ରାଜ୍ୟ କଂଗ୍ରେସର ଟିକେଟ୍ କସରତ 

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- କଂଗ୍ରେସ ଟିକେଟ ଆବେଦନର ଆଜି ହେଉଛି ଶେଷ ଦିନ । ଏ ନେଇ ରାଜ୍ୟ ଅତିଥି ଭବନରେ କଂଗ୍ରେସ କରିଛି ବଡ଼ କସରତ। ଦଳ କହିଛି, ଗ୍ରାଉଣ୍ଡରେ ପ୍ରଦର୍ଶନ ଭିତ୍ତିରେ ଦିଆଯିବ ଟିକେଟ୍‌ ।ଗ୍ରାଉଣ୍ଡରେ କାହାର ପ୍ରଦର୍ଶନ ଭଲ ? କେଉଁ ପ୍ରାର୍ଥୀ ଦେଇପାରିବେ ବିଜେଡି-ବିଜେପିକୁ ଫାଇଟ୍ । ରାଜ୍ୟ ଅତିଥି ଭବନରେ ଆଶାୟୀ ପ୍ରାର୍ଥୀଙ୍କ ପରୀକ୍ଷା ନେଇଛନ୍ତି ପ୍ରଭାରୀ ଅଜୟ କୁମାର। ଜଣକ ପରେ ଜଣେ ଆଶାୟୀଙ୍କୁ ଭେଟି ପ୍ରଦର୍ଶନ ରିପୋର୍ଟ ଦେବାକୁ କହିଛନ୍ତି । ଏଥିପାଇଁ ଉଦ୍ଦିଷ୍ଟ ଫର୍ମ ପୂରଣ କରିଛନ୍ତି ଆଶାୟୀମାନେ ।

ଆଶାୟୀ ପ୍ରାର୍ଥୀଙ୍କ ଭିତରେ ଚର୍ଚ୍ଚାରେ ଅଛନ୍ତି ବରିଷ୍ଠ କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭଙ୍କ ପୁଅ ପୃଥ୍ବୀବଲ୍ଲଭ, ନବରଙ୍ଗପୁର ଜିଲ୍ଲା ଡାବୁଗାଁର ପୂର୍ବତନ ବିଧାୟକ ଭୂଜବଳ ମାଝୀଙ୍କ ଝିଅ ଲିପିକା ଏବଂ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର । ଏହି ୪ ଜଣଙ୍କୁ ଗ୍ରୀନ୍ ସିଗନାଲ ମିଳିଥିବା ଚର୍ଚ୍ଚା ହେଉଛି । ସେପଟେ ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରାର ପ୍ରଭାବ ପଡ଼ିଛି ପଶ୍ଚିମ ଓଡ଼ିଶାରେ । ଲୋକପ୍ରିୟ ଓଲିଉଡ୍ ଅଭିନେତା ମନୋଜ ମିଶ୍ର କଂଗ୍ରେସରେ ଯୋଗ ଦେଇଛନ୍ତି । ସିନେମା ମାଇଣ୍ଡ ଗେମ୍କୁ ନେଇ ବିବାଦ ଘେରରେ ଛନ୍ଦି ହୋଇଥିବା ମନୋଜ ମିଶ୍ର, ପ୍ରଭାରୀ ଅଜୟ କୁମାର, ନରସିଂହ ମିଶ୍ର ଓ ପିସିସି ସଭାପତିଙ୍କ ଉପସ୍ଥିତିରେ ହାତ ଧରିଛନ୍ତି। ଅନ୍ୟପଟେ ୧୪୭ ବିଧାନସଭା ଆସନ ପାଇଁ ୨୫୦୦ରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି ।

ସେହିପରି ଲୋକସଭା ଟିକେଟ ପାଇଁ ୫୦୦ରୁ ଅଧିକ ଆଶାୟୀ ଅନଲାଇନରେ ଆବେଦନ କରିଥିବା ସୂଚନା ମିଳିଛି ।ଟିକେଟ ପାଇଁ ଦଳର ବରିଷ୍ଠ ନେତାଙ୍କ ସମେତ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ, ଡାକ୍ତର ଓ ଇଂଜିନିୟର ଆବେଦନ କରିଥିବା ପିସିସି ସଭାପତି କହିଛନ୍ତି । ରାଜ୍ୟ କଂଗ୍ରେସ ଫାଇନାଲ ଲିଷ୍ଟ ପ୍ରସ୍ତୁତ କରିବା ପରେ ସ୍କ୍ରିନିଂ କମିଟିକୁ ପଠାଯିବ । ଶେଷରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ ଏଆଇସିସି ।

LEAVE A REPLY

Please enter your comment!
Please enter your name here