ସ୍ଵେଚ୍ଛାକୃତ ଅବସର ଆବେଦନକୁ ରାଜ୍ୟ ସରକାର ଖାରଜ କରିବା ବେଆଇନ : ହାଇକୋର୍ଟ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ମେଡିକାଲ କଲେଜ ପ୍ରଫେସରଙ୍କ ସ୍ବେଚ୍ଛାକୃତ ଅବସର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ଓଡିଶା ହାଇକୋର୍ଟ । ସେହିପରି ତିନି ମାସର ନୋଟିସ୍ ଅବଧି ସଂପୂର୍ଣ୍ଣ ହେବା ତାରିଖରୁ ଆବେଦନକାରୀଙ୍କ ଭିଆରଏସ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୩, ଡିସେମ୍ବର ୨୭ରେ ଆବେଦନକାରୀ ଭିଆରଏସ ପାଇଁ ନୋଟିସ୍ ଦେଇଥିବା ବେଳେ ତିନି ମାସର ଅବଧି ଶେଷ ହେବା ଦିନ ଠାରୁ ଅର୍ଥାତ ୨୦୨୪, ମାର୍ଚ୍ଚ ୨୭ରୁ ନିଯୁକ୍ତିଦାତା ରାଜ୍ୟ ସରକାର ଓ କର୍ମଚାରୀ ଆବେଦନକାରୀଙ୍କ ମଧ୍ୟରେ ସଂପର୍କର ଅନ୍ତ ଘଟିଛି । ଯଦି ଏହି ତାରିଖ ପରେ ଆବେଦନକାରୀ ନିଜ ଦାୟିତ୍ବ ସଂପାଦନ କରିଥାନ୍ତି ତେବେ ତାଙ୍କୁ ଏହି ଅବଧି ପାଇଁ ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଏଥି ସହିତ ତିନି ମାସ ମଧ୍ୟରେ ଆବେଦନକାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ଓ ପେନସନ୍ ପ୍ରଦାନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ରବି ନାରାୟଣ ଧରଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି । କେବଳ ସେତିକି ନୁହେଁ, ଚାକିରିରୁ ‌ଭିଆରଏସ ନେବା ପାଇଁ ଆବେଦନକାରୀ ଦାଖଲ କରିଥିବା ଦରଖାସ୍ତ ଖାରଜ କରି ସରକାର ପ୍ରଦାନ କରିଥିବା ନିର୍ଦ୍ଦେଶ ବେଆଇନ ବୋଲି ହାଇକୋର୍ଟଙ୍କ ରାୟରେ କହିଛନ୍ତି ।

 

ସୂଚନା ପ୍ରକାରେ,ସରକାରୀ ମେଡିକାଲରେ ଡାକ୍ତରଙ୍କ ଅଭାବକୁ ଦୃଷ୍ଟିରେ ରଖି ଆବେଦନକାରୀଙ୍କ ସ୍ବେଚ୍ଛାକୃତ ଅବସର ଦରଖାସ୍ତକୁ ସରକାର ୨୦୨୪, ଫେବ୍ରୁଆରୀ ୮ରେ ଖାରଜ କରିଥିଲେ । ଏନେଇ ପିଜିଆଇଏମଇଆର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ୨୦୨୪, ଫେବ୍ରୁଆରୀ ୯ରେ ଆବେଦନକାରୀଙ୍କୁ ଅବଗତ କରିଥିଲେ । ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଓସିଏସ ପେନସନ ନିୟମାବଳୀ ଅନୁସାରେ ଯଦି ଜଣେ ୨୦ବର୍ଷ କାର୍ଯ୍ୟକାଳ ସଂପୂର୍ଣ୍ଣ କରିଥିବେ ତେବେ ତାଙ୍କୁ ସ୍ବେଚ୍ଛାକୃତ ଅବସର ପାଇଁ ମନା କରାଯାଇ ପାରିବ ନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ପାର୍ଥନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here