ବିପ୍ଲବୀ ପରିକ୍ରମା ଡିଜିଟାଲ :- ରବିବାର କେନ୍ଦୁଝରରେ କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଧରଣୀଧର ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ ପାଞ୍ଚ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ କହିଛନ୍ତି,”କୃଷି ଯନ୍ତ୍ରପାତି ମେଳା କୃଷି ପଦ୍ଧତିକୁ ଆଧୁନିକୀକରଣ କରିବା ସହିତ ଆମ ଚାଷୀଙ୍କୁ ଆଜିର ବିଶ୍ବ ବଜାରରେ ପ୍ରତିଯୋଗୀ ଭାବେ ଗଢ଼ି ତୋଳିବାରେ ସକ୍ଷମ ହେବ । କୃଷକର ଉନ୍ନତିରେ ରାଜ୍ୟର ବିକାଶ ସମ୍ଭବ ହେଇପାରିବ । ଆମ ଚାଷୀଙ୍କ ଆୟ ରାଜ୍ୟର ହାରାହାରି ଆୟଠୁ ଅଧିକ ହେବ । ସେହି ଦିଗରେ ଆମେ କାର୍ଯ୍ୟ କରୁଛୁ । ଓଡିଶା ଏକ କୃଷି ଭିତ୍ତିକ ରାଜ୍ୟ ଭାବେ ୬୦ ପ୍ରତିଶତରୁ ଉର୍ଦ୍ଧ୍ଵ ଲୋକେ କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟ ଉପରେ ନିର୍ଭରଶୀଳ । ତେଣୁ ଆମ ସରକାର ଆସିବାର ମାତ୍ର ୨୪ ମିନିଟ ମଧ୍ୟରେ ରାଜ୍ୟର ଚାଷୀ ଭାଇଭଉଣୀଙ୍କ ଆୟରେ ବୃଦ୍ଧି କରିବା ପାଇଁ ‘କୃଷକ ସମୃଦ୍ଧି ଯୋଜନା’ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଯାହା ଆମ ସରକାରଙ୍କ କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ଥିବା ପ୍ରତିଶ୍ରୁତିବଦ୍ଧତାକୁ ପ୍ରଦର୍ଶନ କରୁଛି । ସମାଜର ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ଅଙ୍ଗ ହେଉଛନ୍ତି ଆମର କୃଷକ ସମାଜ । ଯେଉଁମାନେ ଖରା,ବର୍ଷା, ଶୀତକୁ ନଡ଼ରି ହାଡଭଙ୍ଗା ପରିଶ୍ରମ ଦ୍ଵାରା ଆମ୍ଭ ସମସ୍ତଙ୍କୁ ଆହାର ଦେଇଥାନ୍ତି । ସେମାନଙ୍କ ବିନା ସମାଜର ପରିକଳ୍ପନା କରିବା ଅସମ୍ଭବ । ତେଣୁ ଅନ୍ନଦାତାଙ୍କୁ ଯେତେ ଧନ୍ୟବାଦ କଲେ ମଧ୍ୟ ତାହା ସବୁବେଳେ କମ ହିଁ ହେବ ବୋଲି ନିଜ ଅଭିଭାଷଣ ରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l