ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା ୨୮ ତାରିଖ ମଧ୍ୟରାତ୍ରି ବା ସୋମବାର ମାଧରାତ୍ରି ଉଦଯାପିତ ହୋଇଯାଇଛି । ବାପଘରୁ ବିଦାୟ ନେଇଛନ୍ତି ମାଆ । ବାପା ଦେଶୀ ବେହେରା ସମସ୍ତ ରୀତିନୀତି ଅନୁସାରେ ଝିଅକୁ ଭାର ଦେଇ ପଠାଇଛନ୍ତି । ଗତ ୨୬ ଦିନ ଧରି ରେଶମ ସହର ବ୍ରହ୍ମପୁରରେ ଆୟୋଜିତ ହୋଇ ଆସୁଥିବା ପ୍ରସିଦ୍ଧ ମା’ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା ଉଦଯାପିତ ହୋଇଯାଇଛି । ମା’ଙ୍କ ମୁଖ୍ୟ ଘଟ ସହିତ ସମସ୍ତ ପାର୍ଶ୍ୱ ଘଟ, ମାଆଙ୍କ ମନ୍ଦିରରେ ପହଞ୍ଚିବା ପରେ ଉଦଯାପନୀ ହୋଇଛି ଏହି ଦ୍ବିବାର୍ଷିକ ଯାତ୍ରା ।
ପୁଣି ମା’ଙ୍କୁ ଅସ୍ଥାୟୀ ମନ୍ଦିରରେ ଦର୍ଶନ କରିବା ପାଇଁ ଭକ୍ତଙ୍କୁ ଅପେକ୍ଷା କରିବାକୁ ପଡିବ ଦୁଇ ବର୍ଷ । ସୋମବାର (ଏପ୍ରିଲ ୨୮) ମଧ୍ୟରାତ୍ରରେ ପରମ୍ପରା ଅନୁଯାୟୀ ମା’ଙ୍କ ଡାକରା ଘଟ ପହଞ୍ଚିବା ପରେ ନିର୍ଦ୍ଧାରିତ ସମୟ ଅନୁଯାୟୀ ମାଆଙ୍କ ମୁଖ୍ୟ ଘଟ ସହିତ ଆଠ ଗୋଟି ପାର୍ଶ୍ୱ ଘଟ ବାହାରିଥିଲା ମୁଖ୍ୟ ଆସ୍ଥାନ (ନିଜସ୍ୱ ମନ୍ଦିର ) ଅଭିମୁଖେ । ଚଳିତବର୍ଷ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା ଶେଷ ହେବା ପୂର୍ବରୁ ମା’ଙ୍କ ବାପଘର କୁହାଯାଉଥିବା ଦେଶୀ ବେହେରାଙ୍କ ପରିବାର ପକ୍ଷରୁ ଦିଆଯାଇଛି ବିଦାୟ । ଗତ ଅପ୍ରେଲ -୩ ତାରିଖ ଠାରୁ ନିଜ ବାପଘରେ ରହିଆସୁଥିବା ମାଆ ଠାକୁରାଣୀଙ୍କ ଆଗମନକୁ ନେଇ ଆୟୋଜିତ ହୋଇଥିବା ଯାତ୍ରା ମହାଆଡ଼ମ୍ବରରେ ସୋମବାର ମଧ୍ୟରାତ୍ରରେ ଶେଷ ହୋଇଛି । ନିଜ ବାପ ଘରେ ଦୀର୍ଘ ୨୬ ଦିନ ରହି ଲୀଳାଖେଳା କରୁଥିବା ମା’ ସାଆନ୍ତାଣୀଙ୍କୁ ଶେଷରେ ବିଦାୟ ଦେଇଛନ୍ତି ବାପା ତଥା ଯାତ୍ରାର ମୁଖ୍ୟ ପରିଚାଳକ ପି.ଦୁର୍ଗାପ୍ରସାଦ ଦେଶୀ ବେହେରା ।
ପ୍ରତ୍ୟେକ ଝିଅ ଯେପରି ବାପ ଘରକୁ ଆସିଥାଏ ସେହିପରି ମାଆ ବୁଢୀ ଠାକୁରାଣୀ ଗତ ଦୁଇ ବର୍ଷ ପରେ ନିଜ ବାପାଘରକୁ ଆସିଥିବା ବେଳେ ଏହାକୁ ନେଇ ଆୟୋଜିତ ହୋଇଥିଲା ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା । ପ୍ରତ୍ୟେକ ଦିନ ରାଜ୍ୟ ତଥା ଦେଶ ଓ ବିଦେଶରୁ ବହୁ ଭକ୍ତ ଆସି ନିୟମିତ ଭାବରେ ମା’ ଙ୍କୁ ଦର୍ଶନ କରି ଫେରୁଥିଲେ । ହେଲେ ଶେଷରେ ପରମ୍ପରା ଅନୁଯାୟୀ ମା’ଙ୍କୁ ବିଦାୟ ଦେଇଥିବାରୁ ସେହି ମୁହୁର୍ତ୍ତକୁ ନେଇ ବେଶ ଦୁଃଖିତ ବୋଲି କହିଛନ୍ତି ମାଆଙ୍କ ବାପା ପି.ଦୁର୍ଗାପ୍ରସାଦ ଦେଶୀ ବେହେରା । ବାପା ଦୁର୍ଗାପ୍ରସାଦ ଦେଶୀବେହେରା କହିଛନ୍ତି ‘‘ଦୀର୍ଘ ୨୬ ଦିନ ଧରି ମା’ ଯିଏ କି ତାଙ୍କ ଝିଅ ଏଠାରେ ରହି ଆସୁଥିଲେ ଏବଂ ଜଗତକୁ ଆର୍ଶୀବାଦ କରି ଆସୁଥିଲେ, ଦର୍ଶନ ଦେଉଥିଲେ, ସାହି ପରିକ୍ରମା କରୁଥିଲେ ଯାହାକୁ ନେଇ ସମସ୍ତେ ଖୁସିରେ ରହୁଥିଲେ । ହେଲେ ମା’ ଫେରୁଥିବା ଯୋଗୁଁ ଆମ ପରିବାର , ଭକ୍ତ ମାନେ ସମସ୍ତେ ମା’ ନିଜ ଶାଶୁ ଘରକୁ ଫେରିଯାଉଥିବା ଯୋଗୁଁ ଦୁଃଖରେ ମା’ ଙ୍କୁ ବିଦାୟ ଦେଉଛନ୍ତି’’ ।
ଦୁଇ ବର୍ଷ ପରେ ଝିଅ ରୂପେ ବାପା ଘରକୁ ଆସିଥିଲେ ମାଆ ବୁଢୀ ସାଆନ୍ତାଣୀ । ଏଣୁ ମାଆଙ୍କୁ ବିଦାୟ ଦେବା ସମୟରେ ପରମ୍ପରା ଅନୁଯାୟୀ ମାଆଙ୍କ ବାପା ସମସ୍ତ ଜୁଗାଡ (ଭାର) ଦେଇଥିବା କହିଛନ୍ତି । ମାଆଙ୍କର ଘଟ ଆଗରେ ଯାଉଥିବା ବେଳେ ସମସ୍ତ ଜୁଗାଡ ପଛରେ ଯାଉଥିବା କହିଛନ୍ତି ବାପା ଦେଶୀ ବେହେରା । ବ୍ରହ୍ମପୁରର ବୁଢୀ ସାଆନ୍ତାଣୀ ଯାତ୍ରାରେ ମାଆଙ୍କୁ ବିଦାୟ ଦେବା ଯେତିକି ଦୁଃଖ ଦାୟକ ତା ଠାରୁ ଅଧିକା ରହିଥାଏ ପରମ୍ପରାକୁ ନେଇ ହଜାର ହଜାର ମାନସିକ ଘଟର ପରିକ୍ରମା ।
ମାଆ ବାପଘରେ ରହିଥିବା ଯୋଗୁଁ ମୁଖ୍ୟ ମନ୍ଦିର ଶାଶୁଘରୁ ମାଁଙ୍କୁ ଡାକରା ପାଇ ଆସିଥିବା ଶହସ୍ରାକ୍ଷୀ ଘଟ ଏହି ଉଦଯାପନୀ ଯାତ୍ରାରେ ସର୍ବାଗ୍ରେ ଯାଉଥିବା ବେଳେ ତାରି ପଛରେ ମାଆଙ୍କର ମୁଖ୍ୟ ଘଟ ସହିତ ୮ଟି ପାର୍ଶ୍ୱ ଘଟ ଏବଂ ତାହାରି ପଛରେ ରହିଥାଏ ହଜାର ହଜାର ମାନସିକ ଘଟର ପରିକ୍ରମା । ମାଆ ବାପଘରୁ ଶାଶୂ ଘରୁ ଫେରୁଥିବା ଯୋଗୁଁ ସହର ସମେତ ଜିଲ୍ଲା ତଥା ରାଜ୍ୟର ହଜାର ହଜାର ମହିଳା ମାଆଙ୍କୁ ବାପଘରୁ ନେଇ ଶାଶୁଘରେ ଛାଡିବା ପାଇଁ ସଂପୂର୍ଣ୍ଣ ଉପବାସ ରହି ନିଜ ଘରେ ଘଟ ବସାଇ ବିଦାୟ ଦେବାର ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି ।
ହଜାର ହଜାର ମହିଳା ଏହି ମାନସିକ ଘଟ ଶୋଭାଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥାଏ ।ଗୋଟିଏ ପଟେ ମା’ ନିଜର ଆସ୍ଥାନକୁ ଫେରିଯାଇଥିବା ବେଳେ ଯେତିକି ଦୁଃଖ ପୁଣି ଆସନ୍ତା ୨୦୨୭ ରେ କେବେ ବାପା ଘରକୁ ଆସିବେ ସେହି ଦିନକୁ ନେଇ ଖୁସିରେ ଅପେକ୍ଷା କରି ରହିବେ ବୋଲି କହିଛନ୍ତି ଯାତ୍ରାର ମୁଖ୍ୟ ପରିଚାଳକ ।
ସେପଟେ ମାଁ’ଙ୍କ ସେବାରେ ଲାଗିପଡିଛନ୍ତି ବ୍ରହ୍ମପୁର ଫୁଲ ବ୍ୟବସାୟୀ l ମାଁ ବୁଢ଼ୀ ଠାକୁରାଣୀ ମନ୍ଦିରକୁ ଫେରିବେ, ମଙ୍ଗଳବାର ଠାରୁ ମନ୍ଦିରରେ ପୂଜା ପାଇବେ।
ମାଁ ଆସିବା ପୂର୍ବରୁ ମନ୍ଦିରକୁ ଫୁଲରେ ସଜାଇଛନ୍ତି ଫୁଲ ବ୍ୟବସାୟୀ ସଂଘ। ଦେଢ଼ ଟନ ଫୁଲରେ ମନ୍ଦିରକୁ ସୁସଜ୍ଜିତ କରି ଦେବୀଙ୍କ ପାଖରେ ସମର୍ପିତ ହୋଇଛନ୍ତି। ଦେବୀଙ୍କ ସେବାରେ ପ୍ରାୟ ୭୦ କାରିଗର ନିୟୋଜିତ ହୋଇଛନ୍ତି।