ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସ୍ୱାମୀ ବିଜେଡି ପ୍ରାର୍ଥୀ । ସ୍ତ୍ରୀ ସ୍ୱାଧୀନ > ଚଳିତ ନିର୍ବାଚନରେ ଗୋଟିଏ ଗୋଟିଏ ଦଳରୁ ବାପା-ପୁଅ, ସ୍ୱାମୀ-ସ୍ତ୍ରୀ, ଦଳୀୟ ଟିକେଟ୍ରୁ ନିର୍ବାଚନ ଲଢ଼ୁଛନ୍ତି । କିନ୍ତୁ ପିପିଲିରେ ଏ ଚିତ୍ର ବଦଳିଯାଇଛି । ଗୋଟିଏ ପଟେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ବିଜେଡି ଟିକେଟରୁ ନିର୍ବାଚନ ଲଢ଼ୁଛନ୍ତି । ଆଉ ନାମାଙ୍କନ ବି ଦାଖଲ କରିସାରିଛନ୍ତି । ସେପଟେ ତାଙ୍କ ସ୍ତ୍ରୀ ଜାଗୃତି ପଣ୍ଡା ଏବେ ସ୍ୱାମୀଙ୍କ ବିରୋଧରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ଆସନ୍ତା ୨୫ ତାରିଖରେ ଏଠି ନିର୍ବାଚନ ହେବ। ତେବେ ଜାଗୃତି କାହିଁକି ସ୍ୱାଧୀନ ପ୍ରାର୍ଥୀ ଭାବେ ସ୍ୱାମୀଙ୍କ ବିରୋଧରେ ଲଢିବାକୁ ନାମାଙ୍କନ କରିଛନ୍ତି ସେନେଇ ମୁହଁ ଖୋଲିନାହାନ୍ତି। ଏହା ପୂର୍ବରୁ ଗତ ୩ ତାରିଖରେ ନାମାଙ୍କନ ଭରିଥିଲେ ରୁଦ୍ର ।
ତେବେ ସ୍ୱାମୀଙ୍କ ବିରୋଧରେ କାହିଁକି ନାମାନଙ୍କ ଭରିଲେ ଜାଗୃତି, ସେ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ଜାଗୃତିଙ୍କ ନାମାଙ୍କନ ପତ୍ରରେ ସେ ତାଙ୍କ ସମସ୍ତ ବିବରଣୀ ଦେବା ସହ ତାଙ୍କ ସ୍ୱାମୀଙ୍କ ନାଁ ମଧ୍ୟ ଦେଇଛନ୍ତି । ନୋମିନେସନ ପରେ ଇଲେକ୍ସନ କମିଶନଙ୍କ ୱେବସାଇଟରେ ବି ରହିଛି ଉଭୟ ରୁଦ୍ର ଓ ଜାଗୃତିଙ୍କ ନାଁ। ଜାଗୃତି ହେଉଛନ୍ତି ପିପିଲିର ୭ ଥରର ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ବୋହୁ। ପିପିଲି ଆସନରେ ସ୍ୱାମୀ-ସ୍ତ୍ରୀଙ୍କ ନାମାଙ୍କନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସ୍ୱାମୀ ରୁଦ୍ରଙ୍କ ନାମାଙ୍କନ ପତ୍ରରେ କୌଣସି ତ୍ରୁଟି ଥିଲେ କାଳେ ନାକଚ ହୋଇଯିବ ସେଥିପାଇଁ ଜାଗୃତି ବି ନାମାଙ୍କନ କରିଥିବା ଶୁଣିବାକୁ ମିଳୁଛି ।