ଚର୍ଚ୍ଚାରେ ପ୍ରଣବଙ୍କ ସରକାରୀ କ୍ୱାର୍ଟର୍
ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ବିଜେଡିର ତୃତୀୟ ପାୱାରଫୁଲ୍ ନେତା କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ଏଇ ସରକାରୀ କ୍ବାର୍ଟରକୁ ନେଇ ହଇଚଇ । ତିନି ମହଲାର ଷ୍ଟିଲ୍ ଷ୍ଟ୍ରକଚରରେ ନିର୍ମିତ ବିଳାସପୂର୍ଣ୍ଣ ଅଣ୍ଡରଗ୍ରାଉଣ୍ଡ ଘର । କ୍ୱାର୍ଟର ପରିସରରରେ ଆଖି ଖୋସିହେଲା ଭଳି ସୌନ୍ଦର୍ଯ୍ୟକରଣ ।କୋଟି କୋଟି ଟଙ୍କାରେ ନିର୍ମିତ ଏ ପରିବର୍ଦ୍ଧିତ ବଙ୍ଗଳାରୁ ସବୁ ଦାମିକିଆ ଫର୍ଣ୍ଣିଚର, ଅର୍ଣ୍ଣାମେଣ୍ଟାଲ୍ ଲାଇଟ୍, କେତେକଣ ବିଳାସମୟ ସାମଗ୍ରୀ ସିଫ୍ଟ ହୋଇ ସାରିଲାଣି।ହେଲେ ଏଠି ପ୍ରଶ୍ନ ଉଠୁଛି, ବବିଙ୍କ ସରକାରୀ କ୍ୱାଟର୍ସରେ ଚାଲିଥିଲା କଣ ? ଏତେ ବଡ଼ ନିର୍ମାଣ, ଅଣ୍ଡର୍ ଗ୍ରାଉଣ୍ଡରେ ଘର ନିର୍ମାଣ ହୋଇଥିଲା ତଥାପି କେହି କେମିତି ବର୍ଷ ବର୍ଷ ଧରି ଜାଣି ପାରିଲେନି?
ସରକାରୀ ଜାଗାରେ, ସରକାରୀ କ୍ୱାର୍ଟର୍ସ ପରିସରରେ ଏତେ ବଡ଼ ନିର୍ମାଣ ପାଇଁ ଅନୁମତି ଦେଇଥିଲା କିଏ ?ମିଳିଥିବା ସୂଚନା ମୁତାବକ ସରକାରୀ ଭାବେ ବବିଙ୍କ ସରକାରୀ ଆବାସରେ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ମାତ୍ର ୯ ଲକ୍ଷ ଟଙ୍କା କିନ୍ତୁ କୁହାଯାଉଛି ଏତେ ସବୁ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଲାଗିଛି। ଏତେ ଟଙ୍କା କେଉଁଠୁ ଆସିଥିଲା ଓ କିଏ ଦେଇଥିଲା? ତାସହ ଏବେ ୟାକୁ ଭାଙ୍ଗିବା ପଛରେ କାରଣ କଣ? ଶାସକ ବିଜେପି ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହା ଅତି ଚିନ୍ତାଜନକ ଓ ଦୁଃଖଦ ବୋଲି କହିଛି l
ତେବେ ଘଟଣା ଉପରେ ମୁହଁ ଖୋଲି ବବି ପ୍ରକାରନ୍ତରେ ନିର୍ମାଣକୁ ସ୍ୱୀକାର କରି କହିଛନ୍ତି ନେତା ଓ କର୍ମୀ ବସିବା ସହ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ କେବଳ ଏକ ଅସ୍ଥାୟୀ ଏକ୍ସଟେନ୍ସନ୍ କରାଯାଇଥିଲା। ତେବେ ଯେମିତି କ୍ୱାର୍ଟର୍ସ ମିଳିଥିଲା ଠିକ୍ ସମୟରେ ମୁଁ ସେହିଭଳି ସ୍ଥିତିରେ କ୍ୱାର୍ଟର୍ସକୁ ଫେରାଇ ଦେବି।ଅପରପକ୍ଷେ ସାଧାରଣ ପ୍ରଶାସନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ନିର୍ମାଣ ପାଇଁ ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।