ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେଉଥିବା ପ୍ରବାସୀ ଭାରତୀୟ ଦିବସର ଉଦ୍ଯାପନୀ ଉତ୍ସବରେ ଆଜି ଯୋଗଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶୁକ୍ରବାର ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସ୍ବାଗତ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ସମ୍ମିଳନୀରେ ଉଦବୋଧନ ଦେବା ସହ ୨୭ଜଣ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିବା ର ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ସୂଚନା ପ୍ରକାରେ , ଗତକାଲି ସନ୍ଧ୍ୟା ପାଖାପାଖି ସାଢ଼େ ୫ଟା ସମୟରେ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ । ସେଠାରୁ ରାଷ୍ଟ୍ରପତି ସିଧାସଳଖ ରାଜଭବନ ଅଭିମୁଖେ ବାହାରିଥିଲେ । ଏହି ସମୟରେ ରାଷ୍ଟ୍ରପତି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ରାସ୍ତାର ଉଭୟ ପାର୍ଶ୍ବରେ ପାରମ୍ପରିକ ନୃତ୍ୟ, ଗୀତ ଓ ବାଦ୍ୟରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯାଇଥିଲା।