ଆରମ୍ଭ ହେଲା ପାଣ୍ଡିଆ ଯୁଗ

0

ଭୁଭନେଶ୍ୱର (ବିପ୍ଲବୀ ପରିକ୍ରମା ): ପଲିଟିକ୍ସରେ ପାଣ୍ଡିଆନ୍। ରାଜ୍ୟ ରାଜନୀତିରେ ବଡ଼ ହଲ୍‌ଚଲ୍। ସାଧାରଣ ନିର୍ବାଚନକୁ ଆଉ ୫ ମାସ ବାକି। ଏହାପୂର୍ବରୁ ପାଣ୍ଡିଆନ୍ ବିଜେଡିରେ ଯୋଗ ଦେଇ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବାରୁ ପାୱାର କରିଡରରେ ଚର୍ଚ୍ଚା ଜୋର୍ ଧରିଛି । ପ୍ରଶାସନିକ କ୍ଷେତ୍ରରେ ହାସଲ କରିଥିବା ଅଭିଜ୍ଞତା ଦଳର ସଂଗଠନକୁ ସୁଦୃଢ କରିବାରେ ସହାୟକ ହେବ ବୋଲି ବିଜେଡିର ତୁଙ୍ଗ ନେତାମାନେ ଦାବି କରିଛନ୍ତି।ଏପଟେ ରାଜନୀତିରେ ପଶୁ ପଶୁ ବିଜେଡି ରାଜନେତା ପାଣ୍ଡିଆନଙ୍କ ଉପରେ ଆରମ୍ଭ ହୋଇଯାଇଛି ରାଜନୈତିକ ହମଲା। ଶଙ୍ଖ ଧରୁ ଧରୁ ତାଙ୍କ ଉପରେ ଓଡ଼ିଆ ଅସ୍ମିତାର ତୀର ମାରିଛନ୍ତି ବିରୋଧୀ। ବିରୋଧୀ ବିଜେପି କହିଛି, ପାଣ୍ଡିଆନ୍‌ଙ୍କ ଭଳି ଅନେକ ଆସିଲେଣି, ଗଲେଣି । କିଛି ପ୍ରଭାବ ପଡିବନି। ସେପଟେ ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଓଡ଼ିଶାରେ ଡିପ୍ ଫେକ୍ ସରକାର ଚାଲିଛି ବୋଲି କହି କଡ଼ା ସମାଲୋଚନା କରିଛନ୍ତି। ଅଭିଯୋଗ କରିଛନ୍ତି, ଓଡ଼ିଶା ଏବେ ରାଜନୈତିକ, ଆର୍ଥିକ, ସାଂସ୍କୃତିକ ଓ ସାମାଜିକ ବିପର୍ଯ୍ୟୟ ଆଡକୁ ମୁହାଁଇଛି। ସେହିପରି କଂଗ୍ରେସ କହିଛି ଏହା ଅପ୍ରତ୍ୟାଶିତ ନଥିଲା। ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱସ୍ତ ପାଣ୍ଡିଆନ୍ ଏବେ ବିଜେଡିରେ ଯୋଗ ଦେଇଥିବାରୁ ଅନେକ ଦାୟିତ୍ୱ ସହ ଚାଲେଞ୍ଜର ସମ୍ମୁଖୀନ ହେବେ। ଯେହେତୁ ସେ ଦଳରେ ଯୋଗ ଦେଇଛନ୍ତି ସୁପ୍ରିମୋ ତାଙ୍କୁ ବଡ଼ ପଦବିରେ ଅବସ୍ଥାପିତ କରିବା ନିଶ୍ଚିତ। ତେବେ ସେ କେଉଁ ପଦବି ପାଉଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର। ୨୦୨୪ ନିର୍ବାଚନରେ ଦଳୀୟ ଟିକେଟ ବଣ୍ଟନରେ ସେ ବଡ଼ ଭୂମିକା ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଦଳ ଭିତରେ କୁହୁଳୁଥିବା ପୁଞ୍ଜିଭୂତ ଅସନ୍ତୋଷକୁ ପ୍ରଶମିତ କରି ଏକାଧିକ ଆଶାୟୀଙ୍କୁ ମ୍ୟାନେଜ୍ କରିବା ବି ତାଙ୍କ ପାଇଁ ଚାଲେଞ୍ଜ। ସବୁଠାରୁ ବଡ଼ ଚାଲେଞ୍ଜ ହେବ, ଏବେ ସେ ରାଜନୈତିକ ବ୍ୟକ୍ତି ହୋଇଥିବାରୁ ବିରୋଧୀଙ୍କ ଆକ୍ରମଣର ଜବାବ ଦେବାକୁ ପଡ଼ିବ। ୨୪ ନିର୍ବାଚନ ପାଖୋଉ ପାଖୋଉ ରାଜନୀତିକୁ ଏଣ୍ଟ୍ରି କରିବା ପୂର୍ବରୁ ସିଏମଓ ଡୋରଷ୍ଟେପ୍‌କୁ ଯାଉଛି କହି ମୈଦାନ ପରଖିବାକୁ ୩୦ଟା ଯାକ ଜିଲ୍ଲା ବୁଲିଲେ। ବିବାଦ ବଢ଼ିବାରୁ ଗତ ମାସ ମହାନବମୀରେ ଆଇଏଏସ୍ ଚାକିରି ଛାଡ଼ିଲେ। ଆଉ ୨୪ ଘଣ୍ଟା ନ ପୂରୁଣୁ ବିଜୟା ଦଶମୀ ଅର୍ଥାତ୍ ଅକ୍ଟୋବର ୨୪ ତାରିଖରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଏକାଥରେ ଫାଇଭ୍-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ପଦରେ ବସାଇଲେ। ତେବେ ପାଣ୍ଡିଆନଙ୍କ ରାଜନୈତିକ ସଫଟଲ୍ୟାଣ୍ଡିଂ ଏତିକିରେ ସରିନଥିଲା। ଦୁଇ ଦୁଇଟି ପଦବୀରେ ରହିବା ପରଠୁ ବିଭିନ୍ନ ସରକାରୀ ସଂଗଠନଠୁ ନେଇ ଦଳୀୟ ତଥା ଅନ୍ୟ ସଂଗଠନ ଯାଏ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଦେବାକୁ ନବୀନ ନିବାସରେ ପ୍ରାୟ ପ୍ରତିଦିନ ଭିଡ଼ ଲାଗୁଥିଲା। ଆଉ ମାହୋଲ ବନିବା ପରେ ଶେଷରେ କାର୍ତ୍ତିକ ପୂର୍ଣ୍ଣିମାରେ ସିଧାସଳଖ ରାଜନୀତିକୁ ଓହ୍ଲାଇଲେ ପାଣ୍ଡିଆନ୍। ଚର୍ଚ୍ଚା, ଆଲୋଚନା, ପର୍ଯ୍ୟାଲୋଚନାକୁ ଏଡାଇ ପାଣ୍ଡିଆନ୍ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ତେବେ ରାଜନୀତି ମଇଦାନରେ ପାଣ୍ଡିଆନଙ୍କୁ କେତେ ସମର୍ଥନ ଓ ସଫଳତା ମିଳୁଛି ତାକୁ ଅପେକ୍ଷା।

LEAVE A REPLY

Please enter your comment!
Please enter your name here