ମାଁ ତାରାତାରିଣୀଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ

0

ତାରାତାରିଣୀ ( ବିପ୍ଲବୀ ପରିକ୍ରମା ):- ମଙ୍ଗଳବାର ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାଁ ତାରାତାରିଣୀଙ୍କ ପୀଠରେ ମଧ୍ୟ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ପବିତ୍ର ମୂଳାଷ୍ଟମି ଠାରୁ ମାଁ ତାରାତାରିଣୀଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ପରମ୍ପରା ରହିଆସିଛି । ମଙ୍ଗଳବାର ସନ୍ଧ୍ୟାରେ ଋଷିକୂଲ୍ୟା ନଦୀରୁ ମନ୍ଦିର ସେବାୟତ ପରିବାରର ମହିଳା ମାନେ ସହସ୍ରାଧିକ ମାଠିଆରେ ପାଣି ଧରି ପାହାଚ ଚଢ଼ି ମନ୍ଦିରରେ ପହଞ୍ଚିବା ପରେ ମାଁଙ୍କୁ ସେବାୟତ ମାନଙ୍କ ଦ୍ବାରା ସ୍ନାନ କରାଯାଇଥିଲା । ଏହାପରେ ମାଁଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥିବା ବେଳେ ଭକ୍ତ ମାନଙ୍କୁ ମାଁ ଦର୍ଶନ ଦେଇଥିଲେ । ମାଁଙ୍କ ସ୍ନାନ ଦେଖିବା ସହ ଷୋଡ଼ଶ ଉପଚାର ପୂଜା ଦେଖି ଭକ୍ତମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

ରାଜ୍ୟରେ ରହିଥିବା ପ୍ରମୁଖ ଶକ୍ତିପୀଠରୁ ଅନ୍ୟତମ ହେଉଛି ଗଞ୍ଜାମ ଜିଲ୍ଲାର ମାଁ ତାରାତାରିଣୀଙ୍କ ପୀଠ । ମାଁ ତାରାତାରିଣୀଙ୍କ ପୀଠାରେ ମଙ୍ଗଳବାର ସଂଧ୍ୟାରେ ଆରମ୍ଭ ହୋଇଛି ମାଁଙ୍କ ଷୋଡ଼ଶ ଉପଚାର ପୂଜା । ପୂଜାର ପ୍ରଥମ ଦିନରେ ମଙ୍ଗଳବାର ସନ୍ଧ୍ୟାରେ ମନ୍ଦିରର ସେବାୟତ ଓ ସେବାୟତଙ୍କ ପରିବାରର ମହିଳା ମାନେ ଋଷିକୂଲ୍ୟା ନଦୀ ନାକଟରେ ପହଞ୍ଚିଥିଲେ । ସେଠାରେ ଋଷିକୂଲ୍ୟା ନଦୀକୁ ରୀତିନୀତି ଅନୁଯାୟୀ ପୂଜା କରାଯାଇଥିଲା । ଏହାପରେ ସେବାୟତ ପରିବାରର ମହିଳା ମାନେ ସହସ୍ରାଧିକ ମାଠିଆରେ ନଦୀରୁ ପାଣି ସଂଗ୍ରହ କରିଥିଲେ । ନଦୀ ନିକଟରେ ପୂଜା ସରିବା ପରେ ମହିଳା ମାନେ ମୁଣ୍ଡରେ ମାଠିଆ ଧରି ୯୯୯ ପାହାଚ ଚଢ଼ି ମାଁଙ୍କ ମନ୍ଦିରରେ ପହଞ୍ଚିଥିଲେ । ଏହାପରେ ମାଁଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ମନ୍ଦିର ପରିସରରେ ରହିଥିବା ସ୍ନାନ ମଣ୍ଡପକୁ ମାଁ ଙ୍କୁ ଅଣାଯାଇଥିଲା । ସେଠାରେ ମାଁ ଙ୍କୁ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରିବା ପରେ ମାଁ ଙ୍କୁ ସ୍ନାନ କରାଯାଇଥିଲା ।

ଏହାପରେ ପୁଣିଥରେ ସ୍ନାନ ମଣ୍ଡପରୁ ମାଁଙ୍କୁ ମୁଖ୍ୟ ମନ୍ଦିରକୁ ନିଆଯାଇଥିଲା । ମା ଶୟନକୁ ଚାଲି ଯାଇଥିଲେ, ଆଜି ମାଁଙ୍କ ଉତଥାପନା ହୋଇଛି । ଏଣୁ ମାଁଙ୍କ ଏଭଳି ଷୋଡ଼ଶ ଉପଚାର ପୂଜାରେ ନିଜକୁ ସାମିଲ କରି ନଦୀ ପାଣି ମଣ୍ଡରେ ଧରି ମାଙ୍କୁ ଜଳଲାଗି କରିଥିବା ଯୋଗୁଁ ବେଶ ଖୁସି କହିଛନ୍ତି ସେବାୟତ ପରିବାରର ମହିଳାମାନେ । ଯାହାଫଳରେ ମନ୍ଦିରରେ ଲାଗିଥିଲା ଭକ୍ତ ମାନଙ୍କର ପ୍ରବଳ ଭିଡ଼ । ମା’ଙ୍କ ସ୍ନାନ ଦେଖିବା ସହ ମାଁ ଙ୍କୁ ଦର୍ଶନ କରି ବେଶ ଖୁସି ଥିବା କହିଛନ୍ତି ଭକ୍ତ ।

ମାଁଙ୍କ ସ୍ନାନ ମଣ୍ଡପରେ ସ୍ନାନ କରାଯିବା ପରେ ମନ୍ଦିର ଭିତରେ ପୁଣିଥରେ ମହାସ୍ନାନ କରାଯାଇଥିଲା । ଏହାପରେ ପୂଜାର ପ୍ରଥମ ଦିନରେ ବିଭିନ୍ନ ରୀତିନୀତି ଅନୁସାରେ ମାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ମୂଳାଷ୍ଟମି ଠାରୁ ମହାଷ୍ଟମି ପର୍ଯ୍ୟନ୍ତ ମାଁ ତାରାତାରୀଣିଙ୍କ ପୀଠରେ ପ୍ରତ୍ୟହ ଚଣ୍ଡିପାଠ, ହୋମ, ଯଜ୍ଞ ସହ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେବ । ଷୋଡ଼ଶ ଉପଚାର ପୂଜା ସମୟରେ ମାଁ ଙ୍କୁ ଦର୍ଶନ କଲେ ସମସ୍ତ ଦୁଃଖ ଲାଘବ ହୁଏ ବୋଲି ଭକ୍ତମାନଙ୍କର ଯେଉଁ ଅଗାଢ ବିଶ୍ବାସ ରହିଛି ତାକୁ ମାଁ ପୂରଣ କରିଥାନ୍ତି ବୋଲି କହିଛନ୍ତି ଶ୍ରୀଅଙ୍ଗ ଲାଗି ସେବାୟତ । ସେପଟେ ଷୋଡଶ ଉପଚାର ପୂଜା ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବେଳେ ମାଁଙ୍କୁ ଦର୍ଶନ କରିବା ନିମନ୍ତେ ବର୍ତ୍ତମାନ ଭକ୍ତଙ୍କ ଭିଡ ଲାଗିବ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାସହିତ ଶାନ୍ତିଶୃଙ୍ଖଳା ଦର୍ଶନ ନିମନ୍ତେ କିଛି ପୋଲିସ ମଧ୍ୟ ମନ୍ଦିର ପରିସରରେ ମୁତୟନ ହୋଇଛନ୍ତି । ସମସ୍ତ ବିଭାଗର‌ ସହଯୋଗରେ ପୂଜା ଶେଷ ହେବ ବୋଲି ଆଶା ରଖାଯାଇଥିବା କହିଛନ୍ତି ମନ୍ଦିର ପରିଚାଳନା କମିଟି ।

ପବିତ୍ର ମୁଳାଷ୍ଟମି ଠାରୁ ମହାଷ୍ଚମି ପର୍ଯ୍ୟନ୍ତ ମାଁ ତାରାତାରୀଣିଙ୍କ ପୀଠରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ପୂଜା । ଆଉ ମାଁଙ୍କ ଏହି ୧୬ ଦିନାତ୍ମକ ପୂଜାକୁ ଦେଖିବା ନିମନ୍ତେ ଜିଲ୍ଲା ଓ ରାଜ୍ୟ ବାହରରୁ ମଧ୍ୟ ଭକ୍ତଙ୍କ ଭିଡ଼ ଲାଗିବ ।

LEAVE A REPLY

Please enter your comment!
Please enter your name here