ଶିମିଳିପାଳ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶିମିଳିପାଳ ଫେରିଲା ବାଘୁଣୀ ଜୀନତ । ଦୀର୍ଘଦିନର ଲୁଚକାଳୀ-ଛକାପଞ୍ଝା, ବାଦବିବାଦ ପରେ ଓଡ଼ିଶା ଫେରିଛି ମରାଠା ବାଘୁଣୀ ଜୀନତ । ବୁଧବାର ଶିମିଳିପାଳ ପହଞ୍ଚିବା ପରେ ଯମୁନା ରହୁଥିବା ଏନକ୍ଲୋଜରକୁ ବାଘୁଣୀ ଜୀନତକୁ ଛଡା ଯାଇଛି । ଜୀନତ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସହ ଏନକ୍ଲୋଜର ଭିତରେ ଚଳପ୍ରଚଳ କରୁଛି । ପାଣିରେ ଖେଳୁଥିବା ଦେଖିବାକୁ ମିଳିଥିଲା । ଏଥିସହ ଜୀନତର ଗତିବିଧି ଉପରେ ପୂରା ନଜର ରଖାଯାଇଛି । ବୁଧବାର ଭୋରରୁ ଜୀନତକୁ ପିଞ୍ଜରାରେ ନେଇ ପହଞ୍ଚିଥିଲେ ବନବିଭାଗର ସ୍ବତନ୍ତ୍ର ଟିମ । ତେବେ ଦକ୍ଷିଣ ଶିମିଳିପାଳ ଡିଭିଜନର ଜେନାବିଲ ରେଞ୍ଜରେ ପ୍ରସ୍ତୁତ ସ୍ବତନ୍ତ୍ର ଏନକ୍ଲୋଜରରେ ବାଘୁଣୀ ଜୀନତକୁ ଛଡାଯାଇଛି । ସେଠାରେ ବାଘୁଣୀ ଜୀନତର ଗତିବିଧି ଉପରେ ନଜର ରଖିଛି ବନବିଭାଗ । ଦୀର୍ଘ ଧରି ଧରାଛୁଆଁ ଦେଉନଥିବା ବାଘୁଣୀ ଜୀନତ ଗତ 29ରେ ପଶ୍ଚିମବଙ୍ଗର ବାଙ୍କୁଡା ରାଣୀବନ୍ଧ ଜଙ୍ଗଲରେ ଟ୍ରାଙ୍କୁଲାଇଜ କରାଯାଇଥିଲା । ସ୍ବାସ୍ଥୟବସ୍ଥା ସାମାନ୍ୟ ହେବା ପାଇଁ କଲିକତା ସ୍ଥିତ ଆଲୀପୁର ଚିଡିଆଖାନାରେ ରଖାଯାଇଥିଲା । ସେଠାରେ ଦୁଇ ଦିନ ଧରି ଜୀନତର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ପଶ୍ଚିମବଙ୍ଗ ବନବିଭାଗ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ଜୀନତକୁ ହସ୍ତାନ୍ତର କରିଥିଲେ ।
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି, ‘ଗତକାଲି ଜୀନତକୁ ଆଣିଲୁ, ଆଜି ସ୍ବତନ୍ତ୍ର ଏନକ୍ଲୋଜରରେ ଛଡାଯାଇଛି । ତାହାର ଗତିବିଧି ଦେଖିକି, ଆମର କମିଟି ଗୋଟିଏ ରହିଛି । ସେହି କମିଟି ନିଷ୍ପତ୍ତି ନେବ । ଜୀନତ ଯେଉଁ ଯାଇଥିଲା ତାହାକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବୁ । ଜୀନତ ଏବେ ସୁସ୍ଥ ଅଛି । ଏନକ୍ଲୋଜର ଭିତରେ ଚଳପ୍ରଚଳ କରୁଛି ।’