ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ତିନିଦିନିଆ ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକ ମାନଙ୍କ ସର୍ବଭାରତୀୟ ସମ୍ମିଳନୀ ଶୁକ୍ରବାର ଠାରୁ ଲୋକସେବା ଭବନରେ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଅପରାହ୍ଣରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ମିଳନୀରେ ଆଜି (ଶନିବାର) ଓ ରବିବାର ଯୋଗଦେବେ । ନଭେମ୍ବର ୨୯ରୁ ଡିସେମ୍ବର ପହିଲା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀରେ ଆତଙ୍କବାଦ ମୁକାବିଲା, ବାମପନ୍ଥୀ ଉଗ୍ରବାଦ, ଉପକୂଳ ସୁରକ୍ଷା, ନୂଆ ଅପରାଧ ଆଇନ, ନାର୍କୋଟିକ୍ସ ସମେତ ଜାତୀୟ ନିରାପତ୍ତାର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହେବ। ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ମଧ୍ୟ ଏହି ସମ୍ମିଳନୀରେ ପ୍ରଦାନ କରାଯିବ l
୨୦୧୪ ପରଠାରୁ ପୁଲିସ ଡିଜିପି ଓ ଆଇଜି ସମ୍ମିଳନୀ ସାରା ଦେଶରେ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ପ୍ରୋତ୍ସାହିତ କରି ଆସୁଛନ୍ତି। ଏଥିପୂର୍ବରୁ ଏହି ସମ୍ମିଳନୀ ଆସାମର ଗୌହାଟୀ, କଚ୍ଛର ରଣ (ଗୁଜରାଟ), ହାଇଦ୍ରାବାଦ (ତେଲଙ୍ଗାନା), ଟେକନପୁର (ଗ୍ୱାଲିୟର, ମଧ୍ୟପ୍ରଦେଶ), ଷ୍ଟାଚ୍ୟୁ ଅଫ୍ ୟୁନିଟି (କେୱଡିଆ, ଗୁଜରାଟ), ପୁଣେ (ମହାରାଷ୍ଟ୍ର), ଲକ୍ଷ୍ନୌ (ଉତ୍ତରପ୍ରଦେଶ), ନୂଆଦିଲ୍ଲୀ ଏବଂ ଜୟପୁର (ରାଜସ୍ଥାନ)ରେ ଅନୁଷ୍ଠିତ ହୋଇଛି। ଏହି ପରମ୍ପରାକୁ ବଜାୟ ରଖି ଭୁବନେଶ୍ୱର (ଓଡ଼ିଶା) ଠାରେ ଏଥର ୫୯ତମ ପୁଲିସ ଡିଜିପି ଓ ଆଇଜି ସମ୍ମିଳନୀ ୨୦୨୪ ଆୟୋଜନ କରାଯାଉଛି। ଉକ୍ତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବ୍ୟତୀତ ପ୍ରମୁଖ ସଚିବ, ଜାତୀୟ ସୁରକ୍ଷା ପରାମର୍ଶଦାତା, ଗୃହ ରାଷ୍ଟ୍ରମନ୍ତ୍ରୀ, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଡିଜିପି ଏବଂ କେନ୍ଦ୍ରୀୟ ପୁଲିସ ସଂଗଠନର ମୁଖ୍ୟମାନେ ଯୋଗ ଦେଉଛନ୍ତି।