ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସବୁ ଜିଲ୍ଲାରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଖୋର୍ଦ୍ଧା ଜଙ୍କିଆ ମିନି ଷ୍ଟାଡିୟମରୁ ଉଦ୍ଘାଟନ କରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୫ ହଜାର କୋଟି ଟଙ୍କାର ବ୍ୟୟ ବରାଦରେ ଆଗାମୀ ୫ ବର୍ଷ ପାଇଁ ପ୍ରସ୍ତୁତ ହେବ ରୋଡ୍ ମ୍ୟାପ୍ । ଗ୍ରାମାଞ୍ଚଳ ଓଡ଼ିଶାର ତ୍ୱରିତ ଓ ସାମଗ୍ରିକ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ଦୂର କରିବା ତଥା ଗ୍ରାମାଞ୍ଚଳରେ ମୌଳିକ ଭିତ୍ତିଭୂମିର ବିକାଶ ନିମନ୍ତେ ବିଭିନ୍ନ ସ୍ଥାୟୀ ଉନ୍ନୟନ ପ୍ରକଳ୍ପମାନ ଯଥା– ଅପହଞ୍ଚ ଗାଁକୁ ରାସ୍ତା ଦ୍ୱାରା ସଂଯୋଗୀକରଣ, ସର୍ବସାଧାରଣଙ୍କ ସୁବିଧା ପାଇଁ ସମ୍ପଦ ସୃଷ୍ଟି କରିବା, ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତିକରଣ, କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ, ସର୍ବସାଧାରଣ ପୋଖରୀ ଏବଂ ଜଳ ଅମଳ ସଂରଚନାର ନିର୍ମାଣ, ନୂତନ ଅଭିନବ ପ୍ରକଳ୍ପ ନିର୍ମାଣ ଇତ୍ୟାଦି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଏହି ପ୍ରକଳ୍ପ, ବିଭିନ୍ନ ପ୍ରକାରର ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ଆଗେଇ ନେଇ, ଗ୍ରାମୀଣ ସମ୍ପଦ ସୃଷ୍ଟି କରି, ଏକ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ ଦିଗରେ ଏହା ଏକ ସ୍ଥାୟୀ ମାଧ୍ୟମ ରୂପେ କାର୍ଯ୍ୟ କରିବ ।
ଏହି ଯୋଜନାର ସଫଳ କାର୍ଯ୍ୟକାରିତା ନିମନ୍ତେ ଆବଶ୍ୟକ ବଜେଟର ବ୍ୟବସ୍ଥା ସରକାର ଅଗ୍ରାଧିକାର ଭିତ୍ତିରେ ସମୟର ପରିଧି ମଧ୍ୟରେ କରାଯିବା ପାଇଁ ପଦକ୍ଷେପ ନେଇଛନ୍ତି । ଗ୍ରାମସଭା ଠାରୁ ଆରମ୍ଭ କରି ସମସ୍ତଙ୍କ ସହଭାଗୀତାରେ ପ୍ରକଳ୍ପଗୁଡ଼ିକର ଚୟନ କରାଯିବ, ଉକ୍ତ ଯୋଜନାର ପ୍ରତ୍ୟେକ ପ୍ରକଳ୍ପର ସଠିକ୍ ତଦାରଖ ଓ ପର୍ଯ୍ୟବେକ୍ଷଣ ନିମନ୍ତେ ସାମାଜିକ ସମୀକ୍ଷାର ପ୍ରାବଧାନ ରହିବ । ଏହି ଯୋଜନା ଅଧୀନରେ ସୃଷ୍ଟି ହେଇଥିବା ସ୍ଥାୟୀ ସମ୍ପତ୍ତି ମୁଖ୍ୟତଃ ଗୋଷ୍ଠୀଭିତ୍ତିକ ପ୍ରକଳ୍ପ । ତେଣୁ ଜଣସାଧାରଣ ଉପରେ ପ୍ରକଳ୍ପ କାର୍ଯ୍ୟାନ୍ୱୟନ, କାର୍ଯ୍ୟର ଗୁଣବତ୍ତା, ସୃଷ୍ଟି ହୋଇଥିବା ସମ୍ପତ୍ତିର ରକ୍ଷଣାବେକ୍ଷଣର ଦାୟିତ୍ୱ ନ୍ୟସ୍ତ ରହିବା ଆଶା କରାଯାଏ ।