ବାଲେଶ୍ୱର ( ବିପ୍ଲବୀ ପରିକ୍ରମା ):- ସରକାରୀ ବାସଭବନରୁ ବିଡିଓଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ବିଡିଓ ବିଶ୍ୱରଞ୍ଜନ ମହାନ୍ତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବେକରେ ଗାମୁଛା ଲଗାଇ ଫ୍ୟାନରେ ଝୁଲିପଡିଛନ୍ତି ବିଡିଓ । ଘଟଣା ସ୍ଥଳରେ ସିମୁଳିଆ ପୁଲିିସ ପହଂଚି ତଦନ୍ତ ଆରମ୍ଭ କରିଛି । ମାତ୍ର ଦୁଇ ମାସ ତଳେ ସେ କାର୍ଯ୍ୟରେ ଯୋଗଦେଇଥିଲେ । ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ଅଛି ସେନେଇ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ଯଦି ଆତ୍ମହତ୍ୟା କରିଛନ୍ତି, ତାହା ପଛରେ ସରକାରୀ ଚାପ ରହିଥିଲା ନା ପାରିବାରିକ କାରଣ ସେନେଇ ମଧ୍ୟ ପୁଲିସ ଖୋଳତାଡ ଆରମ୍ଭ କରିଛି । ବିଶ୍ୱରଂଜନ ମହାନ୍ତିଙ୍କ ଘରେ ବାରିପଦାରେ । ବିଶ୍ୱରଂଜନଙ୍କ ବାପା କହିଛନ୍ତି, ଡିପ୍ରେସନରେ ଥିଲେ ତାଙ୍କ ପୁଅ । ଜିଲ୍ଲାପାଳ ଛୁଟି ଦେଉନଥିଲେ । ଅକ୍ଟୋବର ୨୨ରେ ସେ କାମରେ ଯୋଗ ଦେଇଥିଲେ । ପ୍ରବଳ କାମ ସହ ଛୁଟି ମିଳୁନଥିବାରୁ ମାନସିକ ଦୁଶ୍ଚିନ୍ତାରେ ଥିଲେ ବିଶ୍ୱରଂଜନ । ଗତକାଲି ୧୧ଟାରେ ସେ କିଛି ସମୟ ପାଇଁ ଅଫିସ ଯାଇଥିଲେ । ଆଉ ଭିସିରେ ଯୋଗନଦେବାରୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ଖୋଜିଥିଲେ । ଫୋନ କରିବା ପରେ ବିଶ୍ୱରଂଜନ ଉଠାଇନଥିଲେ । ଏହା ପରେ ତାଙ୍କୁ ଖୋଜାଯାଇଥିଲା । ବାସଭବନର ଘର ଭିତର ପଟୁ ଚାବି ପଡିଥିଲା । ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ କବାଡ ଭାଙ୍ଗି ମୃତଦେହ ଉଦ୍ଧାର କରିଛି । ଘଟଣାସ୍ଥଳରେ ସାଂଇଟଫିକ ଛାନଭିନ କରୁଛନ୍ତି । ପରିବାର ଲୋକେ ଆସି ପଂହଚିଛନ୍ତି ।
ହେଲେ ମୃତ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ସାମ୍ନାକୁ ଆଣିଛି ।
.ମାନସିକ ଚାପରେ ଥିଲେ କି ବିଡିଓ?
.ମୃତ୍ୟୁ ପୂର୍ବରୁ କ’ଣ ଘଟିଥିଲା?
.କାମକୁ ନେଇ ଚାପଗ୍ରସ୍ତ ଥିଲେ କି ବିଡିଓ?
.ଜିଲ୍ଲାପାଳ ଛୁଟି ଦେଉନଥିବାର ସତ୍ୟତା କେତେ?
ଆଉ ଏମିତି ଅନେକ ପ୍ରଶ୍ନ ସୃଷ୍ଟି କରିଛି ।ଏହି ଘଟଣା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି ମୃତ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ବାପା ନରେନ୍ଦ୍ର ମହାନ୍ତି। ସେ କହିଛନ୍ତି, ପୁଅକୁ ଜିଲ୍ଲାପାଳ ଛୁଟି ଦେଉ ନଥିଲେ। ଅକ୍ଟୋବର ୨୫ରେ କାମରେ ଯୋଗ ଦେବା ପରଠୁ ଆଉ ଘରକୁ ଆସି ନ ଥିଲା। ଜିଲ୍ଲାପାଳ କାମ ଚାପ ଦେଉଥିଲେ। ପ୍ରବଳ କାମ ଚାପ ସହ ଛୁଟି ମିଳୁନଥିବାରୁ ମାନସିକ ଦୁଶ୍ଚିନ୍ତାରେ ଥିଲା ପୁଅ। ନରେନ୍ଦ୍ର ମହାନ୍ତିଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାଲେଶ୍ୱର ଜିଲ୍ଲାପାଳ। ସେ କହିଛନ୍ତି, ବିଡିଓ କେବେ ଛୁଟି ପାଇଁ ଆବେଦନ କରି ନ ଥିଲେ। ମୋ ଆଡୁ ଚାପ ନ ଥିଲା। କାମ ଚାପ ଅଭିଯୋଗର ତଦନ୍ତ ହେବ। ଅନ୍ୟପକ୍ଷରେ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ପତ୍ନୀ ହତ୍ୟା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ସେ ମଝି ଘରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାହା ଅସମ୍ଭବ। ସେହି ଘରଟା ପୂରା ଫାଙ୍କା। ସେଠାରେ କିଛି ଜିନିଷ ନାହିଁ। ତେଣୁ ଆତ୍ମହତ୍ୟା କରିବା କେମିତି ସମ୍ଭବ? କ୍ୱାର୍ଟର୍ସରେ ଏକା ରହୁଥିବାରୁ ଟିକେ ଡର ରହିଥିଲା। ସେଠି ପାର୍ଟି ପଲିଟିକ୍ସ ପାଇଁ ସେ ଟିକେ ଟେନସନ୍ ବି ରହୁଥିଲେ।