ଚନ୍ଦନ ଯାତ୍ରାରେ ଫୁଟିବନି ବାଣ

0

ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ) :- ଏପ୍ରିଲ ୩୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ସହ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଆଜି ଅପରାହ୍ନରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଅକ୍ଷୟ ତୃତୀୟ ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ନୀତି ସବ୍ କମିଟିରେ ଚୁଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଭକ୍ତମାନେ କିଭଳି ସୁନ୍ଦର ଭାବେ ଦର୍ଶନ କରିପାରିବେ ସେ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ଅପରାହ୍ନ ୩ଟାରେ ଦ୍ଵାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା, ଅପରାହ୍ନ ୩.୩୦ରେ ବିମାନକୁ ଦିଅଁ ବିଜେ, ଅପରାହ୍ନ ୪ଟା ରେ ରଥ ଆଜ୍ଞାମାଳ ବିଜେ ଓ ବିମାନ ଉଠିବ । ରାତ୍ର ୧୦ଟା ରେ ଚନ୍ଦନ ଠାକୁର ବାହୁଡ଼ା ବିଜେ କରିବା ନେଇ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି । ତେବେ ସମସ୍ତ ନୀତି କାନ୍ତି ଯେଭଳି ଶୃଙ୍ଖଳିତ ଭାବେ ସମ୍ପାଦନା ହୋଇପାରିବ ସେନେଇ ସମସ୍ତ ସେବାୟତ ନିଯୋଗଙ୍କ ସହଯୋଗ ଲୋଡିଥିଲେ ମୁଖ୍ୟ ପ୍ରଶାସକ । ସେହିପରି ଗତବର୍ଷ ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣରେ ୧୭ ଜଣଙ୍କର ମୃତ୍ୟୁ ଘଟିଥିଲା । ଏଣୁ ଚଳିତ ବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ଯେଭଳି କୌଣସି ଅଘଟଣ ନଘଟେ ସେନେଇ ଆତସବାଜି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ଚଳିତ ବର୍ଷ ବାଣ ବ୍ୟବହାର ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି । ନରେନ୍ଦ୍ର ପୁଷ୍କରିଣୀ ବାହାରେ ହେବ ୨ଟି ଫାଷ୍ଟଏଡ୍‌ ସେଣ୍ଟର’ । ଭକ୍ତ ଓ ସେବାୟତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଇନସ୍ୟୁରାନ୍ସ ବ୍ୟବସ୍ଥା ମଧ୍ୟ କରାଯାଇଛି।ଅନ୍ୟପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏଏସଆଇ ପକ୍ଷରୁ ଜାରି ରହିଛି । ମରାମତି କାର୍ଯ୍ୟ ଶେଷ ହେବା ପରେ ଭିତର ଓ ବାହାର ରତ୍ନଭଣ୍ଡାରର କବାଟକୁ ସୁନା ଓ ରୂପା ଛାଉଣୀ କରାଯିବା ନେଇ ଯୋଜନା ରଖିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ବିଭିନ୍ନ ସେବାୟତ ନିଯୋଗର ମତାମତ ନିଆଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।

LEAVE A REPLY

Please enter your comment!
Please enter your name here