ନିଟ ମାମଲା, ପରବର୍ତ୍ତୀ ଶୁଣାଣି ଆସନ୍ତା ୧୧
ବିପ୍ଲବୀ ପରିକ୍ରମା ବ୍ୟୁରୋ :- ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ବାରା ପରିଚାଳିତ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି-୨୦୨୪ର ପ୍ରଶ୍ନପତ୍ର ଲିକ୍ ପରେ ପୁନଃପରୀକ୍ଷା ଦାବି କରି ହୋଇଥିବା ୩୮ଟି ମାମଲାର ଶୁଣାଣି ସମୟରେ ସୁପ୍ରିମ୍କୋର୍ଟ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। ପ୍ରଶ୍ନପତ୍ର ଲିକ୍ ହୋଇଥିବାକୁ ସରକାର ଗ୍ରହଣ କରିଛନ୍ତିି। ୨୩ ଲକ୍ଷ ଛାତ୍ରଛାତ୍ରୀଙ୍କ ସହ ଜଡ଼ିତ ମାମଲାର ଶୁଣାଣି ଆମେ କରୁଥିବାରୁ ପ୍ରଶ୍ନପତ୍ର ଲିକ୍ କେତେ ମାତ୍ରାରେ ହୋଇଛି ସେ ସଂପର୍କରେ ଆମକୁ ସଚେତନ ରହିବାକୁ ହେବ ବୋଲି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି। ରାୟ ଦେବା ପୂର୍ବରୁ ଅଦାଲତ ଅବଗତ ହେବା ଦରକାର ଯେ
ଜାଲିଆତି ଦ୍ବାରା କେତେ ପିଲା ଫାଇଦା ଉଠାଇଛନ୍ତି ତାହା ଜାଣିବା ସମ୍ଭବ କି?
ପ୍ରଶ୍ନପତ୍ର ଲିକ୍ ମାମଲାରେ ପବିତ୍ରତା ନଷ୍ଟ ଦ୍ବାରା ପରୀକ୍ଷାର ସଂପୂର୍ଣ୍ଣ ବ୍ୟବସ୍ଥା ପ୍ରଭାବିତ ହୋଇଛି କି?
ଅସାଧୁ ଉପାୟରେ ପରୀକ୍ଷାରେ ଉପକୃତ ହୋଇଥିବା ଛାତ୍ରଛାତ୍ରୀ ଏବଂ ସାଧୁତାର ସହ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୃଥକ୍ କରାଯାଇ ପାରିବ କି?
ଯଦି ଏହି ପୃଥକ କାର୍ଯ୍ୟ ସମ୍ଭବ ହେବ ନାହିଁ ତା’ହେଲେ ପୁନଃପରୀକ୍ଷାର ଆବଶ୍ୟକତା ରହିଛି। ଯଦି ଅସାଧୁ ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରାଯାଇ ପାରିବ ତା’ହେଲେ ପୁନଃପରୀକ୍ଷାର ଆବଶ୍ୟକତା ନାହିଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏହି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଏନ୍ଟିଏ ଠାରୁ ଏ ସଂକ୍ରାନ୍ତରେ ସଂପୂର୍ଣ୍ଣ ତଥ୍ୟ ଅଦାଲତ ମାଗିବା ସହିତ ପରବିର୍ତ୍ତୀ ଶୁଣାଣିକୁ ଆସନ୍ତା ୧୧ ତାରିଖକୁ ଧାର୍ଯ୍ୟ କରିଛନ୍ତି।