ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ‘‘ହର ଘର ତିରଙ୍ଗା’’ ଅଭିଯାନର ତୃତୀୟ ସଂସ୍କରଣ ଚଳିତ ଅଗଷ୍ଟ ମାସ ୯ରୁ ୧୫ ପର୍ଯ୍ୟନ୍ତ ପାଳନ କରାଯିବ ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଘୋଷଣା କରିଛନ୍ତି। ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟଙ୍କୁ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ ପାଇଁ ଉତ୍ସାହିତ କରି ନାଗରିକମାନଙ୍କ ମଧ୍ୟରେ ଦେଶପ୍ରେମ ଏବଂ ଜାତୀୟ ଗୌରବର ଭାବନା ଜାଗ୍ରତ କରିବା ଏହି ପଦକ୍ଷେପର ଲକ୍ଷ୍ୟ। ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରି ପତାକା ସହ ସେଲ୍ଫି ଉଠାଇ ଏହାକୁ harghartiranga.com ରେ ଅପଲୋଡ୍ କରିବାକୁ କେନ୍ଦ୍ର ମନ୍ତ୍ରୀ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି ।
ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ୨୦୨୨ ମସିହାରେ ଆଜାଦୀ କା ଅମୃତ ମହୋତ୍ସବ ଅଧୀନରେ ଆରମ୍ଭ ହୋଇଥିବା ‘‘ହର ଘର ତିରଙ୍ଗା’’ ଅଭିଯାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି, ଯାହାକୁ ସାରା ଦେଶରେ ସମାଜର ବିଭିନ୍ନ ବର୍ଗ ଗ୍ରହଣ କରିଛନ୍ତି । ୨୦୨୨ରେ ୨୩ କୋଟିରୁ ଅଧିକ ଘରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ଏବଂ ୬ କୋଟି ଲୋକ ପତାକା ସହ ସେଲ୍ଫି ଉଠାଇ harghartiranga.com ଅପଲୋଡ୍ କରିଥିଲେ। ୨୦୨୩ରେ ହର ଘର ତିରଙ୍ଗା ଅଭିଯାନ ଅଧୀନରେ ୧୦ କୋଟିରୁ ଅଧିକ ସେଲ୍ଫି ଅପଲୋଡ୍ କରାଯାଇଥିଲା। ଏହି ଅଭିଯାନର ସଫଳତାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସକ୍ରିୟ ଭାବରେ ଏହି ଉତ୍ସବରେ ଅଂଶଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।