ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ବୁଧବାର ମଧ୍ୟ ରାତ୍ରରେ ସ୍ଥାପନ ହୋଇଛି ଶୁଭଖୁଣ୍ଟି । ପରମ୍ପରା ଅନୁଯାୟୀ ବୁଧବାର ସକାଳୁ ବାଜିଥିଲା ଡେଙ୍ଗୁରା । ଡେଙ୍ଗୁରା ବଜାଇ ସହରବାସୀଙ୍କୁ ଅବଗତ କରାଯାଇଥିଲା ମା’ଙ୍କ ଯାତ୍ରା ବିଷୟରେ । ବୁଧବାର ସକାଳୁ ବାପା ଦେଶିବେହେରା ମାଆ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପହଂଚି ପୂଜାର୍ଚନା କରିଥିଲେ। ଏହା ପରେ ଦେଶିବେହେରାଙ୍କ ଘର ସମ୍ମୁଖରୁ ଡେଙ୍ଗୁରା ବଜାଇବା କାର୍ଯ୍ୟକ୍ରମ ଆରମ୍ଭ କରି ସହରବାସୀଙ୍କୁ ଅବଗତ କରାଯାଇଛି। ଦେଶୀ ବେହେରାଙ୍କ କୁଳ ପୁରୋହିତ ତଥା ସିଦ୍ଧାନ୍ତି ଯାତ୍ରାର ଦିନ ଧାର୍ଯ୍ୟ କରିଛନ୍ତି l
ଅସ୍ଥାୟୀ ମଣ୍ଡପ ଯାତ୍ରା ତାରିଖ ଘୋଷଣା କରିଛନ୍ତି ବାପା ଦେଶୀବେହେରା l ପାରମ୍ପରିକ ସିଦ୍ଧାନ୍ତି ଅନୁସାରେ ଆସନ୍ତା ମାସ ଅର୍ଥାତ୍ ଏପ୍ରିଲ ମାସ ୩ ତାରିଖ ଠାରୁ ଆରମ୍ଭ ହେବ ମା’ଙ୍କ ଯାତ୍ରା,୨୬ ଦିନ ବାପା ଘରେ ଯାତ୍ରା କରି ପୁଣି ଏପ୍ରିଲ ୨୮ ତାରିଖ ରେ ଶାଶୁ ଘର ଫେରିଯିବେ ମାଁ ବୁଢୀ ଠାକୁରାଣୀ l ସ୍ଥାୟୀ ମନ୍ଦିରରୁ ଅସ୍ଥାୟୀ ମନ୍ଦିରକୁ ମା’ଙ୍କ ଆଗମନ, ରୀତିନୀତି, ସାହି ପରିକ୍ରମା ଓ ସ୍ଥାୟୀ ମନ୍ଦିରକୁ ମା’ଙ୍କ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରାଯାଇଛି । ଦୁଇବର୍ଷକୁ ଥରେ ମାଆ ନିଜ ବାପଘରକୁ ଆସିବା ସହ ସାହିସାହି ବୁଲି ଭକ୍ତଙ୍କୁ ଦର୍ଶନ ଓ ଆଶୀର୍ବାଦ ଦେଇଥାନ୍ତି । ଏଥିପାଇଁ ଏବେଠାରୁ ବ୍ରହ୍ମପୁରରେ ପ୍ରବଳ ଉତ୍ସାହ ଦେଖାଦେଇଛି ।

ସୂଚନାନୁଯାୟୀ, ବ୍ରହ୍ମପୁରର ଏହି ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଏକ ପ୍ରାୟ ମାସେ ସମୟ ଧରି ଆୟୋଜିତ ହୋଇଥାଏ । ମା’ ନିଜ ମୁଖ୍ୟ ମନ୍ଦିରରୁ ବାହାରି ଦେଶୀବେହେରା ସାହି ସ୍ଥିତ ନିଜ ବାପ ଘରକୁ ଆସିବା ପରେ ଯାତ୍ରା ଆରମ୍ଭ ହୋଇଥାଏ । ପରମ୍ପରା ଓ ରୀତିନୀତି ଅନୁଯାୟୀ ସହିତ ଯାତ୍ରା ହୋଇଥାଏ। ମା’ଙ୍କ ଘଟ ପରିକ୍ରମା ସହିତ ମାନସିକ ବେଶଧାରୀ, କଳାକୁଞ୍ଜ ଏବଂ ବିଭିନ୍ନ ସାହିର ରଥ,ଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥାଏ । ମା’ଙ୍କ ଯାତ୍ରାର ଦିନ ଯେତେ ପାଖେଇ ଆସୁଛି ତାହାକୁ ନେଇ ଭକ୍ତଙ୍କ ମଧ୍ୟରେ ସେତିକି ଉତ୍ସାହ ଦେଖିବାକୁ ମିଳୁଛି । ଏବର୍ଷ ଯାତ୍ରା ସୁରୁଖୁରୁରେ ହେବା ନେଇ ବୁଢ଼ୀ ଠାକୁରାଣୀଙ୍କ ଉପରେ ସହରବାସୀଙ୍କ ଭରସା ରହିଛି ।