ୱରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଜିଲ୍ଲାପାଳ ଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି। ସତ୍ୟସାଇ ଛକ ଠାରୁ ପାଣ୍ଡେ ମ.ଇ ବିଦ୍ୟାଳୟ ପର୍ଯ୍ୟନ୍ତ ଦୁଇ କଡ଼ରେ ବସ ଠିଆ ହେବା ଯୋଗୁଁ ଯାତାୟାତ ରେ ନାହିଁ ନ ଥିବା ସମସ୍ୟା ସୃଷ୍ଟି ହେଉଥିବା ବେଳେ ଅଧିକାଂଶ ସମୟରେ ଛୋଟ ବଡ ଦୁର୍ଘଟଣା ମଧ୍ୟ ଘଟୁଛି। ଫଳରେ ଏହି ରାସ୍ତା ଦେଇ ଯାଉଥିବା ସ୍କୁଲ, କଲେଜ୍ ପିଲାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ପର୍ଯ୍ୟନ୍ତ ସମସ୍ତ ସାଧାରଣ ଲୋକେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ତେବେ କିଛିଦିନ ଆଗରୁ ଗମନା ଗମନ ର ସୁବିଧା ପାଇଁ ରାସ୍ତା କଡରେ ଥିବା ବହୁ ପୁରାତନ ବଡ ବଡ ଗଛକୁ କାଟି ରାସ୍ତା ସମ୍ପ୍ରସାରିତ କରା ଯାଇଥିଲା। ମାତ୍ର ରାସ୍ତା ସମ୍ପ୍ରସାରଣ ପରଠାରୁ ଏହି ରାସ୍ତାର ଉଭୟ ପାର୍ଶ୍ବରେ ଏବେ ବସ ତଥା ଅନ୍ୟାନ୍ୟ ଚାରି ଚକିଆ ଯାନବାହନ ରଖିବାରୁ ଦିନକୁ ଦିନ ଦୁର୍ଘଟଣା ବଢ଼ି ବଢ଼ି ଚାଲିଛି। ବୟସ୍କ ଲୋକମାନେ ସକାଳୁ ବୁଲି ବାହାରିବାକୁ ମଧ୍ୟ ଭୟ କରୁଛନ୍ତି। ତେବେ ପୂର୍ବରୁ ଏ ନେଇ ବାରମ୍ବାର ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରା ଯାଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ନିଆଯାଇନାହିଁ ବରଂ ପ୍ରତିଶ୍ରୁତିର ଗାରରେ ଦବି ଯାଇଛି ସମସ୍ୟା।ଫଳରେ ବାଧ୍ୟ ହୋଇ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ ମାନେ ଜିଲ୍ଲାପାଳଙ୍କୁ ଭେଟି ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଦାବି କରିଛନ୍ତି।