ବିପ୍ଲବୀ ପରିକ୍ରମା ଡିଜିଟାଲ :- ଅଦିନିଆ ବର୍ଷା ଉଜାଡ଼ି ଦେଇଛି ଚାଷୀର ବର୍ଷକର ଦାନାପାଣି। କଟା ହୋଇଥିବା ଧାନ, ନା ମଣ୍ଡିକୁ ଯାଇପାରିଛି ନା ଖଳାକୁ। କ୍ଷେତ ମଝିରେ ପଡ଼ି ସୁନାର ଫସଲ ବରବାଦ୍ ହୋଇଛି। ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ଆପଣ ଯୁଆଡ଼େ ଯାଆନ୍ତୁ ବିଲ ବାଡ଼ିରେ ବତୁରି ଯାଇଛି କଟା ହୋଇଥିବା ଧାନ। ୨ ଦିନର କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା, ଚାଷୀର ଭାତ ହାଣ୍ଡିକୁ ଉଜାଡ଼ି ଦେବା ପରେ ଏବେ ବୁଦ୍ଧିଶୂନ୍ୟ ହୋଇପଡ଼ିଛନ୍ତି ଚାଷୀକୂଳ। ପାଚିଲା ଧାନ କଳେଇକୁ ଉଠେଇଲା ବେଳକୁ ଭାଙ୍ଗିଯାଉଛି ଚାଷୀର ଦମ୍ଭ,କ୍ଷେତ ମଝିରେ ବତୁରା ଫସଲକୁ ବଞ୍ଚାଇବା ପାଇଁ ଉଦ୍ୟମ ସତ୍ତ୍ବେ ନିରାଶ ହେଉଛି ଚଷାପୁଅ,ଆଉ ବା କ’ଣ ଅଛି ଯେ ବଞ୍ଚିବ। ଖଳାକୁ ଯିବା ଆଗରୁ ବିଲ ମଝିରେ ଓଦାରେ ଯେତେବେଳେ ସରସର ହୋଇଯାଇଛି ବର୍ଷକର ଦାନାପାଣି, ସେତେବେଳେ ବୁଦ୍ଧିଶୂନ୍ୟ ବିଚରା ଚାଷୀ। ଅମଳ ବେଳକୁ ଅଦିନିଆ ବର୍ଷାରେ ଅକଲ୍ ଗୁଡୁମ୍ ଅବସ୍ଥା। ପୂର୍ବ ଓଡ଼ିଶା ଭଳି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ଚାଷୀ ବି ସୁରକ୍ଷା ଦେଇ ପାରିନି ଫସଲକୁ। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ୍ ହେଉ କିମ୍ବା ଗଜପତି ଜିଲ୍ଲା ମୋହନା। ସବୁଠି ଅମଳ ଧାନ କ୍ଷେତ ମଝିରେ ଗଜା ହେବା ସୁନିଶ୍ଚିତ।