ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଓଡିଶା ରଜନୀତିର ଜଣେ ବୀର ପୁରୋଧା ହେଉଛନ୍ତି ସ୍ବର୍ଗତ ବିଜୁବାବୁ l ଓଡ଼ିଆ ମାଟିର ଗୌରବ, ନୂଆ ଓଡିଶାର ନିର୍ମାତା, ରାଜନୀତିର ମାହଦ୍ରୁମ, ଦକ୍ଷ ପାଇଲଟ ଓ ଶିଳ୍ପପତି ହେଉଛନ୍ତି ସ୍ବର୍ଗତ ବିଜୁ ପଟ୍ଟନାୟକ। ଓଡିଶା ରଜନୀତିର ଜଣେ ବୀର ପୁରୋଧା l ରାଜନୀତି ଯୁଦ୍ଧରେ ସେ ଥିଲେ ଜଣେ ସଫଳ ଯୋଦ୍ଧା । ବିଜୟାନନ୍ଦ ପଟ୍ଟନାୟ ବା ବିଜୁ ବାବୁ, ଓଡିଶା ପ୍ରତି ତାଙ୍କ ମହାନ ଅବଦାନ ପାଇଁ ତାଙ୍କୁ ପ୍ରବାଦପୁରୁଷ, ଭୂମିପୁତ୍ର, କଳିଙ୍ଗବୀର ଆଖ୍ୟା ଦିଆଯାଇଛି । ତାଙ୍କ ଦୁଃସାହାସିକ ପଦକ୍ଷେପ ଓଡିଶାକୁ ନୂଆ ପରିଚୟ ଦେଇଛି । ଅଦମ୍ୟ ସାହାସିକତା ଯୋଗୁଁ ସେ ରାଜ୍ୟ, ଦେଶ ତଥା ଦେଶ ବାହାରେ ବେଶ ପରିଚିତ । ବିଜୁ ବାବୁ ଆଜି ନାହାନ୍ତି ସତ, କିନ୍ତୁ ସେ କରିଥିବା ପ୍ରତିଟି କୀର୍ତ୍ତିମାନ ଆଜିବି ମନେ ରଖିଛନ୍ତି ପ୍ରତିଟି ଓଡିଆ । ଆଜି ସେହି ଭୂମିପୁତ୍ରଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ।
ଏକାଧାରରେ ବିଜୁ ବାବୁ ଥିଲେ ଜଣେ ପାଇଲଟ, ରାଜନୈତିଜ୍ଞ ଓ ବ୍ୟବସାୟୀ । ପ୍ରଥମେ ପାଇଲଟ ଥିବା ବିଜୁ ବାବୁଙ୍କୁ ଓଡିଶା ପ୍ରୀତି କିଛି କରିବାକୁ ଆଗଭର କରିଥିଲା । ଯେଉଁଥିପାଇଁ ସେ ପାଇଲଟ ଚାକିରି ଛାଡି ରାଜନୀତିରେ ପାଦ ଥାପିଥିଲେ । ଆଉ ଓଡିଶାକୁ ଦେଇଥିଲେ ଅନେକ ମାନସ ସନ୍ତାନ । ତାଙ୍କ ସମୟରେ ପାରାଦ୍ବୀପ ବନ୍ଦର, ହୀରାକୁଦ ଡ୍ୟାମ୍, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଏବଂ ଓଟିଏମ୍ ଆରମ୍ଭ ହୋଇଥିଲା । ଓଡିଶାର ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ରାଜ୍ୟର ପ୍ରତି ଘରେ ଘରେ ନିଜର ଛାପ ଛାଡିଛନ୍ତି । ରାଜ୍ୟ ରାଜନୀତିରୁ ଆରମ୍ଭ କରି ଜାତୀୟ ରାଜନୀତି କ୍ଷେତ୍ରରେ ତାଙ୍କର ବେଶ ଦବଦବା ରହିଥିଲା । ତେବେ ଆଜି ମଧ୍ୟ ଓଡିଶା ତଥା ସାରା ବିଶ୍ୱରେ ସେହି ମହାନ କଳିଙ୍ଗବୀରଙ୍କୁ ଝୁରୁଛି ପ୍ରତ୍ୟେକ ଆତ୍ମା ।