ଅସଲି ପୋଲିସ ଧରିଲା ନକଲି ପୋଲିସ କୁ 

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାଜଧାନୀରେ ବ୍ଲକିଂ ଚେକିଂ ବେଳେ ଧରାପଡ଼ିଲା ନକଲି ପୋଲିସ । ପୋଲିସ ଆଖିରେ ଧୂଳି ଦେଇ ଖସିବାକୁ ଉଦ୍ୟମ ବେଳେ ଧରିଲା କମିଶନରେଟ ପୋଲିସ । ନକଲି ସବ୍ ଇନ୍ସପେକ୍ଟରକୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ଅଭିଯୁକ୍ତ ଜଣଙ୍କ ମାନସ ରଞ୍ଜନ ସେନାପତି । ସେ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି । ପୋଲିସ ୟୁନିଫର୍ମ ସହ କିଛି ନକଲି ଆଇଡି କାର୍ଡ ଓ ନଗଦ ଟଙ୍କା ଜବତ ହୋଇଛି । ଯେଉଁଥିରେ ୨ ଲକ୍ଷ ଟଙ୍କାର ନକଲି ନୋଟ୍ ମଧ୍ୟ ଜବତ ହୋଇଛି । ସେହିପରି ମାନସର ସହଯୋଗୀ ନକଲି କନେଷ୍ଟବଳ ଆଶିଷ ସ୍ବାଇଁ ମଧ୍ୟ ଗିରଫ ହୋଇଛି ।

 

ତେବେ ସୂଚନା ଅନୁସାରେ, ଗତକାରି (ରବିବାର) ବିଳମ୍ବିତ ରାତିରେ ଭୁବନେଶ୍ବର ସହୀଦନଗର ଥାନା ପକ୍ଷରୁ ଚେକିଂ ବ୍ଲକିଂ ଚାଲିଥିଲା । ସହିଦନଗର ଅଞ୍ଚଳରେ ଆଇଡିବିଆଇ ଛକରେ ପୋଲିସ ପକ୍ଷରୁ ଚେକିଂ ବେଳେ OD 33 Z 4988 ନମ୍ବର ଥିବା ଏକ ନୀଳ ରଙ୍ଗର କାରକୁ ପୋଲିସ ଅଟକାଇଥିଲା । କାର ଆଗରେ ପୋଲିସର ଏକ ସାଇନ ବୋର୍ଡ ଥିବା ବେଳେ ପୋଲିସ ଟୋପି ମଧ୍ୟ ରଖାଯାଇଥିଲା । ଚେକିଂ କରୁଥିବା ଅଫିସର ରାତିରେ କେଉଁଆଡେ ଆସିଛନ୍ତି ବୋଲି ପଚାରିଥିଲେ । ଏହି ସମୟରେ ଗାଡିରେ ବସିଥିବା ଜଣେ ଯୁବକ ଗମ୍ଭୀର ସ୍ବରରେ ଡିଏସପି ମାନସ ସେନାପତି ବୋଲି କହି କାର୍‌ର କାଚକୁ ତଳକୁ ଖସାଇଥିଲେ । ଡିଏସପି ପରିଚୟ ଦେଉଥିବା ଯୁବକଙ୍କୁ ପୋଲିସ ତାଙ୍କର ପରିଚୟ ପତ୍ର ମାଗିଥିଲା । ପୋଲିସ ପୋଷାକରେ ଥିବା ଯୁବକ ଜଣଙ୍କ ନିଜକୁ ଓପିଏସ ଅଫିସର ବୋଲି କହି ଚକମା ଦେବାକୁ ଚେଷ୍ଟା କରିଥିଲେ । ହେଲେ ଗାଡି ଆଗରେ ରଖାଯାଇଥିବା ଟୋପି, ଯାହାକୁ ତଳ ରାଙ୍କ୍‌ର ପୋଲିସ କର୍ମଚାରୀ ବ୍ୟବହାର କରନ୍ତି । ଚେକିଂ ଡ୍ୟୁଟିରେ ଥିବା ଅଫିସର ଟୋପିକୁ ଦେଖି ସନ୍ଦେହରେ ଆଇଡି କାର୍ଡ ମାଗିଥିଲେ । ଯୁବକ ଜଣଙ୍କ ପକେଟରୁ ଏକ ଓଡ଼ିଶା ପୋଲିସ ଲେଖା ଥିବା ଆଇଡି କାର୍ଡ ବାହାର କରିଥିଲେ । ଯେଉଁଥିରେ ଲେଖାଥିଲା ଭଦ୍ରକ ପୋଲିସର ସବ୍ ଇନସ୍ପେକ୍ଟର । ଏସବୁ ଭିତରେ ଚେକିଂ କରୁଥିବା ପୋଲିସ ଅଧିକାରୀଙ୍କ ସନ୍ଦେହ ଆହୁରି ବଢ଼ିଥିଲା । ଯାହାକୁ ନେଇ ଗାଡି ଚେକିଂ କରିବା ପାଇଁ ସହଯୋଗ କରିବାକୁ କ‌ହିଥିଲେ ଅଫିସର । ବ୍ଲକିଂ ଚେକିଂ କରୁଥିବା ଅଫିସର କାର୍‌ ଚେକିଂ କରିବାକୁ କହିବାରୁ ଗାଡି ବାହାରକୁ ବାହାରି ଡିଏସପିକୁ ନାଲି ଆଖି ଦେଖାଇଥିଲା ଅଭିଯୁକ୍ତ । ଶେଷରେ ଯାଞ୍ଚ ବେଳେ ଗାଡ଼ି ଭିତରେ କିଛି ନକଲି ଷ୍ଟାମ୍ପ, ପରିଚୟ ପତ୍ର, ବିଭିନ୍ନ ପୋଲିସ ପୋଷାକରେ ଥିବା ଫଟୋ, ପୋଲିସ ୟୁନିଫର୍ମ ସହ ପୋଲିସ ଜୋତା, ବେଲ୍ଟ , କ୍ୟାପ ଓ ଅନ୍ୟାନ୍ୟ କିଛି ନିଯୁକ୍ତି ପତ୍ର ପାଇଥିଲା ପୋଲିସ । ଯେଉଁଥିରେ ପୋଲିସର ସନ୍ଦେହ ଆହୁରି ବଢ଼ିଥିଲା । ପକେଟ ଯାଞ୍ଚ ପରେ ସେମାନଙ୍କ ପାଖରୁ ବିଡା ବିଡା ନକଲି ୫୦୦ ଟଙ୍କିଆ ନୋଟ ମିଳିଥିଲା । ପରେ ସହୀଦନଗର ଥାନାରେ ପୋଲିସ ଅଭିଯୁକ୍ତ ମାନସ ସହ ତାର ସହଯୋଗୀ ନକଲି କନେଷ୍ଟବଳ ଆଶିଷ ସ୍ବାଇଁକୁ ଗିରଫ କରିଛି । ତେବେ ତଦନ୍ତ ବେଳେ ମାନସ ରଞ୍ଜନ ସେନାପତି ନାମରେ ପୂର୍ବରୁ ବିଭିନ୍ନ ଥାନାରେ ୫ଟି ମାମଲା ଥିବା ଜଣାପଡ଼ିଛି । ତେବେ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ଏନେଇ ବ୍ଲକିଂ ଚେକିଂ ଜାରି ରହିଥିବା ବେଳେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here