ମହାପ୍ରସାଦ ସେବନ ପାଇଁ ହେବ ଅନ୍ନକ୍ଷେତ୍ର

0

ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମହାପ୍ରସାଦ ସେବନ ପାଇଁ ଶ୍ରୀମନ୍ଦିର ନିକଟରେ ହେବ ଅନ୍ନ କ୍ଷେତ୍ର ଓ ଅଭ୍ୟର୍ଥନା କେନ୍ଦ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଗଜପତି ମହାରାଜା । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଶ୍ରୀମନ୍ଦିର ନିକଟରେ ହେବ ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର । ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ନିର୍ମିତ ହେବ ବିଭିନ୍ନ ନୂଆ ପ୍ରକଳ୍ପ । ପ୍ରକଳ୍ପକୁ କିଭଳି ପୂର୍ଣ୍ଣାଙ୍ଗ ରୂପ ଦିଆଯାଇପାରିବ ସେନେଇ ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ବିଦ୍ୱାନ ବ୍ୟକ୍ତିଙ୍କୁ ନେଇ ଗଠିତ ଶ୍ରୀଜଗନ୍ନାଥ ସାଂସ୍କୃତିକ କମିଟି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆନନ୍ଦ ବଜାରରେ ଭକ୍ତଙ୍କ ଭିଡ଼ ହେଉଥିବାରୁ ଏହାକୁ ହ୍ରାସ କରିବା ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଅନ୍ନ କ୍ଷେତ୍ର ସ୍ଥାନ ନିର୍ମାଣ ହେବ । ଭକ୍ତମାନଙ୍କ ମହାପ୍ରସାଦ ସେବନ ନିମନ୍ତେ ସେଠାରେ ସମସ୍ତ ବ୍ୟବସ୍ଥା ରହିବ। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଅନ୍ନ ଯଜ୍ଞ, ନାମ ଯଜ୍ଞ ଓ ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ ପାଇଁ ସ୍ଥାନ ଚିହ୍ନଟ କରାଯାଇ ନିର୍ମାଣ କରାଯିବ। ଏହାସହ ଶ୍ରୀଜଗନ୍ନାଥ ସଂସ୍କୃତିର ଆହୁରି ଅଧିକ ପ୍ରଚାର ପ୍ରସାର ପାଇଁ ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ସ୍ଥାପନ ହେବ ।

ଶ୍ରୀମନ୍ଦିର ସାଂସ୍କୃତିକ କମିଟିର ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପୁର୍ଣ୍ଣାଙ୍ଗ ରୂପ ଦେବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ସମସ୍ତ ପ୍ରକଳ୍ପ କାର୍ଯ୍ୟ ରାଜ୍ୟ ସରକାର ଯଥାଶୀଘ୍ର ଅନୁମୋଦନ ଦେଇ କାର୍ଯ୍ୟ ଆରମ୍ଭ କରିବେ ବୋଲି ଆଶା ରହିଛି ବୋଲି ଗଜପତି ମହାରାଜା କହିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ପୁରୀ ଏସପି, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ବିଦ୍ୱାନ ମଣ୍ଡଳୀ ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ କାର୍ଯ୍ୟ ମଧ୍ୟ ସମୀକ୍ଷା କରିଛନ୍ତି । ଗୁଣ୍ଡିଚା ମନ୍ଦିରର ରୋଷଘର କାର୍ଯ୍ୟ ଏବଂ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଆଗାମୀ ୨୦୨୬ ରଥଯାତ୍ରା ଭିତରେ ସାରିବାକୁ ଲକ୍ଷ୍ୟ ରହିଥିବା ନେଇ ଗଜପତି ମହାରାଜା କହିଛନ୍ତି। ତେବେ ପରିକ୍ରମା ପ୍ରକଳ୍ପର ରୂପରେଖ ଅନୁଯାୟୀ, ଅନେକ ପ୍ରକଳ୍ପ ଏବେ ବି ବାକି ରହିଛି। ତେବେ ରାଜ୍ୟରେ ନୂଆ ସରକାର ଆସିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରୂପରେଖକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here