ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ଜାତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପରେ ଆଜି (ଶୁକ୍ରବାର) ବଦଳିଛନ୍ତି ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ସୁଜାତା ରାଉତ କାର୍ତ୍ତିକେୟନ । ସୁଜାତାଙ୍କୁ ଅର୍ଥ ବିଭାଗକୁ ସ୍ବତନ୍ତ୍ର ସଚିବ ଭାବେ ବଦଳି କରିଛନ୍ତି ରାଜ୍ୟ ସରକାର । ସ୍ବାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତଙ୍କୁ ମିଶନ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ବ । ସେହିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ମଧ୍ୟ ଶାଳିନୀ ତୁଲାଇବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।
ସରକାରୀ କଳ ଓ କ୍ଷମତାର ଦୁରୂପଯୋଗ କରି ଏସଏସଜି ମହିଳାଙ୍କୁ ଶାସକ ଦଳ ସପକ୍ଷରେ ଭୋଟ ଦେବାକୁ ମିଶନ ଶକ୍ତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ ଚାପ ପକାଉଥିବା ଗତକାଲି ବିଜେପି ଅଭିଯୋଗ କରିଥିଲା । ଏନେଇ ବିଜେପି ଜାତୀୟ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିଲା । ଏହାପରେ 2000 ବ୍ୟାଚର ଅଫିସର ସୁଜାତାଙ୍କୁ ବଦଳି କରିବାକୁ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ଆଜି ରାଜ୍ୟ ସରକାର ସୁଜାତାଙ୍କୁ ବଦଳି କରିଛନ୍ତି । ମିଶନ ଶକ୍ତି ସଚିବ ପଦରୁ ସୁଜାତାଙ୍କୁ ହଟେଇ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅବସ୍ଥାପିତ ହୋଇଛନ୍ତି ।