ତେଲଙ୍ଗାନା ବିସ୍ଫୋରଣ ; ୪ ଓଡ଼ିଆ ମୃତ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ତେଲଙ୍ଗାନାର ସିଗାଚି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଫାର୍ମା ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣାରେ ମୋଟ୍ ୪୦ ମୃତକଙ୍କ ମଧ୍ୟରେ ୪ଜଣ ଓଡ଼ିଆ ଅଛନ୍ତି। ଏପରିକି ୩୩ରୁ ଅଧିକ ଆହତଙ୍କ ମଧ୍ୟରେ ୪ ଜଣ ଓଡ଼ିଆ ଅଛନ୍ତି। ୪ ଓଡ଼ିଆଙ୍କ ମୃତଦେହ ଚିହ୍ନଟ ହୋଇଛି। ମୃତକମାନେ ହେଲେ, କଟକ ତିଗିରିଆର ଲଗ୍ନଜିତ ଦୁଆରି, ବାଲେଶ୍ୱରର ମନୋଜ ରାଉତ, ଯାଜପୁରର ଦୋଳଗୋବିନ୍ଦ ସାହୁ ଏବଂ ଗଞ୍ଜାମ ଛତ୍ରପୁରର ରାଜନାଲା ଜଗନମୋହନ। ଏପରିକି ଏହି ବିସ୍ଫୋରଣ ଘଟଣାରେ ଆଉ ୫ ଓଡ଼ିଆ ନିଖୋଜ ଥିବା ସ୍ପଷ୍ଟ କରିଛନ୍ତି, ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର OSD ପ୍ରୀତିଶ କୁମାର ପଣ୍ଡା। ଏସମସ୍ତ ଓଡ଼ିଆ ବ୍ୟକ୍ତି ସିଗାଚୀ ଫାର୍ମା କମ୍ପାନୀର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ ଓଡ଼ିଆ ବ୍ୟକ୍ତିମାନଙ୍କର ଉଦ୍ଧାର କାର୍ଯ୍ୟ ସମେତ ପରିବାରବର୍ଗଙ୍କୁ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ୨ ଜଣ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ୨ଜଣ ଅଧିକାରୀ- ଡକ୍ଟର ଚନ୍ଦ୍ର ଶେଖର ହୋତା ଏବଂ ପ୍ରୀତିଶ କୁମାର ପଣ୍ଡା ଘଟଣାସ୍ଥଳରେ ପହଂଚି ନିଖୋଜ ରହିଥିବା ଓଡ଼ିଆ ବ୍ୟକ୍ତିମାନଙ୍କର ସନ୍ଧାନ ନିମନ୍ତେ ସଙ୍ଗାରେଡ୍ଡୀ ଜିଲ୍ଲା ପ୍ରଶାସନକୁ ସହଯୋଗ କରୁଛନ୍ତି। ଏଥିସହିତ ଅଧିକାରୀମାନେ ଆହତ ହୋଇଥିବା ଓଡ଼ିଆ ବ୍ୟକ୍ତିମାନଙ୍କୁ ଚିକତ୍ସାଳୟରେ ଭେଟିଛନ୍ତି। ଆହତ ହୋଇଥିବା ବ୍ୟକ୍ତିମାନଙ୍କର ଚିକିତ୍ସା ନିମନ୍ତେ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରାଯାଇଛି। ମୃତ୍ୟୁବରଣ କରିଥିବା ଓଡ଼ିଆ ବ୍ୟକ୍ତିମାନଙ୍କର ମୃତ ଶରୀରକୁ ଓଡ଼ିଶାକୁ ଫେରେଇ ଆଣିବା ସହ ସେମାନଙ୍କ ପରିବାର ବର୍ଗକୁ ସାହାଯ୍ୟ କରିବା ନିମନ୍ତେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ତେଲଙ୍ଗାନାର ସିଗାଚି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ବୁଧବାର ସ୍ପଷ୍ଟ କରିଛି ଯେ, ଜୁନ୍ 30ରେ ଏହାର ପଶାମିଲାରାମ ପ୍ଲାଣ୍ଟରେ ହୋଇଥିବା ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡରେ 40 ଜଣ ସଦସ୍ୟଙ୍କୁ ହରାଇଛି। ଏପରିକି ଏହି ଭୟଙ୍କର ଘଟଣାରେ ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ 1 କୋଟି ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛି।

ସରକାରୀ ସଂଖ୍ୟା ଅନୁସାରେ, ବୁଧବାର ସୁଦ୍ଧା ମୃତକଙ୍କ ସଂଖ୍ୟା ୪୦ ଛୁଇଁଛି। “ଦୁଃଖର ସହିତ ଆମେ ତେଲଙ୍ଗାନାର ପଶାମିଲାରାମରେ ଥିବା ସିଗାଚି ଇଣ୍ଡଷ୍ଟ୍ରିଜ୍ ରେ ଘଟିଥିବା ଦୁର୍ଘଟଣାର ବିବରଣୀ ସେୟାର କରୁଛୁ। ଯାହା ଫଳରେ ୪୦ ଜଣ ମୂଲ୍ୟବାନ ଦଳର ସଦସ୍ୟଙ୍କ ମୃତ୍ୟୁ ହୋଇଛି ଏବଂ ୩୩ ରୁ ଅଧିକ ଆହତ ହୋଇଛନ୍ତି,” ବୋଲି କମ୍ପାନୀ ଏକ ବିବୃତ୍ତିରେ କହିଛି।

ତେବେ ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ କହିଛନ୍ତି ଯେ ଏହି ଭୟଙ୍କର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଫାର୍ମାର ମ୍ୟାନେଜମେଣ୍ଟ ସହିତ ଯୋଗାଯୋଗ କରିବେ। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ। ଏପରିକି ଯେଉଁମାନେ ଆହତ ହୋଇଛନ୍ତି କିନ୍ତୁ କିଛି ସୁସ୍ଥ ହେବାପରେ ପୁଣି କାମ ଆରମ୍ଭ କରିପାରିବେ, ସେମାନଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ।

LEAVE A REPLY

Please enter your comment!
Please enter your name here