ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ) :- ୨୬ / ୧୧ ମୁମ୍ବାଇ ଆକ୍ରମଣର ମୋଷ୍ଟ ୱାଣ୍ଟେଡ ଅଭିଯୁକ୍ତ ତହୱୁର ହୁସେନ ରାଣା ଭାରତରେ ପହଞ୍ଚିଛନ୍ତି । ୨୦୦୮ ମସିହା ୨୬ / ୧୧ ମୁମ୍ବାଇ ଆକ୍ରମଣରେ ଥିବା ମାଷ୍ଟର ମାଇଣ୍ଡ ରାଣାଙ୍କୁ ବୁଧବାର ଆମେରିକା ଭାରତକୁ ହସ୍ତାନ୍ତର କରିଥିଲା ।ବହୁବର୍ଷର କୂଟନୈତିକ ପ୍ରୟାସ ପରେ ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା ଆମେରିକାରୁ ପ୍ରତ୍ୟର୍ପିତ ହୋଇଛି। ତହବୁରକୁ ଏକ ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଅଣାଯାଇଛି। ଭାରତୀୟ ଗୁଇନ୍ଦା ଏବଂ ତଦନ୍ତକାରୀ ଅଧିକାରୀଙ୍କ ଏକ ମିଳିତ ଟିମ୍ ତହବୁରକୁ ଧରି ଦିଲ୍ଲୀ ପାଲାମ ବିମାନବନ୍ଦରରେ ଗୁରୁବାର ସନ୍ଧ୍ୟା ୬ଟା ୩୦ରେ ପହଞ୍ଚିବା ପରେ ସେଠାରେ ତାକୁ ଏନ୍ଆଇଏ ଗିରଫ କରିଥିଲା ଏବଂ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବିମାନ ବନ୍ଦରରେ ହିଁ ତହବୁରର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ପ୍ରତ୍ୟର୍ପଣ ସଂକ୍ରାନ୍ତ ଔପଚାରିକତା ପୂରଣ କରାଯାଇଥିଲା। ଏହା ପରେ ବୁଲେଟ୍ ପ୍ରୁଫ୍ ଗାଡ଼ି ଓ ସଶସ୍ତ୍ର କମାଣ୍ଡୋଙ୍କ ସୁରକ୍ଷା ବଳୟରେ ତହବରକୁ ସ୍ବତନ୍ତ୍ର ଏନ୍ଆଇଏ ଅଦାଲତରେ ହାଜର କରାଯାଇଥିଲା। ପଟିଆଲା ହାଉସ୍ କୋର୍ଟ ବାହାରେ ଏଥିପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ଅଦାଲତ ବାହାରେ ଅର୍ଦ୍ଧସାମରିକ ବାହିନୀ ଏବଂ ଦିଲ୍ଲୀ ପୁଲିସ କମାଣ୍ଡୋ ମୁତୟନ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଅନେକ ଯାନବାହନ ଯାଞ୍ଚ କରାଯାଇଥିଲା। ପରେ ବିଳମ୍ବିତ ରାତିରେ କଡା ସୁରକ୍ଷାବଳୟ ମଧ୍ୟରେ ପଟିଆଲା ହାଉସରେ ଏହି ଆତଙ୍କୀକୁ ହାଜର କରାଯାଇଥିଲା । ପୁରା ଘଟଣାର ପଚରାଉଚରା ପାଇଁ ତହବୁରକୁ ରିମାଣ୍ଡରେ ନେବା ଆବଶ୍ୟକ ବୋଲି ତଦନ୍ତକାରୀ ସଂସ୍ଥାର ଅଧିକାରୀ କୋର୍ଟଙ୍କ ସମ୍ମୁଖରେ ଯୁକ୍ତି ବାଢିବା ସହ ୨୦ଦିନର ରିମାଣ୍ଡ ଆବେଦନ କରିଥିଲେ । ତେବେ ୧୮ଦିନର ରିମାଣ୍ଡ ପାଇଁ ଅନୁମତି ଦେବା ପରେ ରାତିରେ ହିଁ ତହବୁରକୁ ଏନଆଇଏ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଛି । ଏନଆଇଏ ଅଧିକାରୀ ତହବୁର ରାଣାକୁ ୨୬/୧୧ ମୁମ୍ବାଇ ଆକ୍ରମଣରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଭୂମିକାକୁ ନେଇ ପଚରାଉଚରା କରିବେ । ଜେରା ବେଳେ ମୁମ୍ୱାଇ ଆକ୍ରମଣକୁ ନେଇ ତହବୁର ରାଣା ମୁହଁରୁ ନୂଆ ତଥ୍ୟ ମିଳିବା ଆଶା କରାଯାଉଛି ।
ଏନ୍ଆଇଏ ଦ୍ବାରା ଆନୁଷ୍ଠାନିକ ଗିରଫ ହୋଇଥିବା ତହବୁରକୁ ତିହାର ଜେଲରେ ରଖାଯିବ ବୋଲି ଜଣାପଡ଼ିଛି। ତହବୁର ଆଗମନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ କାରାଗାର ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ୬୪ ବର୍ଷୀୟ ତହବୁର ବିରୋଧରେ ଦିଲ୍ଲୀର ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟରେ ଶୁଣାଣି ଚାଲିବ। ସମସ୍ତ ଶୁଣାଣି ଦିଲ୍ଲୀରେ ହିଁ ହେବାକୁ ଥିବାରୁ ତହବୁରକୁ ମୁମ୍ବାଇ ପଠାଯିବ ନା ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ତହବୁର ବିରୋଧରେ ଏହି ମାମଲାରେ ଏନ୍ଆଇଏ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପ୍ରସିକ୍ୟୁସନ୍ ଟିମର ନେତୃତ୍ୱ ନେବେ ବରିଷ୍ଠ ଆଇନଜୀବୀ ଦୟାନ୍ କ୍ରିଷ୍ଣନ। ତାଙ୍କ ସହ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର (ଏସ୍ପିପି) ନରେନ୍ଦ୍ର ମାନ୍ ଆଇନଗତ ପ୍ରକ୍ରିୟାର ନେତୃତ୍ବ ନେବେ। ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ଭାରତ ଆମେରିକାକୁ ପ୍ରତିଶ୍ରୁତି ଦେଇଛି ଯେ ତହବୁରକୁ ନିର୍ଯାତନା ଦିଆଯିବ ନାହିଁ। ଜେଲ୍ରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯିବ ଏବଂ କେବଳ ସେହି ଅପରାଧ ପାଇଁ ବିଚାର କରାଯିବ ଯେଉଁଥିପାଇଁ ତାକୁ ପ୍ରତ୍ୟର୍ପଣ କରାଯାଇଛି।
ସୂଚନାଯୋଗ୍ୟ, ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ୧୦ ଜଣ ପାକିସ୍ତାନୀ ଆତଙ୍କବାଦୀ ସମୁଦ୍ର ମାର୍ଗ ଦେଇ ମୁମ୍ବାଇ ସହର ଭିତରକୁ ପ୍ରବେଶ କରିବା ପରେ ମୁମ୍ବାଇର ଏକ ରେଳ ଷ୍ଟେସନ, ଦୁଇଟି ବିଳାସପୂର୍ଣ୍ଣ ହୋଟେଲ ଏବଂ ଏକ ଇହୁଦୀ କେନ୍ଦ୍ର ଉପରେ ସମନ୍ୱିତ ଆକ୍ରମଣ କରିଥିଲେ। ପାଖାପାଖି ୬୦ ଘଣ୍ଟାର ଏହି ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିଲା।
ରାଣା ଭାରତରେ ଜଣେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ । ସେଥି ପାଇଁ ୨୦୨୩ରେ ଆମେରିକାର ସୁପ୍ରିମକୋର୍ଟ ମୁମ୍ବାଇ ଆକ୍ରମଣରେ ତାଙ୍କର ଭୂମିକା ପାଇଁ ତାଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ଅନୁମୋଦନ କରିଥିଲେ, ଏହି ନିଷ୍ପତ୍ତିକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୫ ଫେବୃଆରୀରେ ନିଶ୍ଚିତ କରିଥିଲେ । ସେଥି ପାଇଁ ଅଭିଯୁକ୍ତ ତହୱୁର ହୁସେନ ରାଣା ଆଜି ଭାରତରେ । ଦେଖାଯାଉ ଭାରତର ବିଚାର ବ୍ୟବସ୍ଥା ତହୱୁର ହୁସେନ ରାଣାଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ସଫଳ ହେଉଛନ୍ତି ନା କିଛି ବ୍ୟତିକ୍ରମ ହେଉଛି ।