ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଲୋକସଭା ନିର୍ବାଚନକୁ ନେଇ କସରତ ଚଳାଇଛି ବିଜେପି । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପରେ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଖୁବଶୀଘ୍ର ଘୋଷଣା କରିବ ଦଳ । ଏହି ପର୍ଯ୍ୟାୟରେ ଦଳ କାହାକୁ ଟିକେଟ ଦେବେ ସେନେଇ ସୋମବାର ସନ୍ଧ୍ୟାରେ ବସିଥିଲା କୋର କମିଟି ବୈଠକ । ବଳକା ଥିବା ରାଜ୍ୟରେ ପ୍ରାର୍ଥୀ ଘୋଷଣା କରିବ ବିଜେପି । କେଉଁ ରାଜ୍ୟରେ ଦଳ କାହାକୁ ଟିକେଟ ଦେବ ସେନେଇ ବୈଠକରେ ଆଲୋଚନା ହୋଇଥିଲା ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଗତକାଲି (ସୋମବାର) ବସିଥିଲା ବିଜେପିର କୋର କମିଟି ବୈଠକ । ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ହରିୟାଣା, ଓଡ଼ିଶା, ସିକ୍କିମ, ମହାରାଷ୍ଟ୍ର ଏବଂ ଗୁଜୁରାଟ ରାଜ୍ୟଗୁଡ଼ିକ ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ ଉପସ୍ଥିତ ଥିଲେ ।