ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ପୁଣି ଚୋରି ମାମଲା ସାମନାକୁ ଆସିଛି । ଗତ କିଛି ମାସ ହେଲା ଚୋରି ସଂଖ୍ୟା ଥମିଥିବା ବେଳେ ଆଜି ପୁଣି ଏକ ଚୋରି ଘଟଣା ହୋଇଛି । ସହରର ପୁରୁଣାପାଟଣା ରାସ୍ତା ରେ ଥିବା ଗଜପତି ନଗର ରେ ଜଣେ ଡାକ୍ଟରଙ୍କ ଘରୁ ଲକ୍ଷାଧିକ ଟଙ୍କା ର ସୁନା , ଲ୍ୟାପଟପ୍ ଚୋରି ହେଇଥିବା ପାରଳାଖେମୁଣ୍ଡି ଆଦର୍ଶ ଥାନା ରେ ଅଭିଯୋଗ ହୋଇଅଛି । ପୂର୍ବରୁ ପାରଳାଖେମୁଣ୍ଡି ରେ ବାରମ୍ବାର ଚୋରି ହେଉଥିବା ବେଳେ ପ୍ରଶାନ୍ତ ଭୂପତି ପାରଳାଖେମୁଣ୍ଡି ଆଦର୍ଶ ଥାନ ଅଧିକାରୀ ଭାବରେ ଦାୟିତ୍ଵ ନେବା ପରେ ଚୋରି ହାରି କିଛି ମାସ ପର୍ୟ୍ୟନ୍ତ ଥମିଥିଲା ।
ହେଲେ ଏବେ ପୁଣି ଥରେ ଚୋର ର ଆତଙ୍କ ଖେଳିଯାଇଛି । ସୁଚନା କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଆନେସ୍ତେସିଆ ଡାକ୍ତର ଆଷୁତୋଷ ପ୍ରଧାନ ଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ପ୍ରକାଶ ଯେ, ଆନେସ୍ତେସିଆ ଡାକ୍ତର ଜଣକ ଗତ ଚାରି ଦିନ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତ ହୋଇଛନ୍ତି । ଘରେ ସମସ୍ତ ଆସବାବ ପତ୍ର ରହିଥିଲେ ମଧ୍ୟ ଏସି ନଥିବା ଯୋଗୁଁ ସେ ଗତ କାଲି ରାତ୍ର ସମୟରେ ନିଜ ସାଙ୍ଗଙ୍କ ଘରକୁ ଶୋଇବାକୁ ଯାଇଥିଲେ ।
ତେବେ ଆଜି ସକାଳ ପ୍ରାୟ ୯ ଘଣ୍ଟା ସମୟରେ ସେ ରହୁଥିବା ଗଜପତି ନଗର ସ୍ଥିତ ଭଡା ଘରକୁ ଆସି ଦେଖିବା ବେଳେ ଚୋରି ହୋଇଥିବାର ଜାଣିପାରିଥିଲେ । ତାଙ୍କ ଘରୁ କାର୍ଯ୍ୟାଳୟ ସମ୍ବନ୍ଧିତ ଏକ ଲାପଟପ୍, ୯୦ ଗ୍ରାମ ଓଜନର ସୁନା ଅଳଙ୍କାର ଏବଂ ୨୦ ଗ୍ରାମ ଓଜନର ରୂପା ଚୋରି ହୋଇଥିବାର ଜଣାପଡିଛି । ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ଶ୍ରୀ ଭୂପତିଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏନେଇ ପାରଳା ଆଦର୍ଶ ଥାନାରେ 67/24 ଏକ ମାମଲା ରୁଜୁ କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି ।