ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଫଟୋ ଓ ଭିଡିଓ । ଏଥର ସିଧା ଗର୍ଭଗୃହର ଫଟୋ ଓ ଭିଡିଓ ଭାଇରାଲ ହୋଇଛି । ଭାଇରାଲ ଭିଡିଓରେ ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବସ୍ଥାନ ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି । କେବଳ ଗର୍ଭଗୃହ ନୁହେଁ ବରଂ 22 ପାହଚ, ଭିତରବେଢା ଓ ମନ୍ଦିର ଅନେକ ସମ୍ବେଦନଶୀଳ ସ୍ଥାନରେ ଭିଡିଓ ଉତ୍ତୋଳନ କରାଯାଇଛି । ଏହି ଫଟୋ ଓ ଭିଡିଓକୁ ବାଙ୍କ ବିହାରୀ ଅନନ୍ତ ନାମକ ଜଣେ ବ୍ୟକ୍ତି ନିଜ ଇନଷ୍ଟାଗ୍ରାମ ଓ ଫେସବୁକରେ ଅପଲୋଡ କରିଛନ୍ତି । ଯାହାକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ଶନିବାର ରାତିରେ ଏହି ବ୍ୟକ୍ତି ଜଣକ ନିଜ ଇନଷ୍ଟାଗ୍ରାମ ଓ ଫେସବୁକ ପେଜରେ ଏହି ଭିଡିଓ ଅପଲୋଡ଼ କରିଛନ୍ତି । ଭାଇରାଲ ଭିଡିଓରେ ମନ୍ଦିରର ବିଭିନ୍ନ ଆଭ୍ୟନ୍ତରୀଣ ସ୍ଥାନ ରହିଛି । ସିଂହଦ୍ବାର, ବାଇଶି ପାହାଚ, ଭିତରବେଢା ସମେତ ସିଧା ଗର୍ଭଗୃହ ଓ ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଅବସ୍ଥାନ ମଧ୍ୟ ଭିଡିଓରେ ରେକର୍ଡ କରାଯାଇଛି । ତେବେ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏହି ବ୍ୟକ୍ତି ଜଣକ ମୋବାଇଲ୍ ଫୋନ୍ କିଭଳି ନେଲେ ଏବଂ ସମ୍ବେଦନଶୀଳ ଗର୍ଭଗୃହ ଓ ଭିତରବେଢ଼ାରେ କିପରି ଭିଡିଓ ଉତ୍ତୋଳନ କରିବାକୁ ସକ୍ଷମ ହେଲେ, ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ସେହିପରି ଶ୍ରୀମନ୍ଦିର ଭିତରେ ଶ୍ରୀମନ୍ଦିର ପ୍ରଶାସନର ମାଳ ମାଳ କର୍ମଚାରୀ, ସେବାୟତ, ଜଗନ୍ନାଥ ମନ୍ଦିର ପୋଲିସ (ଜେଟିପି) ଉପସ୍ଥିତ ରହୁଥିବା ସତ୍ତ୍ବେ ମଧ୍ୟ ଏପରି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।