ପାରଳାଖେମୁଣ୍ଡି :ପାରଳା ପୌରପରିଷଦ ୬ ନମ୍ବର ୱାର୍ଡର କାଉନସିଲର୍ ପଦବୀ ବର୍ଷେ ହେଲା ଖାଲି ପଡିଛି । ସୂଚନା ଯୋଗ୍ୟ ଯେ, ଏହି ୱାର୍ଡରୁ ବିଜେଡିର ଜି.ଭେଙ୍କଟରାବଣା ଗତ ପୌର ନିର୍ବାଚନରେ କାଉନସିଲର୍ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ଗତ ବର୍ଷ ଡିସେମ୍ବର ୨୦୨୩ ରେ ତାଙ୍କର ଅକାଳ ବିୟୋଗ ହୋଇଥିଲା । ସେହି କାରଣରୁ ଏହି ୱାର୍ଡର କାଉନସିଲର୍ ପଦବୀଟି ସେହି ଦିନଠାରୁ ଖାଲିପଡିଛି । ନିୟମାନୁଯାୟୀ କୌଣସି ନିର୍ବାଚିତ ପ୍ରତିନିଧିଙ୍କ ମୃତ୍ୟୁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ପଦବୀ ଖାଲିପଡେ ତାହା ହେଲେ ୬ ମାସ ମଧ୍ୟରେ ଉପନିର୍ବାଚନ ହେବା ବାଧ୍ୟତାମୂଳକ ଅଟେ । ଏ ବିଷୟରେ ପୌରପରିଷଦର ନିର୍ବାଚନ ଅଧିକାରୀ ଓ ଜିଲ୍ଲା ନିର୍ବାଚନ ଅଧିକାରୀ ଧ୍ୟାନ ଦେବା କଥା କିନ୍ତୁ ସେଥିରେ ବ୍ୟତିକ୍ରମ ଘଟିଛି । ଏଭଳି ସ୍ଥଳେ ଗଜପତି ଜିଲ୍ଲାର ଏକ ମାତ୍ର ପୌରପରିଷଦର ଖାଲି ପଡ଼ିଥିବା କାଉନସିଲର ପଦବି ପୁରଣ ଦିଗରେ ଜିଲ୍ଲା ନିର୍ବାଚନ ଅଧିକାରୀ କିମ୍ବା ରାଜ୍ୟ ନିର୍ବାଚନ ଆୟୋଗ ପଦକ୍ଷେପ ନେବା କଥା କିନ୍ତୁ ସ୍ବର୍ଗତ କାଉନସିଲର ଜି ରାବଣାଙ୍କ ଦେହାନ୍ତ ପରେ ଏଯାବତ କାହିଁକି ଚୁପ୍ ରହିଛନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋଟିଏ ଓ୍ଡାଡର ମୁଖ୍ୟ ବା ସେହି ଓ୍ବାଡର ପ୍ରଥମ ନାଗରିକ ହେଉଛନ୍ତି କାଉନସିଲର ଆଉ ସେହି ଓ୍ବାର୍ଡ ବାସିନ୍ଦାଙ୍କ ଭଲ ମନ୍ଦ ବୁଝିବା ପାଇଁ ଓ୍ବାର୍ଡ ବାସିନ୍ଦା ତାଙ୍କୁ ନିର୍ବାଚିତ କରିଥାନ୍ତି । କାଉନସିଲରଙ୍କ ଜରିଆରେ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ କାର୍ଯ୍ୟକାରୀ ହୁଏ ତେବେ ଗୋଟିଏ ବର୍ଷ ଧରି ମୁରବିହିନ ହୋଇଥିବାରୁ ଓ୍ବାର୍ଡରେ ଉନ୍ନୟନମୂଳକ କାର୍ଯ୍ୟ ହୋଇ ପାରୁନଥିବା ବେଳେ ଓ୍ବାର୍ଡରେ ନାନା ସମସ୍ୟା ଲାଗିରହିଥିବା ଏବଂ ସମସ୍ୟାର ସମାଧାନ ପାଇଁ ନେତୃତ୍ୱ ନଥିବା କହିଛନ୍ତି ଓ୍ବାର୍ଡ ବାସିନ୍ଦା। ଅନେକ ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ଅଟକି ରହିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ପୌରପରିଷଦରେ ସେହି ୱାର୍ଡରେ ବସବାସ କରୁଥିବା ପାଖାପାଖି ୩୦୦୦ ଜନସାଧାରଣଙ୍କ ପ୍ରତିନିଧି ନଥିବାରୁ ତାଙ୍କର ସମସ୍ଯା କିମ୍ବା ଦାବି ଉପସ୍ଥାପନ ଏବଂ ଉନୟନ ମୂଳକ କାର୍ଯ୍ୟ ହେଉପାରିନଥିବା ବେଳେ ପଦବୀ ପୂରଣ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ବିଜେଡ଼ି ନେତା ତଥା ପୁର୍ବତନ ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ ।
ଲୋକଙ୍କ ଗୁହାରି ଶୁଣିବାକୁ ଜନପ୍ରତିନିଧି ନାହାନ୍ତି ତେଣୁ ଯଥାଶୀଘ୍ର ଏହି ପଦବୀ ପୂରଣ ପାଇଁ ରାଜ୍ୟ ସରକାର , ରାଜ୍ୟ ନିର୍ବାଚନ ଆୟାଗଙ୍କୁ ଅନୁରୋଧ କରିଛନ୍ତି କାଉନସିଲର ବିଭୁତି ଭୁଷଣ ବେହେରା । ଏନେଇ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସଙ୍କ କହିବା ହେଲା ନିୟମ ଅନୁସାରେ ପଦବି ଖାଲି ସମ୍ପର୍କରେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଜଣାଇ ଦିଆଯାଇଛି ଯାହା ନିର୍ଦ୍ଦେଶ ଆସିବ ଆମେ ତାକୁ କାର୍ଯ୍ୟକାରୀ କରିବୁ ।