ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶ୍ରୀକ୍ଷେତ୍ରର ଐତିହ୍ୟକୁ ଅକ୍ଷୁଣ୍ଣ ରଖିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଆଧୁନିକତାର ସମୟସ୍ରୋତରେ ହଜିଯିବାକୁ ବସିଥିବା ଶ୍ରୀକ୍ଷେତ୍ରର ମଠ, ମନ୍ଦିର ପରମ୍ପରାର ପୁନରୁଦ୍ଧାର ପାଇଁ ଆଙ୍କିଛନ୍ତି ନୀଳନକ୍ସା। ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଭଙ୍ଗାଯାଇଥିବା ମଠଗୁଡ଼ିକର ପୁନର୍ବାସ ପାଇଁ କରାଯାଇଛି ବିସ୍ତୃତ ଯୋଜନା। ଗୋଟିଏ ଜାଗାରେ ରହିବ ମଠଗୁଡ଼ିକର ବିଜେସ୍ଥଳୀ। ଏଥିପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ସରିଛି ଓ ଯୋଜନାର ପ୍ରକ୍ରିୟାକରଣ ଆରମ୍ଭ ହେବାକୁ ଯାଉଛି। ଯୋଜନାର ରୂପରେଖ ସଂପର୍କରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇସାରିଛି। ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ପରିଧିରୁ ୧୯ଟି ମଠ ଭଙ୍ଗାଯାଇଥିଲା। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଏହି ମଠଗୁଡ଼ିକର ପୁନର୍ବାସ ପ୍ରକ୍ରିୟା ଆଇନ ବିଭାଗ ତରଫରୁ ଆରମ୍ଭ ହୋଇଛି। ଆମେ ଗୋଟିଏ ଜାଗାରେ ମଠଗୁଡ଼ିକର ବିଜେସ୍ଥଳୀ କରିବାକୁ ଯୋଜନା କରିଛୁ। ବିଜେସ୍ଥଳୀ କେଉଁ ଜାଗାରେ ହେବ ତର୍ଜମା ଚାଲିଛି। ଯଥା ଶୀଘ୍ର ସେହି ଜାଗାକୁ ଜବରଦଖଲମୁକ୍ତ କରାଯିବ। ଏହା ହେଲେ ଭକ୍ତମାନେ ସୁବିଧାରେ ମଠଗୁଡ଼ିକୁ ଯାଇପାରିବେ। ମଠ ସହ ଯେପରି ସୁବିଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ, ତାକୁ ଲକ୍ଷ୍ୟ କରି ଯୋଜନା ହୋଇଛି। ଇତିମଧ୍ୟରେ ଦେବୋତ୍ତର ଆୟୁକ୍ତ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ପ୍ରମୁଖଙ୍କୁ ନେଇ ଦୁଇ ଥର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇସାରିଛି।
ଅନ୍ୟପଟେ ପୂର୍ବତନ ପରିଚାଳନା କମିଟି ସଦସ୍ୟ ତଥା ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାଶ ଏବଂ ଅନ୍ୟ ମହନ୍ତ ମାନେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି, ବହୁଦିନ ହେବ ମଠମହନ୍ତମାନେ ଭକ୍ତନିବାସ ଓ ବାହାରେ ଭଡ଼ା ନେଇ କଷ୍ଟରେ ରହୁଛନ୍ତି। ପୂର୍ବ ସରକାର ପରିକ୍ରମା ପ୍ରକଳ୍ପ ପାଇଁ ଉଚ୍ଛେଦ ମଠକୁ ମଠମହନ୍ତଙ୍କ ରହିବା, ବିଦ୍ୟାର୍ଥୀ ଅଧ୍ୟୟନ ଆଦି ପାଇଁ ଜାଗା ଓ ଘର ଯୋଗାଇଦେବେ ବୋଲି କହିଥିଲେ। ଇତିମଧ୍ୟରେ ୬ ବର୍ଷ ବିତି ଯାଇଥିଲେ ବି ଜାଗା ଚିହ୍ନଟ ହୋଇପାରିନାହିଁ କି ମଠ ମହନ୍ତଙ୍କୁ ରହିବାକୁ ଘର ଦିଆଯାଇନାହିଁ। ଜିଲ୍ଲା ପ୍ରଶାସନ ଏଥିପାଇଁ ଟଙ୍କା ଦେଇ ଶ୍ରୀମନ୍ଦିର ପ୍ରଶାସନଠାରୁ ଜାଗା କିଣିଥିଲେ ବି ତାହା ଅଧାରେ ଅଟକି ରହିଛି। ୬ ବର୍ଷ ପରେ ରାଜ୍ୟ ସରକାର ଏହି ଆଶାକୁ ପୂରଣ କରିବେ ବୋଲି ସେ କହିଛନ୍ତି।