ସିୟୁଟିଏମ୍ ରେ ଛାତ୍ର ଅସନ୍ତୋଷ, ପୋଲିସକୁ ମାରପିଟ !

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ତଥା ଗୋଷାଣି ବ୍ଲକ ଆର୍.ସୀତାପୁର ଗ୍ରାମ ନିକଟରେ ଥିବା ସେଞ୍ଚୁରିୟନ ବିଶ୍ବ ବିଦ୍ୟାଳୟରେ କୌଣସି କାରଣକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବାର ଜଣାପଡିଛି । ଗତକାଲି ବିଳମ୍ବିତ ରାତ୍ର ସମୟରେ ଛାତ୍ରମାନେ ଉତ୍ତେଜିତ ହୋଇ କ୍ୟାମ୍ପସ ମଧ୍ୟରେ ହାଙ୍ଗାମା କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ ରାତ୍ର ସମୟରେ ଛାତ୍ରମାନେ ସଂଘବଦ୍ଧ ହୋଇ ସିୟୁଟିଏମ୍ କ୍ୟାମ୍ପସରେ ହୋ ହାଲ୍ଲା କରୁଥିଲେ । ତେବେ ଏପରି କାହା ବିରୋଧରେ ଅସନ୍ତୋଷ ପ୍ରକଟ କରୁଥିଲେ ସ୍ପଷ୍ଟ ଭାବେ ଜଣାପଡି ନଥିଲେ ମଧ୍ୟ ଗୁରାଣ୍ଡି ପୋଲିସକୁ ଖବର ଦିଆଯାଇଥିଲା ।

ଘଟଣା ସ୍ଥଳରେ ଗୁରାଣ୍ଡି ପୋଲିସ ପହଞ୍ଚି ଆୟତ୍ତ କରିବା ପାଇଁ ଶେଷ୍ଠ କରୁଥିବା ବେଳେ କେତେକ ବାହାର ରାଜ୍ୟ ଅଣ ଓଡିଆ ଛାତ୍ରମାନେ ପୋଲିସ ସହ ଧସ୍ତାଧସ୍ତି ହେବା ସହ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏହାପରେ ପାରଳାଖେମୁଣ୍ଡି ଠାରୁ ପୋଲିସ୍ ଫୋର୍ସ ପହଞ୍ଚି ଉତ୍ତେଜିତ ଛାତ୍ରଙ୍କୁ ବୁଝାସୁଝା କରିଥିଲେ । ହେଲେ କୌଣସି କାରଣରୁ ଉତ୍ତେଜିତ ଥିବା ଛାତ୍ରମାନେ ପଛଘୁଞ୍ଚା ଦେଇନଥିଲେ ମଧ୍ୟ ପୋଲିସ ଘୋଡାଇବାରୁ ସେମାନେ ନିଜ ନିଜ କ୍ୟାମ୍ପସ ମଧ୍ୟକୁ ଯାଇଥିଲେ । ଏପରି କି କିଛି ଛାତ୍ର ପୋଲିସ ମାଡ ମାରିଥିବାର କହି ଭିଡିଓ ଭାଇରାଲ କରିଛନ୍ତି । ତେବେ ଏନେଇ ସିୟୁଟିଏମ୍ କର୍ତ୍ତୃପକ୍ଷ ସାଧାରଣ ବଚସା ହୋଇଥିବା କହୁଥିଲା ବେଳେ ପୋଲିସ ଘଟଣାର ଅନୁଧ୍ୟାନ କରୁଥିବା କହିଛି । ଆଜି ମଧ୍ୟ ସିୟୁଟିଏମ୍ ପରିସରରେ ବ୍ୟାପକ ପୋଲିସ ମୁତୟନ ହୋଇଥିବାର ଦେଖିବାକୁ ମିଳିଛି ।

ଅନ୍ୟପକ୍ଷରେ ଏହି ଛାତ୍ରମାନେ କାହା ବିରୁଦ୍ଧରେ ସ୍ୱର ଉତ୍ତାଳନ କରୁଥିଲେ, କାହିଁକି ଅଧାରାତ୍ରରେ କ୍ୟାମ୍ପସରେ ହାଙ୍ଗାମା କରୁଥିଲେ ତାର କୌଣସି ସଠିକ ଉତ୍ତର କାହାରି ପାଖରେ ନାହିଁ । ହେଲେ ଉତ୍ତେଜିତ ଛାତ୍ରଙ୍କ ଦ୍ବାରା ମାଡ ଖାଇଥିବା ପୋଲିସ କଣ ପଦକ୍ଷେପ ଗ୍ରହଣ କରୁଛି ନାଁ ଚୁପ ରହୁଛି ତାହା ପରବର୍ତୀ ସମୟରେ ସ୍ୱଷ୍ଟ ହେବ । ପ୍ରକାଶ ଥାଉକି ଏହି ସିୟୁଟିଏମ୍ ବିଶ୍ବବିଦ୍ୟାଳୟ ବୈଷୟିକ ଜ୍ଞାନ କୌଶଳ ପାଠ୍ୟକ୍ରମ ଓ ଶୃଙ୍ଖଳିତ ଶିକ୍ଷାଦାନରେ ଖ୍ୟାତି ଅର୍ଜନ କରିଥିବା ବେଳେ ବିଶ୍ବବିଦ୍ୟାଳୟର ଛାତ୍ରମାନେ କାହିଁକି ଉତ୍ତେଜିତ ହୋଇ ପୋଲିସକୁ ଆକ୍ରମଣ କଲେ ତାହାକୁ ନେଇ ସାଧାରଣରେ ଆଲୋଚନା ହେବାସହ ଘଟଣାକୁ ନେଇ ନାନାଦି ପ୍ରଶ୍ନ ସୃଷ୍ଟି ହେଉଛି ।

LEAVE A REPLY

Please enter your comment!
Please enter your name here