ଗଜପତି ( ବିପ୍ଲବୀ ପରିକ୍ରମା ):- ଚାଷୀ ସମାଜର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନୁକୂଳ ପରିବେଶକୁ ଆଧାର କରି ବିଭିନ୍ନ କିସମର ଚାଷ କରି ରୋଜଗାର କରିବାକୁ ଉଦ୍ୟମ କରୁଛନ୍ତି ଚାଷୀ। ଏଥିପାଇଁ ସରକାରୀ ପ୍ରୋତ୍ସାହନ, ଏକାନ୍ତ ଅପରିହାର୍ଯ୍ୟ। ଗଜପତି ଜିଲ୍ଲାର ଜଳବାୟୁ ଟସର ଚାଷ ପାଇଁ ଅନୁକୂଳ ହୋଇଥିବାରୁ ସେରିକଲ୍ଚର ବିଭାଗ ପକ୍ଷରୁ ଏହାର ଚାଷ ପାଇଁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଛି। ଶହ ଶହ ଏକର ଅଦରକାରୀ ପଦର ଜମିରେ ଟସର ଉତ୍ପାଦନ ହେଉଥିବା ଅସନ ଅର୍ଜୁନ ଗଛ ଲଗାଯାଇଛି। ଏଥିରୁ ପରସ୍ପର ସହଯୋଗରେ ଟସର ଉତ୍ପାଦନ ପାଇଁ ମହେନ୍ଦ୍ରଗିରି ବହୁମୁଖୀ କୃଷି ଉତ୍ପାଦନ ଟ୍ରଷ୍ଟ ଗଠନ କରି ପ୍ରଥମ ପର୍ଯ୍ୟାୟ ଟସର ଉତ୍ପାଦନ କରି ଲାଭବାନ ହୋଇଛନ୍ତି ଚାଷୀ।
ଇତିମଧ୍ୟରେ ପାରଳାଖେମୁଣ୍ଡି ନିକଟସ୍ଥ ସଦରାମପୁର ଠାରେ ଟସର ଚାଷୀଙ୍କ ଏକ ବିରାଟ ସମାବେଶ ଆୟୋଜନ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗ ଦେଇ ଚାଷୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରୁ ସହାୟତା ଯୋଗାଇଦେବାକୁ କହିଥିଲେ, କାର୍ଯ୍ୟକ୍ରମରେ ସେରିକଲ୍ଚର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ବେହେରା, ଡ଼ିଆଇସି ସୁନାରାମ ସିଂ, ଡ଼ିଡ଼ିଏମ ପ୍ରତୀକ ପଣ୍ଡା, ଡ଼ିପିଏମ ଟିମାନ ବରା ଓ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଦୀପ କର ପ୍ରମୁଖ ଯୋଗ ଦେଇ ଚାଷୀଙ୍କୁ ଟସର ଚାଷୀ ନେଇ ଉତ୍ସାହିତ କରିଥିଲେ। ବର୍ତ୍ତମାନ ଟସର ଚାଷୀଙ୍କୁ ନେଇ ଗଠିତ ହୋଇଥିବା ଏହି ଟ୍ରଷ୍ଟ ମାଧ୍ୟମରେ ସରକାରୀ ସୁବିଧା ସୁଯୋଗ ଦେବାକୁ ଆଲୋଚନା କରାଯାଇଥିଲା।
ଜିଲ୍ଲାରେ ୨୦୧୬-୧୭ ଆର୍ଥିକ ବର୍ଷରେ ଆରମ୍ଭ ହେଇଥିଲା ଏହି ଚାଷ। ଜିଲ୍ଲାର ଗୁମ୍ମା ବ୍ଲକର ଝାମି, ଜିବା, ସିଧାମଡଙ୍ଗ, ପରିଡ଼ା ,କୁଜାସିଂ, କାଶୀନଗର ବ୍ଲକର ଅଲଡା, ସୀତାପୁର, ସିଆଳି , ଗୋରିବନ୍ଧା, ହାଡୁଭାଙ୍ଗି, ଖାରଡା ଆଦି ଅଞ୍ଚଳରେ ୨ ହଜାରରୁ ଉର୍ଦ୍ଧ୍ବ ଏକର ପଦର ଜମିରେ ଲଗାଯାଗିଛି ଏହି ଅସନ ଅର୍ଜୁନ ଗଛ। ଚାରି ବର୍ଷ ଗଛର ରକ୍ଷଣାବେକ୍ଷଣ କରିବା ପରେ ଟସର ଚାଷ ଉପଯୋଗୀ ହୋଇଥାଏ। ପ୍ରାୟ ଦୁଇ ମାସ ମଧ୍ୟରେ ଏହି ପୋକ ଗଛରେ କୋଷା ବାନ୍ଧିଥାଏ, କୋଷା ବାନ୍ଧିବା ୧୦ ଦିନ ମଧ୍ୟରେ ଏହି ପୋକ ପ୍ରଜାପତିରେ ପରିଣତ ହୋଇ ପୁରୁଷ ପ୍ରଜାପତି ସହ ମିଶିବା ପରେ ଅଣ୍ଡା ଦେଇଥାଏ ଉକ୍ତ କୋଷାରୁ ରେଶମ ସୂତା ଉତ୍ପାଦନ ହୋଇଥାଏ। ଗୋଟିଏ ହେକ୍ଟର ଜମିରେ ବର୍ଷକରେ ୬୦ ରୁ ୭୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ରୋଜଗାର କରିଥାନ୍ତି ଚାଷୀ।
ଟସର ଉତ୍ପାଦନ ଏକ ଲାଭକାରୀ ଚାଷ ହୋଇଥିବାରୁ ଜିଲ୍ଲାରେ ୮ ହଜାର ହେକ୍ଟରରୁ ଉର୍ଦ୍ଧ୍ବ ପଦର ଜମିରେ ଏହି ଚାଷ ହୋଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଚାଷୀଙ୍କୁ ବିଭାଗ ପକ୍ଷରୁ ସାହାଯ୍ୟ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଚାଷୀଙ୍କ ସମସ୍ୟା ଦେଖାଦେଇଛି ଏନେଇ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଚାଷୀମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ l