ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରାଜ୍ୟରେ କମିବ ପ୍ରସୂତି ମାତୃ ମୃତ୍ୟୁହାର । କେବଳ ରାଜ୍ୟ ନୁହେଁ, ସାରା ଭାରତ ବର୍ଷରେ ମାତୃ ମୃତ୍ୟୁହାରରେ ଲାଗିବ ବ୍ରେକ୍ । ଏ ନେଇ କଟକ ବଡ଼ ଡ଼ାକ୍ତରଖାନା ଆନେସ୍ତେସିଆ ବିଭାଗ ଦ୍ଵାରା ଆୟୋଜିତ ହୋଇଯାଇଛି ଏକ କର୍ମଶାଳା । ଯେଉଁଥିରେ ସାମିଲ ହୋଇଛନ୍ତି ଦେଶର ବିଭିନ୍ନ ଆନେସ୍ତେସିଆ ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗର ପ୍ରଫେସର, ଡାକ୍ତର, ଛାତ୍ର ଛାତ୍ରୀମାନେ ।
ଭାରତ ବର୍ଷରେ ମାତୃ ମୃତ୍ୟୁ ହାରକୁ କିପରି ରୋକା ଯାଇପାରିବ ଏ ନେଇ ଆୟୋଜିତ ହୋଇଛି ପ୍ରଥମ କର୍ମଶାଳା । ଆଉ ଏହାକୁ ଆୟୋଜନ କରିଛି କଟକ ଏସସିବି ବଡ଼ ଡାକ୍ତରଖାନା । କଟକ ଏସସିବି ମେଡ଼ିକାଲରେ ଆନେସ୍ତେସିଆ ବିଭାଗ ଦ୍ଵାରା ଆୟୋଜିତ ହୋଇଯାଇଛି ଏହି କର୍ମଶାଳା । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ନିଶ୍ଚେତକ ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗର ପ୍ରଫେସର, ଡାକ୍ତର, ଡାକ୍ତରୀ ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ । ସ୍ଵତନ୍ତ୍ର ମାତୃ ପ୍ରସୂତି କରିବା ସମୟରେ କିଭଳି ରକ୍ତସ୍ରାବ, ରକ୍ତଚାପ, କିଡନୀ, ହାର୍ଟ ଫେଲୁଅର ଭଳି ଅନେକ ସମସ୍ୟାର ଆଶୁ ସମାଧାନ ହୋଇପାରିବ ସେ ନେଇ ଏକ ଡ଼ମି ଦ୍ଵାରା ସିମୁଲେଟର ଜରିଆରେ କୃତ୍ରିମ ଭାବରେ ପ୍ରସୂତି କରାଇବା ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ । ଅବିକଳ ଆଇସିୟୁ ରେ କେଉଁ ସବୁ ସରଞ୍ଜାମ ରହିଚି ତାହାର ମଧ୍ୟ କଳ୍ପନା କରାଯାଇଥିଲା । ଡ଼ମିଟି ସ୍ଵତନ୍ତ୍ର ମଣିଷ ଭଳି ଶବ୍ଦ କରିବା, କଥା କହିବା, କେଉଁଠି କ’ଣ ଯନ୍ତ୍ରଣା ହେଉଛି ତାହା ମଧ୍ୟ ଜଣାଉଥିଲା ।ତେବେ ଏହି ବ୍ୟବସ୍ଥା ଆଜି ପ୍ରଥମଥର ଓଡ଼ିଶାରେ ତାହା ବି ପୁଣି କଟକ ବଡ଼ ଡ଼ାକ୍ତରଖାନାରେ ଆରମ୍ଭ ହୋଇଚି । ଆଗାମୀ ଦିନରେ ବିଭିନ୍ନ ରାଜ୍ୟ ତଥା ବିଭିନ୍ନ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଏବଂ ମେଡ଼ିକାଲ କଲେଜ ମାନଙ୍କରେ ଆରମ୍ଭ ହେବ ବୋଲି କହିଛନ୍ତି ଆନେସ୍ତେସିଆ ବିଭାଗର ପ୍ରଫେସର ମାନେ । ସେହିଭଳି ଏହିପରି ପ୍ରସୂତି ବିଶେଷ ସହାୟକ ହେବାସହ ଫଳପ୍ରଦ ହେବ ବୋଲି ପ୍ରକାଶ କରିଛନ୍ତି ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର । ତେବେ ପୂର୍ବରୁ ଏହିସବୁ ପ୍ରଶିକ୍ଷଣ ଥିଓରି ମାଧ୍ୟମରେ ଦିଆଯାଉଥିବା ବେଳେ ଆଜି କଟକ ବଡ଼ ଡ଼ାକ୍ତରଖାନାରେ ଏହାକୁ ପ୍ରାକ୍ଟିକାଲି ପ୍ରଶିକ୍ଷଣ ଦିଆଯାଇଛି । ଦିନକୁ ଦିନ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା କ୍ଷେତ୍ରରେ ନୂଆ ନୂଆ ପ୍ରଶିକ୍ଷଣ ଶିବିର ମାନ କରାଯାଉଥିବାରୁ ଡ଼ାକ୍ତରୀ ଛାତ୍ରଛାତ୍ରୀ ମାନଙ୍କୁ ଏହା ବେଶ୍ ସୁହାଇବ ।