ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ):– ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ମିଳିଲା ଜାମିନ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ। ଜୁନ୍ ୧ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ଗିରଫ ପରେ କେଜ୍ରିୱାଲ ତିହାର ଜେଲରେ ଅଛନ୍ତି। ମାର୍ଚ୍ଚ ୨୧ରେ ଗିରଫ ହୋଇଥିଲେ ଅରବିନ୍ଦ କେଜ୍ରିୱାଲ ।ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଥିଲା ଇଡି। ଦିଲ୍ଲୀ ବାସଭବନରେ ପଚରାଉଚରା ପରେ କେଜରିୱାଲଙ୍କୁ ଗିରଫ କରାଯାଇଥିଲା। ଇଡିର ଏସିପି ରାଙ୍କର ବହୁ ଅଧିକାରୀ ରେଡରେ ସାମିଲ ହୋଇଥିଲେ। ଦଶମ ସମନ ପରେ ମନିଲଣ୍ଡ୍ରିଂ ଆକ୍ଟ ଧାରା ୫୦ ଅନୁଯାୟୀ ତାଙ୍କୁ ଜେରା କରାଯାଇଥିଲା। ପରେ ଶେଷରେ ମାର୍ଚ୍ଚ ୨୧ରେ ଗିରଫ କରାଯାଇଥିଲା।
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବରୁ ତତ୍କାଳୀନ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବଂ ସାଂସଦ ସଞ୍ଜୟ ସିଂହ ଗିରଫ ହୋଇଥିବା ବେଳେ, ଏହି ଲିଙ୍କରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା BRS ନେତ୍ରୀ କେ.କବିତା ମଧ୍ୟ ଗିରଫ ହୋଇଥିଲେ ।ତେବେ ସେ କୌଣସି ସରକାରୀ କାର୍ଯ୍ୟ କରିପାରିବେ ନାହିଁ । ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ମେ’ ୨୫ତାରିଖରେ ଦିଲ୍ଲୀରେ ମତଦାନ ହେବ । ଏହା ପୂର୍ବରୁ କେଜ୍ରିୱାଲଙ୍କୁ ଜାମିନ ମିଳିବା ଆମ୍ ଆଦମୀ ପାର୍ଟି ପାଇଁ କୌଣସି ବଡ଼ ଆଶ୍ୱସ୍ତିଠାରୁ କମ୍ ନୁହେଁ l
ତେବେ ଜାମିନ ପାଇଁ ସର୍ତ୍ତ ଗୁଡିକ ହେଲା ଜୁନ୍ ୧ ତାରିଖ ଯାଏ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ।ପୁଣି ଜୁନ୍ ୨ରେ ଆତ୍ମସମର୍ପଣ କରିବେ କେଜ୍ରିୱାଲ ।୫୦ ହଜାର ଟଙ୍କାର ବଣ୍ଡ ଜମା କରିବାକୁ ନିର୍ଦ୍ଦେଶ । ଜାମିନ ସମୟରେ ସରକାରୀ କାମ କରିପାରିବେ ନାହିଁ ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଦିଲ୍ଲୀ ସଚିବାଳୟ ଯିବାକୁ ମନା ।ଆଉ କୌଣସି ସାକ୍ଷ୍ୟଙ୍କ ସହ କଥା ହୋଇପାରିବେ ନାହିଁ । ମାମଲା ସମ୍ପର୍କିତ ଫାଇଲ୍ ଠାରୁ ଦୂରେଇ ରହିବେ । ନିର୍ବାଚନୀ ପ୍ରଚାର ପାଇଁ କୌଣସି ପ୍ରତିବନ୍ଧକ ନାହିଁ ।