ସେବେ ପ୍ରେମ ଏବେ ଦାବି : ନବୀନ ନିତୀ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ୨୦୨୫-୨୬ କେନ୍ଦ୍ର ବଜେଟରେ ଓଡ଼ିଶାର ଯଥାର୍ଥ ଦାବିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି ବୋଲି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହାସହିତ କେନ୍ଦ୍ର ବଜେଟରେ ଯୁବପୀଢ଼ୀଙ୍କୁ ନିଯୁକ୍ତି ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିକୁ ରୋକିବା ପାଇଁ କୌଣସି ମାର୍ଗ ବାହାର କରାଯାଇନି ବୋଲି କହିଛନ୍ତି । କେନ୍ଦ୍ର ବଜେଟକୁ ନବୀନଙ୍କ ସମାଲୋଚନା ତାଙ୍କର ଦୋମୁହାଁ ନୀତିକୁ ଏବେ ପଦାରେ ପକାଇ ଦେଇଛି । ଦୀର୍ଘ ଏକ ଦଶନ୍ଧି ଧରି କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ ଉପରେ ପଡ଼ି ବିଭିନ୍ନ ପ୍ରସଙ୍ଗ ଓ ବିଲରେ ସମର୍ଥନ ଦେବା ଓ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦୁଇଦୁଇଥର ରାଜ୍ୟସଭା ନିର୍ବାଚନରେ ସମର୍ଥନ ଦେବାବେଳେ କାହିଁକି ଓଡ଼ିଶା ପାଇଁ ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି’କୁ ହାସଲ କରିଲେ ନାହିଁ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି । ସେତେବେଳେ କେଉଁ ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କୁ ଏଭଳି ଅଯାଚିତ ପ୍ରେମ ଅଜାଡୁଥିବା ନବୀନ ଏବେ ଏସବୁ ଦାବି ରଖୁଛନ୍ତି ତାକୁ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟର ପ୍ରମୁଖ ବିରୋଧୀ ଦଳର ସର୍ବୋଚ୍ଚ ନେତା ହୋଇ ମଧ୍ୟ ସେ ବଜେଟ ଉପରେ ପ୍ରତିକ୍ରିୟା ଦେବା ପାଇଁ ଗଣମାଧ୍ୟମ ଆଗକୁ ଆସିବାକୁ ଉଚିତ୍ ନମଣି ନବୀନ ନିଜର ‘ଏକ୍ସ’ ମାଧ୍ୟମରେ କେନ୍ଦ୍ରୀୟ ବଜେଟ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଦେଶର ଯୁବପୀଢ଼ୀ ପାଇଁ ଏବେ ନିଯୁକ୍ତିର ଅତ୍ୟନ୍ତ ଆବଶ୍ୟକତା ରହିଛି ଓ ସାଧାରଣ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ନେଇ ଅତିଷ୍ଟ ହୋଇପଡ଼ିଛନ୍ତି । ଦୁର୍ଭାଗ୍ୟର କଥା, ଦେଶ ଆଗରେ ଏବେ ଏହି ଦୁଇଟି ଯାକ ପ୍ରମୁଖ ସମସ୍ୟାର ସମାଧାନ ଦିଗରେ ୨୦୨୫ ବଜେଟରେ କୌଣସି ସମାଧାନ ନାହିଁ । ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ସେଥିପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ଯଥାର୍ଥ ଦାବି କରିଆସୁଛି । ବଜେଟରେ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ସ୍ୱତନ୍ତ୍ର ପ୍ରାବଧାନ ଥିବାବେଳେ ଓଡ଼ିଶାର ପ୍ରକୃତ ଦାବିକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅଣଦେଖା କରିଦେଇଛନ୍ତି ବୋଲି ନବୀନ ତାଙ୍କ ପ୍ରତିକ୍ରିୟାରେ ଦର୍ଶାଇଛନ୍ତି ।

 

ତେବେ ପ୍ରଶ୍ନ ଉଠୁଛି, ନବୀନଙ୍କ ଦଳ ରାଜ୍ୟରେ କ୍ଷମତାରେ ଥିବାବେଳେ ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା’ ଦାବି ହାସଲ ନିମନ୍ତେ କେନ୍ଦ୍ର ସରକାରଙ୍କ ସହ କେବେ ରାଜନୀତିକସ୍ତରରେ ଯଥାର୍ଥ ଦାବି ଉପସ୍ଥାପନ କରିଛନ୍ତି କି? କେନ୍ଦ୍ର ସରକାରଙ୍କୁ ବିଭିନ୍ନ ବିଲ୍ ଓ ପ୍ରସଙ୍ଗରେ ବିଜେଡି ସମର୍ଥନ ଦେବା ହେଉ ଅବା ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ ଦୁଇଦୁଇଥର ସମର୍ଥନ ଦେବାବେଳେ ନବୀନ ଏହି ଦାବିକୁ କାହିଁକି ହାସଲ କଲେ ନାହିଁ ବୋଲି ପ୍ରଶ୍ନଉଠିଛି । ଏହାହିଁ ନବୀନଙ୍କ ଦୋମୁହାଁ ନୀତି ଓ ଓଡ଼ିଶା ପ୍ରତି କୁମ୍ଭୀରକାନ୍ଦଣାକୁ ପ୍ରମାଣିତ କରାଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here