ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଉତ୍ତମଙ୍କ ଶେଷକୃତ୍ୟ ସମ୍ପନ୍ନ 

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପଞ୍ଚଭୂତରେ ବିଲୀନ ହେଲେ ଓଲିଉଡ ଜଗତର ଅଦ୍ବିତୀୟ ନାୟକ ଉତ୍ତମ ମହାନ୍ତି । ଭୁବନେଶ୍ବର ସ୍ଥିତ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ହିନ୍ଦୁ ରୀତିନୀତି ଅନୁସାରେ ଅନ୍ତିମ ସଂସ୍କାର ହୋଇଥିବାବେଳେ ପୁଅ ବାବୁସାନ ଦେଇଛନ୍ତି ମୁଖାଗ୍ନି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିବାବେଳେ ପତ୍ନୀ ଅପରାଜିତା ଓ ପୁଅ ବାବୁସାନଙ୍କୁ ଭେଟି ସମବେଦନା ଜଣାଇଥିଲେ । କାନ୍ଦ ବୋବାଳିରେ ଫାଟି ପଡୁଥିଲା ପରିବେଶ । ପରିବାର, ପ୍ରଶଂସକ ଓ ବନ୍ଧୁ ପରିଜନ ସମସ୍ତେ ଉତ୍ତମଙ୍କୁ ଦେଇଛନ୍ତି ଅଶ୍ରୁଳ ବିଦାୟ ।ଉତ୍ତମ ହେଉଛନ୍ତି ନିଜ ନାଁକୁ ସାର୍ଥକ କରିପାରିଥିବା ନାୟକ । ତାଙ୍କ ଅଭିନୟ ଯେତିକି ଉତ୍ତମ, ସେତିକି ଉତ୍ତମ ତାଙ୍କ ବ୍ୟକ୍ତିତ୍ବ ଓ ବ୍ୟବହାର । ଲିଭର ସିରୋସିସରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ଗତ କିଛି ଦିନ ପୂର୍ବରୁ ହଠାତ୍ ଗୁରୁତର ହୋଇଥିଲେ ଉତ୍ତମ । ତାଙ୍କୁ ପ୍ରଥମେ ଭୁବନେଶ୍ବର ସ୍ଥିତ ହସ୍ପିଟାଲ ଓ ପରେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉତ୍ତମଙ୍କ ପରଲୋକ ପରେ ଭୁବନେଶ୍ବର ଆସିଥିଲା ମରଶରୀର । ବାସଭବନରେ ସମସ୍ତେ ଅନ୍ତିମ ଦର୍ଶନ କରିବା ପରେ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି l

 

ଅଭିମାନରୁ ଅଭିନୟ କ୍ୟାରିଅର ଆରମ୍ଭ କରି ଦଣ୍ଡା ବାଳୁଙ୍ଗା ଉଦଣ୍ଡୀ ସୀତା, ଜୋରଦାର ମୁଲକ ତାର, ଦେଖ ଖବର ରଖ ନଜର, ଲକ୍ଷ୍ମଣ ରେଖା, ସେଇ ଝିଅଟି ଓ ପରଦେଶୀ ଚଢେଇ ଭଳି ସୁପରହିଟ୍ ଫିଲ୍ମ ସେ ଭେଟି ଦେଇଛନ୍ତି । ଶତାଧିକ ଓଡିଆ ଚଳଚ୍ଚିତ୍ର ସହ ବଙ୍ଗାଳୀ ଓ ଗୋଟିଏ ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ଏହି ସୁପରଷ୍ଟାର । ଲଭ, ରୋମାନ୍ସ ହେଉ ଅବା ଆକ୍ସନ, ପରଦା ଉପରେ ନିଜର ଚମତ୍କାର ଅଭିନୟ ପାଇଁ ଦର୍ଶକଙ୍କ ପ୍ରିୟ ହିରୋ ସାଜିଥିଲେ ଉତ୍ତମ ।ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ଉତ୍ତମଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି । ତାଙ୍କର ଅବର୍ତ୍ତମାନ ସିନେ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।

LEAVE A REPLY

Please enter your comment!
Please enter your name here