ବିପ୍ଲବୀ ପରିକ୍ରମା ଡିଜିଟାଲ :- ମହାନଦୀରେ ବନ୍ୟା ନିୟନ୍ତ୍ରଣ ଏବଂ ହୀରାକୁଦ ବନ୍ଧର ସୁପରିଚାଳନା ପାଇଁ ରାଜ୍ୟ ସରକାର ଆସନ୍ତା ୬ବର୍ଷରେ ଅର୍ଥାତ୍ ୨୦୨୫-୨୬ରୁ ୨୦୩୦-୩୧ ମଧ୍ୟରେ ୧୦୬୬କୋଟି ୩୮ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ବିଶ୍ୱ ବ୍ୟାଙ୍କ ଓ ଏସିଆନ୍ ଇନ୍ଫ୍ରାଷ୍ଟ୍ରକ୍ଚର ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କ ସହାୟତାରେ ଡ୍ୟାମ୍ ପୁନରୁଦ୍ଧାର ଓ ଉନ୍ନତୀକରଣ ପ୍ରକଳ୍ପ-୩ (ଡ୍ରିପ୍-୩)ରେ ହୀରାକୁଦ ବନ୍ଧର ମରାମତି, ଉନ୍ନତୀକରଣ ଏବଂ ଅନ୍ୟାନ୍ୟ କାମ ହେବ। ୬ବର୍ଷରେ ମୋଟ୍ ୩ଟି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କ୍ୟାବିନେଟ୍ ଅନୁମୋଦନ କରିଛି। ସେହି ପ୍ରକଳ୍ପଗୁଡ଼ିକ ହେଲା ହୀରାକୁଦ ଡ୍ୟାମ୍ର ବାମ ଡାଇକ୍ରେ ଅତିରିକ୍ତ ସ୍ପିଲ୍ୱେ ନିର୍ମାଣ। ହୀରାକୁଦ ଡ୍ୟାମର ସଂକଟଜନକ ପରିସ୍ଥିତିର ସର୍ବେକ୍ଷଣ କରି ତାହାର ମରାମତି ଓ ଉନ୍ନତୀକରଣ, ହୀରାକୁଦ ଡ୍ୟାମ୍ ତଥା ପ୍ରସ୍ତାବିତ ଅତିରିକ୍ତ ସ୍ପିଲ୍ୱେର ଫାଟକଗୁଡ଼ିକୁ ସ୍କାଡା ପ୍ରଣାଳୀରେ ସ୍ୱୟଂଚାଳିତ କରାଯିବ। ହୀରାକୁଦ ଡ୍ୟାମ୍ର ଅତିରିକ୍ତ ସ୍ପିଲୱେ ନିର୍ମାଣ ଦ୍ୱାରା ଅତିରିକ୍ତ ବନ୍ୟା ଜଳକୁ ନିରାପଦ ଭାବେ ନିଷ୍କାସିତ କରାଯାଇ ପାରିବ। ଏହାବାଦ୍ ହୀରାକୁଦ ଡ୍ୟାମ୍ର ସଂକଟଜନକ ପରିସ୍ଥିତିର ସର୍ବେକ୍ଷଣ କରି ଏହାର ମରାମତି ଓ ଉନ୍ନତୀକରଣ ଦ୍ୱାରା ଡ୍ୟାମ୍କୁ ଦୀର୍ଘସ୍ଥାୟୀ କରାଯାଇ ପାରିବ। ଡ୍ୟାମ୍ର ତଥା ପ୍ରସ୍ତାବିତ ଅତିରିକ୍ତ ସ୍ପିଲ୍ୱେର ଗେଟ୍ଗୁଡ଼ିକୁ ସ୍ୱୟଂଚାଳିତ କରାଯିବା ଦ୍ୱାରା ଏହାର ଉତ୍ତମ ନିୟନ୍ତ୍ରଣ ଓ ପର୍ଯ୍ୟବେକ୍ଷଣ ସୁନିଶ୍ଚିତ କରାଯାଇ ପାରିବ।