ଝାରସୁଗୁଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଝାରସୁଗୁଡ଼ାରେ ୫ ଦିନ ରହି ତଦନ୍ତ କରିବା ପରେ ଫେରିଛି କ୍ରାଇମ୍ବ୍ରାଞ୍ଚ ଟିମ୍ । ୫ ଦିନ ଭିତରେ ୧୪ରୁ ୧୫ ଜଣଙ୍କ ବୟାନ ରେକର୍ଡ କରାଯାଇଥିବା କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମେ ନବ ଦାସଙ୍କ ଘରକୁ ଯାଇ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କ ବୟାନ ରେକର୍ଡ କରାଯାଇଥିଲା । ଏହା ପରେ ବିମାନବନ୍ଦର କର୍ମଚାରୀ, ହସ୍ପିଟାଲରେ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫଙ୍କ ବୟାନ ରେକର୍ଡ କରାଯାଇଛି । ତେବେ ଆଜି ଗୋପାଳ ଦାସକୁ ପଚରାଉଚରା କରିପାରେ କ୍ରାଇମ୍ବ୍ରାଞ୍ଚ । ଚୌଦ୍ବାର ଜେଲରେ ରହିଥିବା ଗୋପାଳକୁ କ୍ରାଇମ୍ବ୍ରାଞ୍ଚ ପଚରାଉଚରା କରିପାରେ ।
ଶନିବାର ସରୋଜ ସା’ ଓ ଜୀବନ ନାୟକଙ୍କୁ ଜେରା କରାଯାଇଥିଲା। ନବ ଦାସଙ୍କୁ ହତ୍ୟାକାଣ୍ଡ ଦିନ ଘଟଣାସ୍ଥଳରେ ଥିଲେ ସରୋଜ ସା’। ତତ୍କାଳୀନ ଆଇଆଇସି ପ୍ରଦ୍ୟୁମ୍ନ ସ୍ବାଇଁଙ୍କ ବନ୍ଧୁକ ଛଡ଼ାଇ ଆଣିଥିଲେ ସରୋଜ । ୨୦୨୩ରେ ନବ ଦାସ ହତ୍ୟା ପରେ ସରୋଜ ସା’ଙ୍କୁ ପଚରାଉଚରା ହୋଇନଥିଲା । ଯାହା ନିଜେ ମାନିଛନ୍ତି ସରୋଜ । ସେହିପରି ଘଟଣା ଦିନ ଗୁଳି ବାଜିଥିବା ବ୍ୟକ୍ତି ଜୀବନ ନାୟକଙ୍କର ମଧ୍ୟ ବୟାନ ରେକର୍ଡ କରିଛି କ୍ରାଇମ୍ବ୍ରାଞ୍ଚ । ନବଦାସଙ୍କ ପାଦ ଛୁଇଁଥିବାବେଳେ ଜୀବନଙ୍କ ବେକରେ ଗୁଳି ଘଷି ହୋଇ ଚାଲିଯାଇଥିଲା ।
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ୨ ବର୍ଷ ବିତିଲାଣି । ଏହି ମାମଲାରେ କେବଳ ଗୋପାଳ ଦାସ ହିଁ ଜଣେ ଅଭିଯୁକ୍ତ ଦର୍ଶାଇଛି କ୍ରାଇମବ୍ରାଞ୍ଚ । କିନ୍ତୁ କାହିଁକି ହତ୍ୟା କଲା ଗୋପାଳ ଦାସ? ନବ ଦାସଙ୍କ ଦେହରେ ବାଜିଥିବା ଗୁଳି ଗୋପାଳ ଚଳାଇଥିଲା ନା ଆଉ କିଏ ? ହତ୍ୟାକାଣ୍ଡ ପଛରେ ବ୍ୟବସାୟିକ, ରାଜନୈତିକ ନା ଅନ୍ୟ କଣ ଷଡ଼ଯନ୍ତ୍ର ଥିଲା? ତଦନ୍ତ ଜାରି ରଖିଥିବା କ୍ରାଇମବ୍ରାଞ୍ଚ ଆଗକୁ ଏହାର ଖୁଲାସା କରିବ କି ?