ବିପ୍ଲବୀ ପରିକ୍ରମା ବ୍ୟୁରୋ :- କୋଲକାତାର ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟା ସ୍ନାତକୋତ୍ତର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଗୁରୁବାରଠାରୁ ସୁପ୍ରିମ୍କୋର୍ଟରେ ପୁଣି ଆରମ୍ଭ ହୋଇଛି। ଶୁଣାଣି ସମୟରେ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କୋଲକାତା ପୁଲିସକୁ ଭର୍ତ୍ସନା କରିଛନ୍ତି। ସମଗ୍ର ମାମଲାରେ କୋଲକାତା ପୁଲିସ ଯେଉଁଭଳି ପ୍ରକ୍ରିୟା ଅନୁସରଣ କରିଛି ଏବଂ ଯେଭଳି ଆଚରଣ ଦେଖାଇଛି ତାହା ନିତାନ୍ତ ବେପରୁଆ ଓ ସମ୍ବେଦନହୀନ ବୋଲି ଖଣ୍ଡପୀଠ କହିଥିବା ବେଳେ ଏଭଳି ଘଟଣା ଆମେ ଗତ ୩୦ ବର୍ଷ ମଧ୍ୟରେ ଦେଖିନାହୁଁ ବୋଲି ମନ୍ତବ୍ୟ ଦେଇଛନ୍ତି। ପୀଡ଼ିତାଙ୍କ ଶରୀର ଭିତରୁ ମିଳିଥିବା ‘୧୫୧ ଗ୍ରାମ୍ ସିମେନ୍’ ସିଦ୍ଧାନ୍ତକୁ ଖଣ୍ଡନ କରିବା ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ପ୍ରତିନିଧିତ୍ୱ କରୁଥିବା ଓକିଲଙ୍କୁ କଡ଼ା ସମାଲୋଚନା କରି ଖଣ୍ଡପୀଠ କହିଛନ୍ତି ଯେ କୋର୍ଟରେ ଯୁକ୍ତି ପାଇଁ ସୋସିଆଲ ମିଡିଆ ତଥ୍ୟ ଉପରେ ନିର୍ଭର କରିବା ଉଚିତ ନୁହେଁ।
ମୁଖ୍ୟ ବିଚାରପତି ଆନ୍ଦୋଳନରତ ଡାକ୍ତରମାନଙ୍କୁ କାମକୁ ଫେରିବାକୁ ଅନୁରୋଧ କରିବା ସହ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ର ମଧ୍ୟ ଅଛନ୍ତି। ସୁପ୍ରିମ୍କୋର୍ଟରେ ଦାଖଲ ଷ୍ଟାଟସ୍ ରିପୋର୍ଟରେ ସିବିଆଇ କହିଛି ଯେ କ୍ରାଇମ୍ ସିନ୍ରେ ପରିବର୍ତ୍ତନ କରାଯାଇଥିଲା ଏବଂ ପୀଡ଼ିତାଙ୍କ ପରିବାରକୁ ଝିଅର ମୃତ୍ୟୁ ଆତ୍ମହତ୍ୟାଜନିତ ବୋଲି ଦର୍ଶାଇ ବିଭ୍ରାନ୍ତ କରାଯାଇଥିଲା। ଗିରଫ ଅଭିଯୁକ୍ତ ସଂଜୟ ରାୟର ଏହି ମାମଲାରେ ସମ୍ପୃକ୍ତି ଥିବା ଏଯାବତ୍ ତଦନ୍ତରୁ ଜଣାପଡ଼ିଛି। ଅଗଷ୍ଟ ୯ ତାରିଖରେ ଆର୍ଜି କର ହସ୍ପିଟାଲର ସେମିନାର ହଲ୍ରୁ ପ୍ରଶିକ୍ଷାର୍ଥୀ ଡାକ୍ତରଙ୍କ ଅର୍ଦ୍ଧନଗ୍ନ ମୃତଦେହ ମିଳିବାର ଗୋଟିଏ ଦିନ ପରେ କୋଲକାତା ପୁଲିସର ନାଗରିକ ସ୍ୱେଚ୍ଛାସେବୀ ରାୟକୁ ଗିରଫ କରାଯାଇଥିଲା।