ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):– ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠି ବାର ମାସରେ ତେର ପର୍ବ। ସେଥି ମଧ୍ୟରୁ ମକର ସଂକ୍ରାନ୍ତି ବା ମକର ପର୍ବ ଅନ୍ୟତମ। ତେବେ ଉତ୍ତର ଓଡିଶାର ଏକ ପ୍ରମୁଖ ଗଣପର୍ବ ଭାବେ ମକର ପର୍ବକୁ ବେଶ ଆନନ୍ଦର ସହିତ ପାଳନ କରିଥାନ୍ତି ଲୋକେ। ସେଥିପାଇଁ ମକର ପର୍ବ ପହଞ୍ଚିବା ପୂର୍ବରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଫଳରେ ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ ବେଶ ତତ୍ପରତା ତାସହିତ ମକର ସଂକ୍ରାନ୍ତି ପାଇଁ ଚଳଚଂଚଳ ମୟୂରଭଂଜ ସହର । ଆଉ ମାତ୍ର ଦିନକ ପରେ ମକର ସଂକ୍ରାନ୍ତି । ଏଥିପାଇଁ ସମସ୍ତେ ଉତ୍ସାହିତ ଥିବା ବେଳେ ପ୍ରସ୍ତୁତି ଆରମ୍ଭ ହେଇଯାଇଛି । ନୂଆ ଲୁଗା, ନୂଆ ହାଣ୍ଡି ଓ ଘର କରଣା ସାମଗ୍ରୀ ପାଇଁ ହାଟ ବଜାରରେ ଭିଡ଼ ଦେଖିବାକୁ ମିଳିଲାଣି । ଘରେ ଘରେ ପିଠାପଣା ପାଇଁ ଢ଼ିଙ୍କିରେ ଚୁନା କୁଟା ହେଉଥିବାର ଦେଖିବାକୁ ମିଳିଛି । ମୟୂରଭଂଜ ଜିଲ୍ଲାରେ ଭାଇଚାରା ଓ ବନ୍ଧୁମିଳନର ଅନନ୍ୟ ଉଦାହରଣ ମକର ପର୍ବ । ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ମକର ପର୍ବ ଆସିଲେ ଗାଁକୁ ଆସିଥାଆନ୍ତି । ନିଜ ପରିବାର ଓ ବନ୍ଧୁବାନ୍ଧବଙ୍କ ସହିତ ପର୍ବ ପାଳନ ପାଇଁ କାମଧନ୍ଦାରୁ ଅବସର ନେଇ ଗାଁକୁ ଫେରିଥାଆନ୍ତି । ମୟୂରଭଂଜ ଅଂଚଳରେ ମକର ପର୍ବର ଟୁସୁ ମିଳନ ସବୁଠୁ ଆକର୍ଷଣୀୟ । ଏଥିପାଇଁ ଜୋରସରରେ ତିଆରି ଚାଲିଛି ଟୁସୁ ମେଢ଼ । ଟୁସୁ କାରିଗର ମାନେ ଟୁସୁକୁ ଶେଷ ସ୍ପର୍ଶ ଦେଉଛନ୍ତି । ମକର ଦିନ ନୂଆ ବସ୍ତ୍ର ପିନ୍ଧି ପିଠାପଣା ଖାଇ ଧୁମ୍ ଧାମରେ ପର୍ବ ପାଳନ କରିବା ପରେ ବିଭିନ୍ନ ଅଂଚଳରେ ଟୁସୁ ମେଳା ଲାଗିଥାଏ । ଏହି ମେଳାକୁ ବିଭିନ୍ନ ଅଂଚଳରୁ ସୁସଜ୍ଜିତ ଟୁସୁ ଆସିଥାଏ । ମେଳାରେ ଢ଼ୋଲ ମାଦଳର ତାଳେ ତାଳେ ଟୁସୁ ଗୀତ ଗାଇ ନାଚିବାର ପରମ୍ପରା ରହିଛି l