ମୟୂରଭଞ୍ଜ;(ସଂଜୀବ କୁମାର ରଣଜିତ)-ପ୍ରତ୍ୟକ ବର୍ଷ ନଭେମ୍ବର ୧ ତାରିଖରେ ପର୍ଯ୍ୟଟକ ଙ୍କ ପାଇଁ ଖୋଲିଥାଏ ଶିମିଳିପାଳ।ମାତ୍ର ଚଳିତ ବର୍ଷ ସୁହାଇଲା ଭଳି ପାଣିପାଗ ଦେଖି ୧୬ ଦିନ ଆଗରୁ ଅର୍ଥାତ ଅକ୍ଟୋବର ୧୪ ତାରିଖ ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଜାତୀୟ ଉଦ୍ୟାନ ଶିମିଳିପାଳ। ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିଲେ ପର୍ଯ୍ୟଟକଙ୍କ ମନରେ ଖେଳିଯାଏ ଆନନ୍ଦର ଲହରୀ।ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏଇ ବିଶ୍ବ ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନ (ଅଭୟାରଣ୍ୟ) ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ର ମନଲୋଭା ଦୃଶ୍ୟ ଉପଭୋଗ କରିବା ପାଇଁ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼।ଆଜି ପ୍ରଥମ ଦିନରେ ଶିମିଳିପାଳ ଅଭୟାରଣ୍ୟର ପ୍ରକୃତିକ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ୧୩ ଗୋଟି ଗାଡିରେ ପ୍ରାୟ ୭୦ ରୁ ଉର୍ଦ୍ଧ ପର୍ଯ୍ୟଟକ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଛନ୍ତି। ପର୍ଯ୍ୟଟନ ଋତୁରେ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ କେବଳ ମୟୁରଭଞ୍ଜ କି ଓଡ଼ିଶା ନୁହେଁ ଓଡ଼ିଶା ବାହାରୁ ମଧ୍ୟ ସୁଅ ଛୁଟିଛି ପର୍ଯ୍ୟଟକଙ୍କ । ପ୍ରଥମ ଦିନରେ ଶିମିଳିପାଳ ଅଭୟାରଣ୍ୟ କୁ ପ୍ରବେଶ କରି ପର୍ଯ୍ୟଟକ ମାନେ ମଧ୍ୟ ବେସ ଉତ୍ସାହିତ। ୨୭୫୦ ବର୍ଗ କିଲୋମିଟର ବ୍ୟାପୀ ଶିମିଳିପାଳରେ ରହିଛି ଅନେକ ଜଳପ୍ରପାତ, ବନ୍ୟଜନ୍ତୁ ଦେଖିବାର ମଜା ତା ସହିତ ଅଭୟାରଣ୍ୟର ଐସର୍ଗିକ ସୌନ୍ଦର୍ଯ୍ୟ। ଏଇ ପର୍ଯ୍ୟଟନ ଋତୁରେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଯିବାପାଇଁ ସକାଳ ୬ଟାରୁ ସକାଳ ୯ଟା ଯାଏଁ ପ୍ରବେଶ ନିମନ୍ତେ ବାରିପଦା ପୀଠାବଟା ତନଖି ଫାଟକ ଦେଇ ୨୫ଟି ଏବଂ ଯଶୀପୁର କାଳିଆଣୀ ତନଖି ଫାଟକ ଦେଇ ୩୫ ଟି ଗାଡ଼ି ଭିତରକୁ ପ୍ରବେଶ କରିବାର ଅନୁମତି ରହିଥିବାବେଳେ ଆଜି ପ୍ରଥମ ଦିନରେ ବାରିପଦା ପିଠାବଟା ତନଖି ଫାଟକ ଏବଂ ଯଶିପୁର କାଳିଆଣୀ ତନଖି ଫାଟକ ଦେଇ ମୋଟ ୧୩ଟି ଗାଡିରେ ୭୦ ରୁ ଉର୍ଦ୍ଧ ପର୍ଯ୍ୟଟକ ପ୍ରବେଶ କରିଛନ୍ତି ଶିମିଳିପାଳ ମଧକୁ । ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି।ପର୍ଯ୍ୟଟକଙ୍କ ପାଇଁ ମଧ୍ୟ କୁମାରୀ, ରାମତୀର୍ଥ, ଗୁଡ଼ୁଗୁଡ଼ିଆ ଓ ଜାମୁଆଣୀରେ ଥିବା ଯାତ୍ରୀ ନିବାସ ଗୁଡିକରେ ରାତ୍ରୀଯାପନର ବ୍ୟବସ୍ଥା ରହିଛି।ଯାହାକି ଅଗ୍ରୀମ ଦେୟ ପୈଠକରି କେବଳ ଅନଲାଇନରେ ସଂରକ୍ଷଣ କରିବାକୁ ପଡ଼ିବ।ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଚଳିତ ବର୍ଷ ଯଶିପୁର ଠାରେ ନୂତନ କରି ଖଇରୀ ବାଘୁଣୀ ନେଇ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି। ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଖାଦ୍ୟ, ଚାହା ,ପାନ ସହିତ ଆଦିବାସୀ ଖାଦ୍ୟର ମଧ୍ୟ ମଜା ଉଠାଇପାରିବେ ପର୍ଯ୍ୟଟକ।ସେହିଭଳି ଅଭୟାରଣ୍ୟକୁ ମାଦକ ଦ୍ରବ୍ୟ, ପ୍ଲାଷ୍ଟିକ ଓ ପଲିଥିନ ନେବା ଉପରେ କଟକଣା ଜାରି କରାଯାଇଛି।ତତ୍ ସହିତ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଗାଇଡ୍ ନେବାକୁ ବ୍ୟବସ୍ଥା ମଧ୍ୟ ହୋଇଛି।