କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅନ୍ତର୍ଗତ କଳିଙ୍ଗ ଶିବ ମନ୍ଦିର ନିକଟରେ ଶନିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ବଲାଣି ଅଭିମୁଖେ ଯାଉଥିବା ଏକ ବେପରୁଆ ହାଇୱା ଟିଉସନରୁ ଘରକୁ ଫେରୁଥିବା ଜଣେ +2 ଛାତ୍ର ବୁଦ୍ଧାଦିତ୍ୟ ନାଏକଙ୍କୁ ଧକ୍କା ଦେବା ସହ ଘୋଷାଡି ନେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଏହା ସହିତ ଚାଳକ ଗାଡି ଭିତରେ ଫସି ରହିଥିବା ବେଳେ ସ୍ଥାନୀୟ ଲୋକେ ବଡବିଲ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସେଠାରୁ ହାଇୱା ଚାଳକକୁ ଉଦ୍ଧାର କରିଥିଲେ ।
ସୂଚନା ପାଇଁ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର ବଡବିଲ ମେଡିକାଲ ପଠାଇ ତଦନ୍ତ ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ସ୍ଥାନୀୟ ଲୋକେ ଉପଯୁକ୍ତ କ୍ଷତିପୂରଣ ଦାବିରେ ଦୀର୍ଘ ସମୟ ଧରି ବଡବିଲ-ବଲାଣି ରାସ୍ତା ଅବରୋଧ କରି ରଖିଥିଲେ। ବଡବିଲ ଅତିରିକ୍ତ ତହସିଲଦାର ଶ୍ରୀ ବିଶ୍ୱଜିତ୍ ଦଳେଇ, ଏସଡିପିଓ ଶ୍ରୀ ଦେବେନ୍ଦ୍ର ପିଙ୍ଗୁଆ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ସତ୍ତ୍ୱେ ଲୋକେ ରାସ୍ତା ଛାଡ଼ି ନ ଥିଲେ।
ପରେ ରାତିରେ ଅନେକ ପ୍ରତିଶ୍ରୁତି ଦେବାରୁ ଲୋକେ ରାସ୍ତା ଅବରୋଧ ହଟାଇ ଥିଲେ। ଅନ୍ୟ ପକ୍ଷରେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ+2 ଛାତ୍ରଙ୍କ ମୃତ୍ୟୁ ଖବର ପାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥି ସହିତ ଆଜି ସକାଳୁ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପାଇଁ ସମବେଦନା ଜଣାଇବା ସହ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଥିବା ସୂଚନା ମିଳିଛି।