ଆଜି ହେଉଛି ନିଶା ନିରାକରଣ ଦିବସ
ବିପ୍ଲବୀ ପରିକ୍ରମା ବ୍ୟୁରୋ : ନିଶା ଏବେ ସାମାଜିକ ବ୍ୟଧି ଭାବେ କାୟା ବିସ୍ତାର କରିଚାଲିଛି। ପାନ, ବିଡି, ସିଗାରେଟ୍ ପରେ ବ୍ରାଉନସୁଗର, ଗଞ୍ଜେଇ, ଇ-ସିଗାରେଟ, ଡେନ୍ଡ୍ରାଇଟ୍ ଓ କୋକେନ୍ ଭଳି ମାରାତ୍ମକ ନିଶା ପ୍ରେମରେ ପଡ଼ିଛନ୍ତି ନିଶାଡ଼ି। ରାଜଧାନୀରେ ଦିନକୁ ଦିନ ନିଶା କାରବାର ବଢ଼଼ିଗଲାଣି। ହାତ ପାହାନ୍ତାରେ ଏସବୁ ନିଶାଦ୍ରବ୍ୟ ମିଳୁଥିବାରୁ ସହଜରେ କିଣି ସେବନ କରୁଛନ୍ତି ଲୋକେ। ଏଣୁ ନିଶା କାରବାର ସହ ସେବନକାରୀଙ୍କ ସଂଖ୍ୟା ସବୁଆଡେ ମାଡ଼ିଗଲାଣି। ତେବେ ଏଭଳି ମାରାତ୍ମକ ନିଶାରେ ଅଧିକ ମତୁଆଲା ହେଉଛନ୍ତି ଯୁବପିଢ଼ି। ନିଶା ଉପରେ ନିୟନ୍ତ୍ରଣ ନ ଥିବାରୁ ବିଗିଡ଼ିଗଲାଣି ସ୍ଥିତି। ନିଶା କାରବାର ହଟାଇବା ସହ ନିଶାମୁକ୍ତ ଓଡ଼ିଶା ଗଢ଼ି ତୋଳିବାକୁ କେବଳ ମାମଲା ଯୋଜନା ଅବା କାର୍ଯ୍ୟକ୍ରମ କରାଯାଉଛି। ତେବେ ବିଶ୍ୱ ତମାଖୁ ବର୍ଜନ ଓ ନିଶା ନିବାରଣ ଦିବସ ଆସିଲେ ସଭା, ସମିତି, ରାଲି ଓ ଧାରଣା ଆଦି ଗୋଟିଏ ଦିନ ପାଳନ କରାଯାଇଥାଏ। ହେଲେ ପରେ ସବୁ ବନ୍ଦ ହୋଇଯାଇଥାଏ। ତେବେ ଯଥା ପୂର୍ବଂ ତଥାପରଂ ନାରାରେ ସେଭଳି ନିଶା କାରବାର ଜାରି ରହିଥାଏ।
ସେହିପରି ନିଶା ନିବାରଣ ଲାଗି ସରକାରଙ୍କ ପକ୍ଷରୁ ପାଣ୍ଠି ମିଳୁଛି। ମାତ୍ର ଆଖିଦୃଶିଆ ସଚେତନତା କରାଯାଉନି। ଏପିରିକି କୋଟ୍ପା ଆଇନ୍ ଅନୁଯାୟୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ପରିସର ତଥା ୧୦୦ ମିଟର ପରିଧି ଭିତରେ ତମାଖୁ ବିକ୍ରି କରିବା ଉପରେ କଟକଣା ରହିଛି। କିନ୍ତୁ ଏହି ଆଇନ୍କୁ କେହି ପାଳନ କରୁନାହାନ୍ତି। ଖୁଲମଖୁଲା ବିକ୍ରି କରାଯାଉଛି। ଆଉ ଛାତ୍ରଛାତ୍ରୀ ଏହାକୁ ସେବନ କରି ପଥଭ୍ରଷ୍ଟ ହେଉଛନ୍ତି। ତେବେ ନିଶାଭ୍ୟାସ କମିଲେ ଅପରାଧ ପ୍ରବଣତାରେ ଅଙ୍କୁଶ ଲାଗିବ ବୋଲି କୁହାଯାଇଛି।
ସଂଖ୍ୟା ୧୬.୬ ପ୍ରତିଶତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ୨୮ ପ୍ରତିଶତ ମହିଳା ତମାଖୁ ସେବନ କରନ୍ତି। ଅନ୍ୟପକ୍ଷରେ ଓଡ଼ିଶାରେ ୪.୩ ପ୍ରତିଶତ ମହିଳା ମଦ ପିଅନ୍ତି। ସେଥିରୁ ସହରାଞ୍ଚଳର ୧.୪ ପ୍ରତିଶତ ମହିଳା ଥିବା ବେଳେ ଗ୍ରାମାଞ୍ଚଳର ୪.୯ ପ୍ରତିଶତ ମହିଳା ମଦ ପିଉଛନ୍ତି। ସେପରି ରାଜ୍ୟର ୨୮.୮ ପ୍ରତିଶତ ପୁରୁଷ ମଦ ପିଉଥିବା ଜଣାପଡ଼ିଛି। ସେଥିମଧ୍ୟରୁ ସହରାଞ୍ଚଳର ପୁରୁଷଙ୍କ ସଂଖ୍ୟା ୨୨.୭ ହୋଇଥିବା ବେଳେ ଗ୍ରାମାଞ୍ଚଳର ପୁରୁଷ ସଂଖ୍ୟା ରହିଛି ୩୦.୨ ପ୍ରତିଶତ। ସେପଟେ ପୁରୁଷ ହୁଅନ୍ତି କି ମହିଳା ନିଶା ଓ ତମାଖୁ ସେବନ କରୁଛନ୍ତି। ଏଣୁ କର୍କଟ, ପକ୍ଷାଘାତ, ହୃଦରୋଗ ଭଳି ବହୁ ରୋଗରେ ଝୁଜୁଛନ୍ତି। ସୂଚନାଯୋଗ୍ୟ ଯେ, ୧୯୮୭ ମସିହାରୁ ଜୁନ୍ ୨୬ ତାରିଖକୁ ବିଶ୍ୱ ଡ୍ରଗ୍ ଦିବସ ଭାବେ ପାଳନ କରାଯାଉଛି।
ରାଜ୍ୟର ୪୫.୬ ପ୍ରତିଶତ କିଶୋର (୧୨-୧୯ ବର୍ଷ ବୟସ୍କ) ନିଶା ସେବନ କରୁଥିବା ବେଳେ ୫୪.୪ ପ୍ରତିଶତ କିଶୋର/କିଶୋରୀ କୌଣସି ତମାଖୁ ସେବନ କରୁନାହାନ୍ତି। ୮୭୮ ଜଣ କିଶୋର ଓ ୯୮୦ ଜଣ କିଶୋରୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୩ ପ୍ରତିଶତ କିଶୋର ସିଗାରେଟ୍, ବିଡ଼ି ଓ ଗଞ୍ଜେଇ ଭଳି ଧୂଆଁ ଜାତୀୟ ତମାଖୁ ସେବନ କରୁଥିବା ବେଳେ ଉଭୟ କିଶୋରକିଶୋରୀଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୭ ପ୍ରତିଶତ ରହିଥିଲା। ସେହିପରି ୪୨ ପ୍ରତିଶତ କଶୋର/କିଶୋରୀ ଧୂଆଁ ବିହୀନ ତମାଖୁ ସେବନ କରୁଥିବାବେଳେ ୧୭ ପ୍ରତିଶତ ଖଇନି ସେବନ କରୁଥିଲେ। ଗୁଟଖା ଖାଉଥିବା କିଶୋରଙ୍କ ସଂଖ୍ୟା ସବୁଠୁ ଅଧିକ ରହିଥିଲା।