ସେବେ ଥିଲେ ଗଳାର ମାଳି ଏବେ ଦାଣ୍ଡର ଧୂଳି 

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବିଧାନସଭାରେ ନିୟମିତ ଭାବେ ବିଜେଡି ବିଧାୟକଙ୍କ ପ୍ରତି ଏମିତି ଆକ୍ଷେପ କରୁଛନ୍ତି ବିଜେପିର ବିଧାୟକ। ଛାତିରେ କଣ୍ଟା ଫୋଡ଼ିଗଲା ପରି ଭାଷା ବ୍ୟବହାର କରୁଛନ୍ତି। ପ୍ରତିଟି ଶବ୍ଦରେ ଯେମିତି ହାଡ଼ ଜଳିଯିବ। ଅତ୍ୟନ୍ତ ଶାଣିତ ଓ କଟୁ ଭାଷା ଶୁଣିବାକୁ ପଡ଼ୁଛି ବିଜେଡି ବିଧାୟକମାନଙ୍କୁ। କେବଳ ଜଣେ ବ୍ୟକ୍ତି ଭି କେ ପାଣ୍ଡିଆନଙ୍କୁ ନେଇ ବିଜେଡି ଉପରେ ବିଜେପିର ଏହି ହମ୍‌ଲା ଜାରି ରହିଛି। ଏମାନେ ଦରିବୁହା, ଟେଣ୍ଟ୍‌ବୁହା ଓ ଚଉକିବୁହା ଲୋକ। ଏମାନଙ୍କର ବୁଦ୍ଧି ବିବେକ ନାହିଁ। ପାଣ୍ଡିଆନଙ୍କ ଚାମଚାଗିରି କରୁଛନ୍ତି। ପାଣ୍ଡିଆନଙ୍କ ଏକ ନମ୍ବର ଚାମଚା କିଏ ହୋଇପାରିବ, ସେଥିପାଇଁ ଏମାନଙ୍କ ଭିତରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି।’ ‘ଏମାନେ କି ପ୍ରକାର ନେତା ସମସ୍ତେ ଜାଣନ୍ତି। ଜଣେ ତାମିଲ ପ୍ରଶାସକଙ୍କର କିଏ କ୍ରୀତଦାସ ହୋଇଥିଲା ତ କିଏ ରାସ୍ତାରେ ଠିଆ ହୋଇ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିଲା। ଏମାନଙ୍କର ଔକାତ୍‌ କେତେ, କାହାରିକୁ ଅଛପା ନାହିଁ। ବିଜେଡି ସରକାର ବେଳେ ଏମାନଙ୍କ ପାଟିରେ ତୁଣ୍ଡିଲଗା ହୋଇଥିଲା। ଏବେ ପାଟି ଖୋଲିବାରୁ କିଛି କିଛି କହିବା ଆରମ୍ଭ କରିଛନ୍ତି।’ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିଜେଡି ନେତାମାନେ ଏହାକୁ ହଜମ କରିବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି। ବିଜେପି ବିଧାୟକମାନଙ୍କ ମନ୍ତବ୍ୟ ଯେ ମିଛ, ତାହା ସେମାନେ କହିବାକୁ ସାହସ କରୁନାହାନ୍ତି। ବିଜେପିକୁ ଜବାବ ଦେବା ପାଇଁ ସେମାନଙ୍କୁ ଯେମିତି ଭାଷା ମିଳୁନି। ପ୍ରତିବାଦର ସ୍ବର ହଜିଯାଉଛି। ସୁନା ପିଲା ପରି ସବୁତକ ଗାଳିକୁ ହଜମ କରି ଦେଉଛନ୍ତି। ନବାଗତ ବିଧାୟକମାନେ ତ ପାଟି ଫିଟାଉନାହାନ୍ତି। ବରିଷ୍ଠ ବିଧାୟକମାନେ ବି ଚୁପ୍ ରହିବାକୁ ଉଚିତ ମଣୁଛନ୍ତି। ବିରୋଧୀଙ୍କ ହାଡ଼ଜଳା ଆକ୍ଷେପକୁ ସମସ୍ତେ ମିଳିମିଶି ସହିଯାଉଛନ୍ତି।

 

ବିଧାନସଭାରେ ଯେ ବିଜେଡି ବିଧାୟକମାନେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ବିରୋଧ କରୁନାହାନ୍ତି, ତାହା ନୁହେଁ। ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରସନ୍ନ ଆଚାର୍ଯ୍ୟ, ଅରୁଣ ସାହୁ, ନିରଞ୍ଜନ ପୂଜାରୀ, ଗ‌ଣେଶ୍ବର ବେହେରାଙ୍କ ପରି ବରିଷ୍ଠ ନେତାମାନେ ଏକାଧିକ ପ୍ରମୁଖ ପ୍ରସଙ୍ଗରେ ସରକାରଙ୍କୁ ଭର୍ତ୍ସନା କରୁଛନ୍ତି। ତଥ୍ୟ ପ୍ରମାଣ ସହ ସରକାରଙ୍କୁ ଆକ୍ରମଣ କରୁଛନ୍ତି। କିନ୍ତୁ ଶାସକ ଦଳର ବିଧାୟକମାନେ ପାଣ୍ଡିଆନଙ୍କ ପ୍ରସଙ୍ଗ ଉଖାରି କଡ଼ା ଭାଷାରେ ଗାଳି ଦେଲା ବେଳେ ଥରୁଟିଏ ବି କେହି ତାହାର ପ୍ରତିବାଦ କରି ପାରୁନାହାନ୍ତି। କେବଳ ବିଧାନସଭା ଭିତରେ ନୁହେଁ, ବାହାରେ ମଧ୍ୟ ସମାନ ସ୍ଥିତି। ବିଜେପି ନେତାମାନେ ଏବେ ବି ବିଜେଡି ନେତାଙ୍କୁ କ୍ରୀତଦାସ ଓ ଟ୍ରାଫିକ ପୁଲିସ କହି ଛିଗୁଲାଉଛନ୍ତି। ଆଉ ବିଜେଡି ପକ୍ଷରୁ ଏହାର ଠୋସ୍ ଜବାବ ଦିଆଯାଉନି। ନିର୍ଦ୍ଦିଷ୍ଟ ଭାବେ ପାଣ୍ଡିଆନଙ୍କ ପ୍ରସଙ୍ଗରେ ବିଜେଡି ବ୍ୟାକ୍ ଫୁଟ୍‌ରେ ରହିବାକୁ ବାଧ୍ୟ ହେଉଛି।

 

 

ଗତ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ଭି କେ ପାଣ୍ଡିଆନ୍ ଅତ୍ୟନ୍ତ ପ୍ରଭାବଶାଳୀ ଥିଲେ। ବିଜେଡି ନେତାମାନେ ପାଣ୍ଡିଆନଙ୍କୁ ଭେଟିଲେ ତାହା ନବୀନଙ୍କୁ ଭେଟିବା ସହ ସମାନ ହେଉଥିଲା। ପାଣ୍ଡିଆନଙ୍କ ନିକଟରେ ସମସ୍ତେ ନିଜକୁ ସମର୍ପି ଦେଇଥିଲେ। ତାଙ୍କରି କଥାରେ ଉଠ୍‌ବସ୍ ହେଉଥିଲେ। ପାଣ୍ଡିଆନଙ୍କ ଯୋଜନା ଓ ଚିନ୍ତାଧାରାକୁ କାର୍ଯ୍ୟକାରୀ କରାଇବାକୁ ଦିନରାତି ଲାଗିପଡ଼ୁଥିଲେ। ନିଜସ୍ବ ମତ ଓ ସ୍ବର କାହାରି ନଥିଲା। ମନ୍ତ୍ରୀ, ବିଧାୟକ, ସାଂସଦ ସମସ୍ତେ ଯେମିତି ପଙ୍ଗୁ ହୋଇଯାଇଥିଲେ। ପୁରୁଣା ନେତା ନିଜ ଚଉକି ବଞ୍ଚାଇବାକୁ ନିଜକୁ ସମର୍ପଣ କରି ଗର୍ବ ଅନୁଭବ କରୁଥିଲେ। ଆଉ ନୂଆ ନେତା କିଛି ପାଇବା ଆଶାରେ ପାଣ୍ଡିଆନଙ୍କ ସ୍ତୁତିଗାନ କରୁଥିଲେ। ବିଜେଡିର ନେତାମାନେ ଏହା ସ୍ବୀକାର କରନ୍ତୁ ବା ନ କରନ୍ତୁ, ଏମିତି ବ୍ୟବସ୍ଥା ହିଁ ଗତ ୨୦୨୪ ନିର୍ବାଚନ ଯାଏଁ ଚାଲିଥିଲା। ବର୍ତ୍ତମାନ ପାଣ୍ଡିଆନ ପ୍ରସଙ୍ଗରେ ବିଜେଡି ନେତାମାନେ ନିରବ ରହିବା ବ୍ୟତୀତ କିଛି ବିକଳ୍ପ ନାହିଁ। କାରଣ ଏବେ ବି ନବୀନ ନିବାସରେ ପାଣ୍ଡିଆନଙ୍କ ଅଖଣ୍ଡ ପ୍ରଭାବ ରହିଛି। ସେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ମଧ୍ୟ ତାଙ୍କରି ଇଙ୍ଗିତରେ ବିଜେଡି ପରିଚାଳିତ ହେଉଛି। ଏହାକୁ ବିଜେଡି ନେତାମାନେ ଖୋଲାଖୋଲି ଗଣମାଧ୍ୟମରେ ସ୍ବୀକାର ନ କଲେ ବି ଅନୌପଚାରିକ ଆଲୋଚନା ବେଳେ ମାନି ଯାଉଛନ୍ତି। ଏହି କଥା ଏବେ ପ୍ରଘଟ ହୋଇଗଲାଣି। ସେଥିପାଇଁ ବିଜେଡି ନେତାମାନେ ପାଣ୍ଡିଆନଙ୍କ ପ୍ରଭାବରୁ ମୁକ୍ତ ନୁହନ୍ତି ବୋଲି କହିବାକୁ ନୈତିକ ସାହସ ଦେଖାଇ ପାରୁନାହାନ୍ତି। ପାଣ୍ଡିଆନଙ୍କ ସପକ୍ଷରେ ଓକିଲାତି କଲେ ଲୋକଲଜ୍ଜା ହେବ। ଆଉ ପାଣ୍ଡିଆନଙ୍କ ବିପକ୍ଷରେ କହିଲେ ବି ଲୋକେ ସେମାନଙ୍କ ଦୋମୁହାଁ ଚରିତ୍ରକୁ ଅଙ୍ଗୁଳି ଉଠାଇବେ। ଏମିତି ଏକ ତ୍ରିଶଙ୍କୁ ଅବସ୍ଥାରେ ରହିଛନ୍ତି ନେତାମାନେ। ଲାଗୁଛି ଯେମିତି ବିଜେଡି ନେତୃତ୍ବବିହୀନ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here