ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- -ରବିବାର ଠାରୁ ହଜାର ହଜାର ସଂଖ୍ୟାରେ ଅଲିଭ ରିଡ଼ଲେ କଇଁଛ ଆସି ଗଣ ଅଣ୍ଡାଦାନ କରୁଛନ୍ତି । ଗଭୀର ସମୁଦ୍ରରୁ ବାହାରି ବିଳମ୍ବିତ ରାତିରେ କଇଁଛ ମାନେ ଋଷିକୂଲ୍ୟା ମୁହାଣରେ ପହଞ୍ଚି ଗଣ ଅଣ୍ଡାଦାନ କରିବା ପରେ ସୂର୍ଯ୍ୟ ଉଦୟ ହେବା ପରେ ପୁଣି ସମୁଦ୍ରକୁ ଚାଲି ଯାଉଥିବା ଦେଖିବାକୁ ମିଳିଛି। ଆଉ ଏହି ଅଣ୍ଡା ଗୁଡିକ କିଭଳି ସୁରକ୍ଷିତ ଭାବେ ପ୍ରାୟ ତିନି ମାସ ଧରି ରହିବା ପରେ ସେଥିରୁ ଛୁଆ ବାହାରି ସମୁଦ୍ରକୁ ଯିବ ସେ ନେଇ ବନବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି କଇଁଛ ମାନେ ନିଜର ପଛପଟେ ରହିଥିବା ଗୋଡ଼ରେ ଗଭୀର ଭାବେ ଗାତ ଖୋଳିଥାନ୍ତି । ଏହାପରେ ଗୋଟିଏ କଇଁଛ ପ୍ରାୟ ୧୨୦ ରୁ ୧୬୦ଟି ଅଣ୍ଡା ଦେଇଥାନ୍ତି । ଅଣ୍ଡା ଦେବା ପରେ ପୁଣି ନିଜର ପଛ ଗୋଡ଼ରେ ହିଁ ଅଣ୍ଡା ଭର୍ତ୍ତି ଗାତକୁ ପୋତି ଦେଇ ଗୁରୁଣ୍ଡି ଗୁରୁଣ୍ଡି ହୋଇ ସମୁଦ୍ରକୁ ଚାଲି ଯାଇଥାନ୍ତି ।କଇଁଛ ମାନଙ୍କ ଏଭଳି ଅଣ୍ଡାଦାନ ପ୍ରକ୍ରିୟା ପ୍ରାୟ ୧୦ରୁ ଅଧିକ ଦିନ ଧରି ଚାଲିଥାଏ । ଗତ ୨୦୨୩ ମସିହାରେ ୫ ଲକ୍ଷ ୫୦ ହଜାର, ୨୦୨୩ ମସିହାରେ ୬ ଲକ୍ଷ ୩୭ ହଜାର କଇଁଛ ଗଣ ଅଣ୍ଡାଦାନ କରିଥିବା ବେଳେ ୨୦୨୪ରେ ଗଣ ଅଣ୍ଡାଦାନ ହୋଇନଥିଲା ‌। ଚଳିତବର୍ଷ ପୁଣି ଥରେ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି । ଗଣ ଅଣ୍ଡାଦାନ କିଭଳି ସୁରୁଖୁରୁରେ ହେବ ସେ ନେଇ ଗତ କିଛି ମାସ ହେଲା ସ୍ବେଚ୍ଛାସେବୀ ସହ ବିଭିନ୍ନ ସଙ୍ଗଠନ ମାନଙ୍କ ଦ୍ବାରା ଋଷିକୂଲ୍ୟା ମୁହାଣ ସଫେଇ କରାଯାଇଥିଲା । ଆଉ କଇଁଛ ମାନଙ୍କ ଗଣ ଅଣ୍ଡାଦାନ ଠାରୁ ଆରମ୍ଭ କରି ଅଣ୍ଡାରୁ ଛୁଆ ବାହାରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରିଥାନ୍ତି ସ୍ବେଚ୍ଛାସେବୀ ମାନେ ।ଗତବର୍ଷ ଅଲିଭ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡାଦାନ ହୋଇନଥିବା ଯୋଗୁଁ ନିରାଶ ହୋଇଥିଲେ ପର୍ଯ୍ୟଟକ ମାନେ । ଯଦିଓ ପର୍ଯ୍ୟଟକ ମାନଙ୍କୁ କଇଁଛଙ୍କ ନିକଟକୁ ଛଡ଼ା ଯାଉନଥିଲା ତଥାପି ସେମାନେ ଦୂରରେ ରହି ଦେଖିଥିଲେ । ବର୍ତ୍ତମାନ ଚଳିତ ବର୍ଷ ପୁଣି ଥରେ କଇଁଛ ମାନେ ଗଣ ଅଣ୍ଡାଦାନ କରିଥିବା ଯୋଗୁଁ ପର୍ଯ୍ୟଟକ ମାନେ ଋଷିକୂଲ୍ୟା ମୁହାଣ ନିକଟକୁ ଆସି ଦୂରରେ ରହି କଇଁଛଙ୍କ ଅଣ୍ଡାଦାନକୁ ଦେଖୁଛନ୍ତି । ସେପଟେ କଇଁଛଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନ ନିମନ୍ତେ ବନବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଡମପେଟାରୁ ପ୍ରୟାଗୀ ପର୍ଯ୍ୟନ୍ତ ଜାଲ ବିଛାଯାଇଛି । ଯାହାଫଳରେ କଇଁଛଙ୍କ ଅଣ୍ଡାକୁ କେହି ପଶୁ ନଷ୍ଟ କରିପାରିବେ ନାହିଁ । ଏହାସହ ଏହି ଅଞ୍ଚଳକୁ ୫୦ଟି ସେଗମେଣ୍ଟରେ ବିଭକ୍ତ କରାଯାଇ ନିୟମିତ ଭାବେ ବନବିଭାଗର କର୍ମଚାରୀ ମାନେ ପହରା ଦେଉଛନ୍ତି । ପ୍ରାୟ ତିନି ମାସ ଧରି ଅଣ୍ଡା ଗୁଡିକୁ ସେଭଳି ବାଲି ମଧ୍ୟରେ ରହିବା ପରେ ସେଥିରୁ ଛୁଆ ବାହାରିବ । ଆଉ ଛୁଆ ବାହାରି ସମୁଦ୍ରକୁ ଯିବା ପର୍ଯ୍ୟନ୍ତ ବନବିଭାଗ ସେମାନଙ୍କ ସୁରକ୍ଷା ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛି ବୋଲି କହିଛନ୍ତି ବ୍ରହ୍ମପୁର ଡିଏଫଓ ସନି ଖଖର। ଗତ ତିନିଦିନ ମଧ୍ୟରେ ୨ଲକ୍ଷ ୧୮, ୮୩୦ ଗଣ ଅଣ୍ଡାଦାନ ହୋଇଥିବା ଡି ଏଫ ଓ କହିଛନ୍ତି।

LEAVE A REPLY

Please enter your comment!
Please enter your name here