ଗଜପତି ( ବିପ୍ଲବୀ ପରିକ୍ରମା ):- ବହୁ ଚର୍ଚ୍ଚିତ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ଶରଧାପୁର ସ୍ବଶାନଘାଟ ନିକଟରେ ସଙ୍ଘବଦ୍ଧ ହତ୍ୟା ଘଟଣାରେ ପାଞ୍ଚ ଦିନ ମଧ୍ୟରେ ଗଜପତି ପୋଲିସକୁ ମିଳିଛି ସଫଳତା । ୫ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଘଟଣାରେ ସମ୍ପୃକ୍ତ ଅନ୍ୟ ତିନି ଜଣଙ୍କୁ ଅତି ଶୀଘ୍ର ଗିରଫ କରାଯିବା ପାଇଁ ଉଦ୍ୟମ ଜାରି ରହିଥିବା ପାରଳାଖେମୁଣ୍ଡି ଏସଡିପିଓ ମାଧବାନନ୍ଦ ନାୟକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ସୂଚନା ମୁତାବକ ଘଟଣା ଦିନ ଅର୍ଥାତ ୧୮ ତାରିଖ ସନ୍ଧ୍ୟା ପ୍ରାୟ ୮.୩୦ ମଧ୍ୟରେ ୫ ଅଭିଯୁକ୍ତ ଶରଧାପୁର ସ୍ବଶାନଘାଟ ନିକଟରେ ଭିନ୍ନଳା ଗ୍ରାମର ପ୍ରଶାନ୍ତ ଜେନା (୨୪)ଙ୍କୁ ଲୁହାଛଡ ଏବଂ ଶକ୍ତ କାଠ ବାଡିରେ ବାରମ୍ବାର ଆଘାତ କରିଥିଲେ । ଏନେଇ ଘଟଣାସ୍ଥଳରେ ଉପସ୍ଥିତ ଥିବା ମୃତ ପ୍ରଶାନ୍ତଙ୍କ ଅନ୍ୟ ଦୁଇ ଜଣ ସାଙ୍ଗ ଯଥା କାଳିଆ ଓରଫ ଲବ ଜେନା ଏବଂ ସୁରେଶ ବାରିକଙ୍କୁ ମଧ୍ୟ ଅଭିଯୁକ୍ତମାନେ ମାରିବା ପାଇଁ ଉଦ୍ଦ୍ୟମ କରିଥିଲେ । ସେମାନେ ପ୍ରାଣବିକଳରେ ଘଟଣାସ୍ଥଳରୁ ଚାଲିଯାଇ ମୃତ ପ୍ରଶାନ୍ତଙ୍କ ପରିବାର ଏବଂ ଗ୍ରାମବାସୀଙ୍କୁ ତୁରନ୍ତ ଖବର ଦେଇଥିଲେ ।
ପରିବାର ଲୋକେ ଓ ଗ୍ରାମବାସୀ ପହଞ୍ଚି ଗୁରୁତର ପ୍ରଶାନ୍ତଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସାନିମନ୍ତେ ଆଣିଥିଲେ ମଧ୍ୟ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଠାରେ ଥିବା ଘରୋଇ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ନେବା ବେଳେ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଥିଲା । ଏନେଇ ପ୍ରଶାନ୍ତଙ୍କ ପରିବାର ପକ୍ଷରୁ ଗୁରାଣ୍ଡି ଥାନାରେ ଅଭିଯୋଗ ପରେ ପୋଲିସ ତନାଘନା ଆରମ୍ଭ କରି ଘଟଣାସ୍ଥଳରୁ ତିନି ଗୋଟି ବାଇକ, ଗୋଟିଏ ରକ୍ତ ଛିଟା ଲାଗିଥିବା ବାଡି, ଗୋଟିଏ ଲୁହାପାଇପକୁ ଜବତ କରିବା ସହ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରିରଖିଥିଲା ପୋଲିସ । ତେବେ ଆଜି ଦୁଇ ଜଣ ଅଭିଯୁକ୍ତ ସିମାଞ୍ଚଳ ପ୍ରଧାନ (40) ଏବଂ ସନ୍ତୋଷ ସ୍ବାଇଁ (32) ଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଅନ୍ୟ ତିନି ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି କହିଛି ପୋଲିସ । ଅପରପକ୍ଷରେ ସମସ୍ତ ଅଭିଯୁକ୍ତ ଏବଂ ମୃତ ଯୁବକଙ୍କ ମଧ୍ୟରେ ଖୁବ୍ ଭଲ ସମ୍ପର୍କ ରହିଥିଲା । ତେବେ ସିମାଞ୍ଚଳ ପ୍ରଧାନଙ୍କ ପତ୍ନୀ ପାର୍ବତୀ ପ୍ରଧାନଙ୍କ ସହ ମୃତ ପ୍ରଶାନ୍ତଙ୍କ ଅବୈଧ ସମ୍ପର୍କ ଥିବା ଗୁଜବକୁ ନେଇ ଏମାନଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ଇତି ମଧ୍ୟରେ 27.02.2024 ତାରିଖରେ ପାର୍ବତୀ ପ୍ରଧାନ ବିଷ ପାନ କରି ମୃତ୍ୟୁବରଣ କରିଥିଲେ । ଯାହାକୁ ନେଇ ଅଭିଯୁକ୍ତମାନେ ପ୍ରଶାନ୍ତ ହିଁ ପାର୍ବତୀଙ୍କ ମୃତ୍ୟ ପାଇଁ ଦାୟୀ ବୋଲି ଧରିନେଇଥିଲେ ।
ସେବେ ଠାରୁ ପ୍ରଶାନ୍ତ ନିଜ ଗ୍ରାମ ଭିନ୍ନଳା ଛାଡିଦେଇଥିଲେ । ଅନ୍ୟତ୍ର ରହି ଆସୁଥିଲେ । ତେବେ 18 ତାରିଖରେ ନିଜ ଗ୍ରାମକୁ ଆସିଥିଲେ । ସନ୍ଧ୍ୟା ସମୟରେ ପ୍ରଶାନ୍ତ ଶରଧାପୁର ଗ୍ରାମ ନିକଟସ୍ଥ ମହେନ୍ଦ୍ରତନୟା ବ୍ରିଜ୍ ନିକଟକୁ କାଳିଆ ଏବଂ ସୁରେଶଙ୍କୁ କୌଣସି କାମରେ ଡକାଇ ସେଠାରେ ରହିଥିଲେ । ଏମାନଙ୍କୁ ଅଭିଯୁକ୍ତ ସିମାଞ୍ଚଳ ଦେଖି ଦେଇଥିବା ବେଳେ ନିଶ୍ଚିତ ପ୍ରଶାନ୍ତ ଏହି ଅଞ୍ଚଳରେ ରହିଛି ବୋଲି ଅନୁମାନ କରିଥିଲେ । ପରେ ଅନ୍ୟ ଅଭିଯୁକ୍ତଙ୍କୁ ସଂଘବଦ୍ଧ ଆକ୍ରମଣ ପାଇଁ ଡକାଇ ଥିଲେ । ମୃତ ପ୍ରଶାନ୍ତ, କାଳିଆ ଏବଂ ସୁରେଶ ଶରଧାପୁର ସ୍ବଶାନଘାଟ ନିକଟରେ କଥା ହେଉଥିବା ଦେଖି ପୂର୍ବରୁ ପ୍ରସ୍ତୁତ ହୋଇ ଆସିଥିବା ଅଭିଯୁକ୍ତମାନେ ଅତର୍କିତ ଆକ୍ରମଣ କରିଦେଇଥିଲେ । ପ୍ରଶାନ୍ତଙ୍କ ଅନ୍ୟ ଦୁଇ ଜଣ ସାଙ୍ଗ ପ୍ରାଣବିକଳରେ ଦୌଡି ପଳାଇବାକୁ ସକ୍ଷମ ହୋଇଥିଲେ ହେଁ ପ୍ରଶାନ୍ତ ବର୍ତ୍ତିପାରିନଥିଲା ।