ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସରିଆସିଲାଣି ଶ୍ରୀଗୁଣ୍ଡିଚା ଲୀଳା। ଏବେ ଜନ୍ମବେଦି ଲୀଳା ସାରି ରତ୍ନବେଦିକୁ ଲେଉଟିବାର ବେଳ। ସେନାପଟା ଲାଗି ସାରିଲାଣି। ଆଡ଼ପମଣ୍ଡପରେ ଚାରବନ୍ଧା ସରିଲାଣି। ସଅଳ ପହଣ୍ଡି ହୋଇ ଚତୁର୍ଦ୍ଧାବିଗ୍ରହ ରଥ ଉପରେ ବିରାଜମାନ କରିବା ପାଇଁ ରଥରେ ମଧ୍ୟ ଚାରମାଳ ବନ୍ଧା ଶେଷ ହୋଇଛି। ବଡ଼ଦାଣ୍ଡକୁ ଧୋଇ ଶୋଧ କରିଦେଲାଣି ବର୍ଷା। ମହାପ୍ରଭୁଙ୍କ ବାହୁଡ଼ା ପର୍ବ ଦେଖିବାକୁ ପହଞ୍ଚିସାରିଲେଣି ଭକ୍ତ। ଶୀଘ୍ର ବାହୁଡ଼େଇ ନେବା ପାଇଁ ଆରମ୍ଭ ହୋଇଗଲାଣି ନୀତିକାନ୍ତି।ସନ୍ଧ୍ୟା ଦର୍ଶନ ସଅଳ ବନ୍ଦ କରି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ବାହୁଡ଼ା ପ୍ରସ୍ତୁତି। ବାହୁଟ କଣ୍ଟ, ଚାରବନ୍ଧା ସହ କୁସୁମି ଲାଗି ଶେଷ ହୋଇସାରିଛି। ବରିଷ୍ଠ ଦଇତାପତି ସେବକ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଆଜି ମହାପ୍ରଭୁ ଘଣ୍ଟାଏ ପାଇଁ ଠିଆ ପହୁଡ଼ ଯିବେ। ଖଟ ଶେଜ ଲାଗିବ ନାହିଁ। ନୀତିକାନ୍ତି ସଅଳ ସମାପନ ହୋଇ ସମ୍ଭବତଃ ସକାଳ ୮ଟାରୁ ୯ଟା ମଧ୍ୟରେ ପହଣ୍ଡି କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଯଦିଓ ନୀତି ନିର୍ଘଣ୍ଟ ପୁସ୍ତିକରେ ବାହୁଡ଼ା ପହଣ୍ଡି ଦିନ ୧୨ଟାରୁ ଆରମ୍ଭ ହେବା ନେଇ ଉଲ୍ଲେଖ ରହିଛି, କିନ୍ତୁ ଏହାକୁ ସଅଳ କରିବା ଲକ୍ଷ୍ୟରେ ନୀତିକାନ୍ତି ଆଗେଇ ଚାଲିଛି।
ଶ୍ରୀମନ୍ଦିର ପ୍ରଶାସନର ନୀତିକାନ୍ତି ମୁତାବକ, ଠିଆ ପହୁଡ଼ ହୋଇଥିବାରୁ ୫ ତାରିଖ ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ବେଶ ଶେଷ ହୋଇ ଭୋର ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ଶେଷ ହେବ।
ସକାଳ ୭ଟାରୁ ସେନାପଟା ଲାଗି ହେବ। ଶ୍ରୀମନ୍ଦିର ପ୍ରଶାସନ ପୁସ୍ତିକା ମୁତାବକ, ସାଢ଼େ ୨ଟା ପହଣ୍ଡି ଶେଷ ହୋଇ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ସାରିବା ଲକ୍ଷ୍ୟ ରହିଛି। ପରେ ଚାରମାଳ ଫିଟି, ଘୋଡ଼ା ଲାଗି ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ମହାପ୍ରଭୁ ରଥରେ ଶ୍ରୀନଅର ନିକଟରେ ପହଞ୍ଚିବା ପରେ ବାହୁଡ଼ା ଦଶମୀରେ ଲକ୍ଷ୍ମୀନାରାୟଣ ଭେଟ ନୀତିକାନ୍ତି ରହିଥିବାରୁ ସନ୍ଧ୍ୟା ସାଢ଼େ ୭ଟା ପୂର୍ବରୁ ରଥ ପହଞ୍ଚିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବାହୁଡ଼ା ଯାତ୍ରାରେ ଶୃଙ୍ଖଳା ପାଇଁ ୨୦୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ନିୟୋଜିତ ହେବେ। ଭକ୍ତଙ୍କ ଯାତାୟାତ ପାଇଁ ସ୍ବତନ୍ତ୍ର ଟ୍ରାଫିକ ରୁଟ୍ ନିର୍ଦ୍ଧାରିତ ହୋଇଛି। ଭୁବନେଶ୍ବର, କୋଣାର୍କ ଓ ବ୍ରହ୍ମଗିରି ପଟୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଚାରିଚକିଆ ଓ ଦୁଇଚକିଆ ଯାନ ରଖିବା ପାଇଁ ସ୍ବତନ୍ତ୍ର ସ୍ଥାନ ସ୍ଥିରୀକୃତ ହୋଇଛି।