ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବ୍ରାଜିଲରେ ଭୟଙ୍କର ବିମାନ ଦୁର୍ଘଟଣା । ବ୍ରାଜିଲର ସାଓ ପାଉଲୋରେ ଏକ ଯାତ୍ରୀବାହୀ ବିମାନ କ୍ରାସ ହୋଇଯାଇଛି । ବିମାନରେ ୫୮ ଜଣ ଯାତ୍ରୀ ଓ ୪ କ୍ରିଉ ମେମ୍ବରଙ୍କୁ ମିଶାଇ ମୋଟ ୬୨ ଜଣ ଥିଲେ । ଏଥିରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ବିମାନ ଦୁର୍ଘଟଣା ସମୟର ହୃଦୟ ବିଦାରକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିମାନଟି ତଳକୁ ଖସି ପଡିବା ପରେ ଜଳି ଯାଇଥିଲା । ଏହି ଦୁର୍ଘଟଣାଗ୍ରସ୍ତ ବିମାନ ଖସି ପଡିବା ଯୋଗୁଁ କିଛି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି ।
ଯାହା ସୂଚନା ମିଳିଛି, ଭୋଏପାସ ଏୟାରଲାଇନ୍ସ ଦ୍ବାରା ପରିଚାଳିତ ଏହି ବିମାନ ଶୁକ୍ରବାର ପୂର୍ବାହ୍ନରେ ବ୍ରାଜିଲର କାସକାଭେଲରୁ ଉଡାଣ ଆରମ୍ଭ କରି ସାଓ ପାଉଲୋ ଅଭିମୁଖେ ଯାଉଥିଲା । ହେଲେ ସାଓ ପାଉଲୋଠାରୁ ୮୦ କିଲୋମିଟର ଦୂର ଭିନହେଡୋ ସହରରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡିଥିଲା । ଖବର ପାଇ ଅଗ୍ନିଶମ ଦଳ, ମିଲିଟାରୀ ପୋଲିସ, ସିଭିଲ ଡିଫେନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ତେବେ କାହିଁକି ଦୁର୍ଘଟଣା ଘଟିଲା ତାହା ଜଣାପଡିନି ।
ଏନେଇ ବ୍ରାଜିଲ ଫେଡେରାଲ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।ଭିଡିଓରେ ଦେଖାଯାଉଛି, ବିମାନଟି ମଝି ଆକାଶରେ ନିୟନ୍ତ୍ରଣ ହରାଇ ଘୁରି ଘୁରି ଏକ ଆବାସିକ ଅଞ୍ଚଳ ମଧ୍ୟରେ ଖସି ପଡି ପଡୁଛି । ଏହାପରେ ମୋଟା କଳା ଧୂଆଁ ଉପରକୁ ଉଠୁଛି । ଦୁର୍ଘଟଣାଗ୍ରସ୍ତ ବିମାନଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡି ସିଲ୍ଭା ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ମୃତକଙ୍କ ପରିଜନ ପ୍ରତି ସମାବେଦନା ଜଣାଇଛନ୍ତି ।