ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ଦୁର୍ଗମାଞ୍ଚଳରେ ଗଢିବ ଲକ୍ଷ୍ମୀ ବସ୍

0

ଗଜପତି  : ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ଦୁର୍ଗମାଞ୍ଚଳରେ ଗଢିବ ଲକ୍ଷ୍ମୀ ବସ୍ । ଏନେଇ ଦୁର୍ଗମାଞ୍ଚଳ ତଥା ଅପହଞ୍ଚ ଇଲାକାର ଲୋକେ ଅପେକ୍ଷା କରିଛନ୍ତି ଚଳିତ ମାସ ୧୯ ତାରିଖକୁ । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଉପାନ୍ତ ତଥା ଦୁର୍ଗମାଞ୍ଚଳ ତଥା ଦକ୍ଷିଣାଞ୍ଚଳ ଜିଲ୍ଲା ମାଲକାନାଗିରିରୁ ଏହି ଲକ୍ଷ୍ମୀବସ୍ ସେବାର ଶୁଭାରମ୍ଭ କରିଛନ୍ତି । ରାଜ୍ୟରେ ପ୍ରଥମ ଚରଣରେ ୬ ଗୋଟି ଉପାନ୍ତ ତଥା ଦୁର୍ଗମାଞ୍ଚଳ ଜିଲ୍ଲାରେ ଶୁଭାରମ୍ଭ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଆଜି ମାଲକାନାଗିରି ଜିଲ୍ଲାରୁ ଆରମ୍ଭ ହୋଇଛି ଏହି ବସ୍ ସେବା । ଏହି ପରିପ୍ରେକ୍ଷୀରେ ଗଜପତିରେ ଚଳିତ ମାସ ୧୯ ତାରିଖରେ ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିବାର ଜଣାପଡିଛି । ଏଥି ପାଇଁ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ତଥା ଦୁର୍ଗମାଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ଜିଲ୍ଲାର ୭ ଗୋଟି ବ୍ଲକ ମଧ୍ୟରେ ପ୍ରାୟ ୭୫ଭାଗ ଗ୍ରାମାଞ୍ଚଳକୁ ସଠିକ ଗମନାଗମନର ସୁବିଧା ନାହିଁ । ଆଜି ବି ଲୋକେ ଜିଲ୍ଲା ସଦର ମହକୁମା ଆସିବାକୁ ହେଲେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ବ୍ଲକ ସଦର ମହକୁମା କିମ୍ବା ଜିଲ୍ଲାର ପ୍ରମୁଖ ଗ୍ରାମାଞ୍ଚଳ ଗୁଡିକୁ ଯିବାକୁ ହେଲେ ଦିନକୁ ଦିନ ବିତିଯାଉଛି । ହେଲେ ରାଜ୍ୟ ସରକାରଙ୍କ ଏପରି ଲୋକହିତକର ପରିକଳ୍ପନା ଯୋଗୁଁ ବିଶେଷ କରି ଆଭ୍ୟନ୍ତରଣ ଅଞ୍ଚଳର ଲୋକଙ୍କ ମଧ୍ୟରେ ହସ ଫୁଟିଛି । ନିଜ ନିଜ ଅଞ୍ଚଳକୁ ବସ ବା ଗମନାଗମନ ପାଇଁ ଏତେ ଶୀଘ୍ର ବସ୍ ଗଢିବ ବୋଲି ଲୋକେ ଭାବି ନଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଗମନାଗମନର ସୁବିଧା ଯୋଗାଇଦେବା ନିମନ୍ତେ ଅଭିଯୋଗ କରି ଆସୁଥିଲେ । ହେଲେ ଏସବୁ ଅଭିଯୋଗ ଆଉ ହେବ ନାହିଁ । ରାଜ୍ୟସରକାରଙ୍କ ଏପରି ପରିକଳ୍ପନା ଲୋକଙ୍କ ମନରେ ଥିବା ଗମନାଗମନକୁ ନେଇ ଥିବା ଆଶଙ୍କାକୁ ଧୂଳିସାତ କରିଛି । ସରକାରଙ୍କ ଏପରି ଜନହିତକର ମନବୃତି ଆଗରେ ସମସ୍ତ ଆଶଙ୍କା, ଅଭିଯୋଗ ଆଦି ଫେଲ୍ ମାରିଛି । ବାସ୍ ଆଉ କେତେ ଦିନ ମଧ୍ୟରେ ଲକ୍ଷ୍ମୀ ବସ୍ ଗଢିବ । ଇତି ମଧ୍ୟରେ ଗଜପତି ଜିଲ୍ଲାକୁ ୩୬ ଗୋଟି ବସ୍ ଆସି ପହଞ୍ଚି ସାରିଛି । ଏହି ବସ ଗୁଡିକ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରହିଛି । ଔପଚାରିକ କାମ ଚାଲୁ ରହିଛି । ୩୬ ଗୋଟି ବସ୍ ମଧ୍ୟରେ ୪ଗୋଟି ଏସି ତଥା ଶୀତତାପ ନିୟନ୍ତ୍ରିତ ବସ୍୪ରହିଥିବା ବେଳେ ଅବଶିଷ୍ଟ ୩୨ ଗୋଟି ବସ୍ ନନ୍ ଏସି । ଚଳାଚଳ ପାଇଁ ରୁଟ୍ ନିର୍ଦ୍ଧାରିତ ହୋଇ ସାରିଛି । ସମୟ ସାରଣୀ ମଧ୍ୟ ନିର୍ଦ୍ଧାରିତ ହୋଇଛି । ଯେଉଁ ଯେଉଁ ରୁଟ୍ ରେ ବସ ଗଢିବ ସେ ଅଞ୍ଚଳକୁ କେବେ ବି ବସ୍ ଗଢିବ ନାହିଁ ବୋଲି ଲୋକଙ୍କ ମନରେ ହୃଦବୋଧ ହେଉଥିଲା । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ସବୁ ସମ୍ଭବ ହୋଇପାରିବ ବୋଲି ବିଶେଷ କରି ଗ୍ରାମାଞ୍ଚଳରେ ଆଲୋଚନା ହେଉଛି । ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here